Tuesday, April 28, 2026
31.3 C
Odisha

    ମମତାଙ୍କ ରାସ୍ତାରେ ସୁଜିତ: ନବୀନଙ୍କୁ ଭରସା ପାଉନି

    ଆଗକୁ ପଢନ୍ତୁ

    ଦେଶ- ବିଦେଶ | ମହାନଗର ନୂଆଦିଲ୍ଲୀ/ ଭୁବନେଶ୍ବର: ରାଜ୍ୟସଭାରୁ ଆଜି ବିଜେଡିର ଦ୍ବିତୀୟ ୱିକେଟ୍ ଖସିଛି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ମମତା ବିଜେପିରେ ମିଶିବାକୁ ୨୪ ଘଣ୍ଟା ସମୟ ନେଇଥିଲା ବେଳେ ସୁଜିତ ଏଥିରେ ଆଦୌ ବିଳମ୍ବ କରିନାହାନ୍ତି। ନୂଆଦିଲ୍ଲୀରେ ସଙ୍ଗେ ସଙ୍ଗେ ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି। ନବୀନ ସରକାରରେ ଆଖିବୁଜା ଦୁର୍ନୀତି ଚାଲିଥିଲା ବୋଲି ଆରୋପ ଲଗାଇ ନିଜ ପୁରୁଣା ଦଳ ଓ ସରକାରକୁ କାଠଗଡ଼ାକୁ ଟାଣିଛନ୍ତି।

    ମମତା ମହାନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଲା ପରେ ବିଜେପିରେ ମିଶି ପୁଣି ରାଜ୍ୟସଭାକୁ ଗଲେ। ମମତାଙ୍କ ପରେ ଆଉ ଜଣେ ଦୁଇ ଜଣ ବିଜେଡି ସାଂସଦ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ସେହି ଚର୍ଚ୍ଚା ସତ ହୋଇଛି। ଆଜି ପୂର୍ବାହ୍ନରେ ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଅଧ୍ୟକ୍ଷ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏହାର କିଛି ସମୟ ପରେ ବିଜେଡିରୁ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ୍ ବିବୃତି ଜାରି ହେଲା। କିନ୍ତୁ ସୁଜିତ ଏହାକୁ ଖଣ୍ଡନ କରିଥିଲେ। ବହିଷ୍କାର ଆଦେଶ ଜାରି ହେବା ପୂର୍ବରୁ ସେ ଇମେଲ୍ ଯୋଗେ ବିଜେଡିରୁ ଇସ୍ତଫା ଦେଇଥିଲେ ବୋଲି ସୂଚନା ଦେଇଥିଲେ। ସୁଜିତଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ସଦସ୍ୟ ସଂଖ୍ୟା ୭କୁ ଖସିଆସିଛି।
    ଇସ୍ତଫା ଦେବାର କିଛି ସମୟ ପରେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ସାଧାରଣ ସଂପାଦକ ଅରୁଣ ସିଂହ ଓ ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖ ବିଜେପିର ସଦସ୍ୟତାପତ୍ର ଓ ଉତ୍ତରୀୟ ପିନ୍ଧାଇ ଶ୍ରୀ କୁମାରଙ୍କୁ ଦଳକୁ ସ୍ବାଗତ କରିଥିଲେ। ବିଜେପିରେ ଯୋଗଦେବାପରେ ସେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବିଜେପି ଜାତୀୟ ସଭାପତିଙ୍କ ସମେତ ଦଳର ତୁଙ୍ଗ ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଶ୍ରୀ କୁମାର ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

