ଦାର୍ଜିଲିଂ : ଦାର୍ଜିଲିଂରେ ପ୍ରକୃତି ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ । ଭୂସ୍ଖଳନ ଯୋଗୁଁ ରାସ୍ତାକୁ ଧସେଇ ପଡ଼ିଛି ମାଟି ଅତଡ଼ା ଆଉ ସେପଟେ ଲୁହାବ୍ରିଜ ଭାଙ୍ଗିଯାଇଛି । ପ୍ରକୃତିର ଏହି ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଥିବା ସୂଚନା ମିଳିଛି । ଅନେକ ଗାଁ ସହିତ ସଂପର୍କ ତୁଟିଛି । ଏହାସହିତ ଶତାଧିକ ପର୍ଯ୍ୟଟକ ଫସିଛନ୍ତି । ଆଜି ପ୍ରଭାବିତ ଅଞ୍ଚଳକୁ ମମତା ବାନାର୍ଜୀ ବୁଲିବାକୁ ଯାଇ ସ୍ଥିତି ପରଖିବେ ।
ଦାର୍ଜିଲିଂର ମିରିକ ଓ ସୁଖିଆ ପୋଖରୀରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ଏକାଧିକ ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ସଂଯୋଗ କରୁଥିବା ରାସ୍ତା ଏବଂ ଦାର୍ଜିଲିଂ ଓ ସିଲିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମେତ ପ୍ରମୁଖ ରାସ୍ତାଗୁଡ଼ିକରେ ରାସ୍ତା ଅବରୋଧ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଘର ଭଗ୍ନାବଶେଷରେ ପରିଣତ ହେବା ସହ ପ୍ରମୁଖ ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଏନଡିଆଏଫ ଟିମ ଏବଂ ବଙ୍ଗାଳ ସରକାର ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।
ଅନେକ ଦୁର୍ଗମ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ମିରିକ-ସୁଖିଆପୋଖରୀ ରାସ୍ତାରେ ମାଟି ଅତଡ଼ା ଧସିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁର୍ଗା ପୂଜା ପରେ କୋଲକାତା ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଦାର୍ଜିଲିଂ ଆସିଥିବା ବେଳେ ସେମାନେ ଫସି ରହିଛନ୍ତି । କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ଦାର୍ଜିଲିଂରେ ପର୍ଯ୍ୟଟନସ୍ଥଳଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ତେବେ ଦାର୍ଜିଲିଂ ଘଟଣାରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ସେପଟେ ଆଗାମୀ ୨୪ ଘଣ୍ଟାର ପର୍ଯ୍ୟନ୍ତ ବର୍ଷା ଲାଗିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

