ଶ୍ରୀଗଣେଶ ପର୍ବତୀଙ୍କ ମାନସ ପୁତ୍ର । ମାତା ପାର୍ବତୀ ହଳଦୀ ପ୍ରତିମାକୁ ଜୀବଦାନ ଦେଇ ସୃଷ୍ଟି କରିଥିଲେ ଗଣେଶଙ୍କୁ । ଏହି ସମୟରେ ତାଙ୍କ ପିତା ମହାଦେବ ଅନୁପସ୍ଥିତ ଥିଲେ । ତ୍ରିପୁର ବା ତ୍ରିଲୋକ ଭ୍ରମଣରେ ଯାଇଥିଲେ । ଶ୍ରୀଗଣେଶ ପର୍ବତୀଙ୍କ ତପସ୍ୟା କାଳରେ ଦ୍ଵାରପାଳ ଥିଲେ । ମହାଦେବଙ୍କୁ ପର୍ବତୀଙ୍କ ସହ ସାକ୍ଷାତ କରିବାକୁ ବାରଣ କରିବାରୁ ଶିବ କ୍ରୋଧିତ ହୋଇଗଲେ । ତାଙ୍କ ପାଶୁପତ ଅସ୍ତ୍ରରେ ଗଣେଶଙ୍କ ମସ୍ତକ ଛେଦନ କଲେ । ପରେ ସେ ନିଜ ପତ୍ନୀ, ମାଆ ପର୍ବତୀଙ୍କ ମାନସ ସନ୍ତାନ ଜାଣି ଦୁଃଖିତ ହେଲେ । ଶିବ ପର୍ବତୀଙ୍କୁ ବହୁତ ବୁଝାସୁଝା କଲେ । ତଥାପି ପାର୍ବତୀ ଦୁଃଖରେ ଭାଙ୍ଗି ପଡ଼ିଲେ । ସେ ମଧ୍ୟ ନିଜ ଜୀବନ ଆଉ ରଖିବେ ନାହିଁ ବୋଲି କହି କାନ୍ଦିଲେ । ଅନ୍ୟ ଉପାୟ ନପାଇ ମହାଦେବ ଏକ ଶ୍ଵେତ ହସ୍ତୀର ମସ୍ତକ ଛେଦନ କରି ଆଣିଲେ । ସେହି ହସ୍ତୀଟି ଉତ୍ତର ଦିଗକୁ ମସ୍ତକ କରି ଶୋଇଥିଲା । ତେଣୁ କଥାରେ କୁହନ୍ତି ଯେ ଉତ୍ତର ପଶ୍ଚିମ ଦିଗକୁ ମସ୍ତକ କରି ଶୋଇବା ଅନୁଚିତ । ଏହି ହସ୍ତୀ ର ମସ୍ତକକୁ ଯୋଡି ଗଣେଶଙ୍କୁ ପୁନଃ ଜୀବଦାନ ଦେଲେ ମହାଦେବ । ଏହାପରେ ଗଣେଶ ଗଜାନନ ବା ଗଜବଦନ ନାମରେ ପରିଚିତ ହେଲେ । ଗଣେଶ ଏହାପରେ ଶିବ-ପର୍ବତୀଙ୍କ ଆସ୍ଥାନ ଚତୁଃପାର୍ଶ୍ଵରେ ଏକ ଲକ୍ଷ ଥର ପ୍ରଦକ୍ଷିଣ କରି ଗଣାଧିପତି ବୋଲି ଆଖ୍ୟା ପ୍ରାପ୍ତି ହେଲେ । ଶ୍ରୀଗଣେଶ ଅମର ବର ପାଇବା ସହିତ ଅଗ୍ରପୂଜ୍ୟ ଭାବରେ ସର୍ବ ଦେବତାଙ୍କ ପୂର୍ବରୁ ପୂଜା ପାଇବେ ବୋଲି ଶିବ-ପାର୍ବତୀ ବର ପ୍ରଦାନ କଲେ ।
ଏହାପରେ କିଛିଦିନ ବିତିଯାଇଛି । ବ୍ରହ୍ମା ମନୁଷ୍ୟ ଓ ଜୀବଜଗତ ର ସୃଷ୍ଟିକର୍ତ୍ତା ହେଲେ । ବିଷ୍ଣୁ ପାଳନକର୍ତ୍ତା ହେଲେ ଓ ଶିବ ଦୁଷ୍ଟମାନଙ୍କୁ ସଂହାର କରିଚାଲିଲେ । ଦ୍ଵାପର ଯୁଗର କଥା । ଜନ୍ତୁପତି ଯମରାଜ ମର୍ତ୍ତ୍ୟରେ ଭ୍ରମଣ କରୁଥିଲେ । ସେହିଦିନ ଜ୍ୟୋଷ୍ଠ ମାସ ପୂର୍ଣ୍ଣିମା ତିଥି ବୁଧବାର ଖରାବେଳ ଥାଏ । ମଇଁଷି ବାହନରେ ଯମ ନିଜ ଅନୁଚର ମାନଙ୍କ ସହିତ ବୁଲୁ ବୁଲୁ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେବି ସମୟରେ ଗଣେଶ ଯୋଗାସନରେ ବସିଥାନ୍ତି । ତାଙ୍କପରି ଅଦ୍ଭୁତ ଶରୀରର ଜୀବ ଯମ ଆଗରୁ କେବେ ଦେଖି ନଥିଲେ । ହାତି ମୁଣ୍ଡ, ଥନ୍ତଲା ପେଟ, ମୋଟା ହୋଇ ଗେଡା,ଶରୀରଟା ମଣିଷ ପରି । ହାତରେ ନାନା ପ୍ରକାର ଅସ୍ତ୍ର ଶସ୍ତ୍ର । ଯମରାଜ ମନେ ମନେ ଚିନ୍ତା କଲେ, ଏକାମ୍ର କାନନରେ ଏପରି ଜୀବ ଆସିଲା କୁଆଡୁ । ଏ ଯିବ ଯଦି ମର୍ତ୍ତ୍ୟରେ ବିଚରଣ କରେ ବା ଲୀଳାଖେଳା କରେ , ତେବେ ମର୍ତ୍ତ୍ୟର ଅନ୍ୟ ଜୀବମାନେ ଭୟ କରିବେ । କେହି କେହି ୟାଙ୍କର ପରାକ୍ରମରେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି । ତେଣୁ ଏଭଳି ଜୀବକୁ ମର୍ତ୍ତ୍ୟରୁ ଯମଲୋକ କୁ ନେଇଯିବା ଉଚିତ ହେବ । ସଙ୍ଗେ ସଙ୍ଗେ ଯମ ଗଣପତିଙ୍କୁ ବାନ୍ଧି ନେବାକୁ କାଳଫାଶ ବ ଯମ ଦଉଡି ଫୋପାଡ଼ିଲେ । ଯୋଗରେ ଥାଇ ଗଣେଶ ଯମଙ୍କର ଭାବନା ଜାଣିପାରି ରାଗିଗଲେ । ସଙ୍ଗେ ସଙ୍ଗେ ସେ ନିଜ ବେକରୁ କଲା ଦଉଡି ଫିଟେଇ ଯମଙ୍କ ବେକ ବାନ୍ଧିଦେଲେ । ଯେଉଁ ଗଣେଶ ସ୍ବୟଂ ଅଗ୍ରପୂଜ୍ୟ ଭଗବାନ ତାଙ୍କ ହାତରୁ ଯମ ବା ଖସିଯିବେ କୁଆଡୁ ? ଗଣେଶ ଯମଙ୍କୁ ବାନ୍ଧିଆଣି ନିଜ ଜଙ୍ଘ ତଳେ ଚାପି ଦେଲେ । ଯମ ଭୟରେ ତାଙ୍କ ବିକଟାଳ ରୂପ ପରିତ୍ୟାଗ କରି ସାଧାରଣ ମୂଷା ପାଲଟିଗଲେ । ଏହି ଯମ ମୃତ୍ୟୁଦୂତ, କାଳରୂପୀ । ମୃତ୍ଯୁ ଓ କାଳ କୁ ଦମନ କରିବାର ଶକ୍ତି ଗଣେଶଙ୍କ ପାଖରେ ଅଛି । ଗଣେଶ ଯମରୂପୀ ମୂଷାଳୁ ନିଜ ବାହନ କରିଦେଇ ତାଙ୍କ ପିଠିରେ ବସି କାଶୀ କ୍ଷେତ୍ରରେ ପହଁଚିଲେ । ସେଠାରେ ପିତା ମହାଦେବଙ୍କ ସହ ଗଣେଶଙ୍କ ଭେଟ ହେଲା । ଶିବ ଗଣେଶଙ୍କ ଠାରୁ ସବୁକଥା କଥା ଶୁଣି ଖୁସି ହେଲେଏବଂ କହିଲେ ଆଜିଠାରୁ ମୂଷା ଗଣପତିଙ୍କ ବାହନ ହୋଇ ରହିବ । ମୂଷା ପରି କୂଟ କପଟୀ ଖଳ ଲୋକମାନଙ୍କୁ ଗଣେଶ ଦମନ କରିବେ । ସେହିଦିନଠାରୁ ମୂଷା ଗଣେଶଙ୍କ ବାହନ ହୋଇ ତାଙ୍କ ପାଖରେ ପାଖରେ ରହି ଆସୁଛି ।
କାହାଣୀ- ନିରଞ୍ଜନ ପତି