    ବିଜେପିରେ ସାମିଲ ହେବା ପରେ ସୁଜିତ ବିଜେଡି ଉପରେ ବର୍ଷିଥିଲେ। ସେ କହିଲେ, ପ୍ରାୟ ଦେଢ଼ବର୍ଷ ହେଲା ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା। କଳାହାଣ୍ଡିର ଯେତିକି ବିକାଶ ହେବା କଥା, ହୋଇ ପାରିନାହିଁ। କଳାହାଣ୍ଡିରୁ ହଜାର ହଜାର କୋଟି ଟଙ୍କା ଲୁଟ ହୋଇଛି। ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଛି। କିଛି ଅସାଧୁ ବେପାରୀ, ସରକାରୀ କର୍ମଚାରୀଙ୍କୁ ସମର୍ଥନ ଦେଉଥିଲେ ବିଜେଡିର କିଛି ନେତା। ଆଦିବାସୀମାନଙ୍କ ଜମି ହଡ଼ପ, ବିଷାକ୍ତ ଛତୁଆ, ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କର ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ଆଗାମୀ ଦିନରେ ଏସବୁ ଦୁର୍ନୀତିର ବିସ୍ତୃତ ତଥ୍ୟ ସେ ଉପସ୍ଥାପନ କରିବେ। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପରେ ଉପରୋକ୍ତ ପ୍ରସଙ୍ଗ ବାବଦରେ ଜଣାଇବା ପରେ କୌଣସି ସୁଫଳ ମିଳି ନ ଥିଲା। ଏଥି ସହିତ ଓଡ଼ିଶାରେ ଯେଉଁ ବିକାଶ ହେବା କଥା ତାହା ହୋଇପାରିନାହିଁ । ଶେଷରେ ବାଧ୍ୟ ହୋଇ ବିଜେଡି ଛାଡିଲି। ମୋ ପାଇଁ ସର୍ବଦା ମାଟି ଆଗରେ, ତାପରେ ଦଳ। ବିଜେପିରେ ଯୋଗଦେବା ମୋ ପାଇଁ ଏକ ବଡ଼ ନିଷ୍ପତ୍ତି। ଏହା ମୋ ପାଇଁ ଖୁସିର ଦିନ। ଆଗାମୀ ୫ ବର୍ଷରେ ଓଡ଼ିଶା କିଭଳି ଦେଶର ଶୀର୍ଷ ରାଜ୍ୟ ହୋଇପାରିବ ସେ ଦିଗରେ ମୋର ପ୍ରୟାସ ରହିବ।। ମୁଁ ଦଳରୁ ଇସ୍ତଫା ‌ଦେବା ପରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ମୋତେ ଦଳରୁ ବହିଷ୍କାର କରିବା ହାସ୍ୟାସ୍ପଦ। କୌଣସି ସର୍ତ୍ତରେ ମୁଁ ବିଜେପିରେ ସାମିଲ ହୋଇନାହିଁ। ଆଗକୁ ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ନିର୍ବାହ କରିବି।
    ସୂଚନାଯୋଗ୍ୟ ଯେ କିଛି ବର୍ଷ ତଳେ ସୁଜିତ କୁମାରଙ୍କର ହଠାତ କ୍ଷମତା କରିଡର୍‌ରେ ଆବିର୍ଭାବ ହୋଇଥିଲା। ତାଙ୍କୁ ପ୍ରଥମେ ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ତଥା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭା‌ବେ ନିଯୁକ୍ତି ଦିଆଯାଇ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଥିଲା। ସେହି ସମୟରେ ସେ ତୃତୀୟ ମହଲାର ଅତ୍ୟନ୍ତ ଘନିଷ୍ଠ ଥିଲେ। ପରେ ବିଜେଡିରେ ସାମିଲ ହୋଇ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
    ନବୀନ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ
    ଆଦିବାସୀମାନଙ୍କ ଜମି ହଡ଼ପ, ବିଷାକ୍ତ ଛତୁଆ, ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା

    ଭୁବନେଶ୍ବର: ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରୁ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ପଡ଼ିଛି। ମାସକ ଭିତରେ ଏହି ଆସନ ପାଇଁ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ଖାଲି ଥିବା ଆସନରେ ଯିଏ ରାଜ୍ୟସଭାକୁ ଯିବେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍ ୨ ଯାଏ ରହିବ। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ପୁଣି ବିଜେପି ଆସନଟିକୁ ଦଖଲ କରିବା ନିଶ୍ଚିତ। ଫଳରେ ଓଡ଼ିଶାରୁ ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ୩ ହେବ। ମମତା ମହାନ୍ତଙ୍କ ପରି ସୁଜିତ କୁମାରଙ୍କୁ ଦଳ ପୁନର୍ବାର ରାଜ୍ୟସଭାକୁ ପଠାଇବ ନା ଆଉ କାହାକୁ ଆଖି ଆଗରେ କେନ୍ଦ୍ରୀୟ ନେତୃତ୍ବ ରଖିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

    ଲୋକସଭାରେ ବିଜେଡିର ଆଦୌ ପ୍ରତିନିଧିତ୍ବ ନାହିଁ। କିନ୍ତୁ ରାଜ୍ୟସଭାରେ ୯ ସାଂସଦ ଥିବାରୁ ଓ କେନ୍ଦ୍ରର ରାଜନୈତିକ ଗଣିତ ଦୃଷ୍ଟିରୁ ବିଜେଡିର ସହଯୋଗ ବିଜେପି ପାଇଁ ଆବଶ୍ୟକ ଥିଲା। ତେଣୁ ରାଜ୍ୟସଭା ସାଂସଦଙ୍କୁ ନେଇ ଦିଲ୍ଲୀରେ ବିଜେଡି ଦବ୍‌ଦବା ଜାହିର କରିବ ବୋଲି ଦଳର ସୁପ୍ରିମୋ ଭାବି ନେଇଥିଲେ। ହେଲେ ବିଜେଡିକୁ ନିରସ୍ତ୍ର କରିବାକୁ ବିଜେପି ବେଶ୍ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଛି। ମମତା ମହାନ୍ତଙ୍କ ଇସ୍ତଫା ପରେ ହିଁ ଏହି ରଣନୀତିର ଆଭାସ ମିଳିଥିଲା। ବିଜେଡିର ଏକାଧିକ ସାଂସଦ ବିଜେପି ସହ ଯୋଗାଯୋଗରେ ଥିବାର ସୂଚନା ବି ମିଳିଥିଲା। ବିଧାନସଭାରେ ସଂଖ୍ୟା ଗଣିତ ଦୃଷ୍ଟିରୁ ଗୋଟିଏ ଗୋଟିଏ ରାଜ୍ୟସଭା ଆସନ ଖାଲି ହେଲେ ବିଜେପି ନିର୍ଦ୍ବନ୍ଦ୍ବରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇପାରିବ। ମମତାଙ୍କ କ୍ଷେତ୍ରରେ ତାହା ହିଁ ହେଲା।

    ମମତାଙ୍କ ଆସନ ଖାଲି ହେଲା ପରେ ରାଜ୍ୟସଭା ଯିବାକୁ ବିଜେପିର ବହୁ ଦାବିଦାର ବାହାରିଥିଲେ। ଦିଲ୍ଲୀରେ କେନ୍ଦ୍ରୀୟ ନେତାମାନଙ୍କୁ ଭେଟି ବହୁ ବରିଷ୍ଠ ନେତା ଜୋର୍‌ଦାର ଲବି କରିଥିଲେ। କିନ୍ତୁ ତାହା କାମ ଦେଇ ନଥିଲା। ଯେହେତୁ ଆଗକୁ ବିଜେଡିର ଏକାଧିକ ୱିକେଟ୍ ଖସାଇବାର ଥିଲା, ତେଣୁ ସେମାନଙ୍କ ଭିତରେ ବିଶ୍ବାସ ଜନ୍ମାଇବାକୁ ମମତାଙ୍କୁ ହିଁ ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ ନେତୃମଣ୍ଡଳୀଙ୍କୁ ଶୁଣାଇ ଦିଆଯାଇଥିଲା। ପୁଣି ମମତାଙ୍କ କ୍ଷେତ୍ରରେ ଆଦିବାସୀ କାର୍ଡ ବି ଥିଲା। ଆହୁରି ମଧ୍ୟ କେନ୍ଦ୍ରରୁ ସ୍ପଷ୍ଟ କରାଯାଇଥିଲା ଯେ ଟିକେଟ ପାଇ ନିର୍ବାଚନରେ ପରାସ୍ତ ହୋଇଥିବା ନେତାଙ୍କୁ ତତ୍‌କାଳ ରାଜ୍ୟସଭାକୁ ପଠାଯିବା ସମ୍ଭବ ନୁହେଁ। ଟିକେଟ ନ ପାଇ ନିର୍ବାଚନରେ ଦିନରାତି ସାଂଗଠନିକ କାମ କରିଥିବା ଲୋକଙ୍କ କଥା ଆଗକୁ ବିଚାର କରାଯାଇପାରେ। କେନ୍ଦ୍ରରୁ ଏମିତି ଶୁଣିଲା ପରେ ରାଜ୍ୟ ନେତାମାନେ ନିରାଶ ହୋଇଥିଲେ। ଏବେ ମଧ୍ୟ ସମାନ ଢାଞ୍ଚା ଦଳ ଆପଣାଇବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ସୁଜିତ କୁମାରଙ୍କୁ ଦଳ ପୁନର୍ବାର ରାଜ୍ୟସଭାକୁ ପଠାଇପାରେ ବୋଲି କୁହାଯାଉଛି। ତେଣୁ ରାଜ୍ୟସଭା ଆସନ ଖାଲି ହୋଇଥିଲେ ବି ବିଜେପିର ବରିଷ୍ଠ ନେତାଙ୍କ ମହଲରେ ସେତେଟା ଉତ୍ସୁକତା ପ୍ରକାଶ ପାଉ ନାହିଁ। ଏଥର ଲବି କରିବେ କି ନାହିଁ, ତାହାକୁ ନେଇ ମଧ୍ୟ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି। ଯେହେତୁ ଏହି ରଣନୀତି ଦିଲ୍ଲୀରେ କରାଯାଉଛି, ତେଣୁ ରାଜ୍ୟ ନେତାମାନେ ସେତେଟା ସୁରାକ ପାଉନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    40 %
    6.3kmh
    60 %
    Tue
    40 °
    Wed
    43 °
    Thu
    43 °
    Fri
    42 °
    Sat
    41 °

    ସମ୍ବନ୍ଧିତ