ଜୟପୁର : ଭିଜିଲାନ୍ସ ଜାଲରେ ବନ୍ଧା ଡେପୁଟି ରେଞ୍ଜର । ଯେତେ ଖୋଳିଲେ ସେତେ ବାହାରୁଛି ସମ୍ପତ୍ତି । ଉଭା ଯେତେ ପୋତା ସେତେ । ଘରେ ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା । ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ । ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା । ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ହାଲିଆ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ଓ କାର୍ଯ୍ୟାଳୟରେ ରେଡ୍ କରାଯାଇଛି । ଡେପୁଟୀ ରେଞ୍ଜର ନେପାକ ଓ ତାଙ୍କ ପରିବାର ଯାନବାହନ, ଜମି କିଣା ଓ ରିଅଲ ଇଷ୍ଟେଟରେ ଟଙ୍କା ଲଗାଇଥିବା ଜଣାପଡିଛି ।
ଜୟପୁର ସହରରେ ଡେପୁଟୀ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ୩ହଜାର ୬ଶହ ବର୍ଗଫୁଟ ଜମିରେ ଏକ ତିନି ମହଲା କୋଠା ରହିଛି । ସେହିପରି ଭୁବନେଶ୍ବରରେ ତାଙ୍କର ଏକ ଥ୍ରୀ- ବିଏଚକେ ଫ୍ଲାଟ ଠାବ ହୋଇଛି । ଜୟପୁର ସହର ଗୋଲଡେନ ହାଇଟ ରେସିଡେନସିଆଲ ଆପାର୍ଟମେଣ୍ଟରେ ଦୁଇଟି ଟୁ ବିଏଚକେ ଫ୍ଲାଟ ଥିବା ଜଣାଯାଇଛି । ବାବୁଙ୍କର ଏହି ପ୍ଳାଟରେ ଭିଜିଲାନସ ଚଢ଼ାଉ ବେଳେ ଏକ ସିକ୍ରେଟ ଟ୍ରେଜେରୀ ଠାବ ହୋଇଥିଲା । ଯେଉଁଥିରୁ ମିଳିଛି ବିଡ଼ା ବିଡ଼ା ନୋଟ। ଥାକ ଥାକ କରି ନୋଟ ରଖାଯାଇଥିଲା । ଜଙ୍ଗଲ ବାବୁଙ୍କର ସିକ୍ରେଟ ଟ୍ରେଜେରୀରୁ ଏକ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।
ସେହିପରି ଜୟପୁର ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି । କେବଳ ଏତିକିରେ ସରିନାହିଁ ବାବୁଙ୍କର ସଂପତ୍ତି ତାଲିକା । ଜୟପୁର ସହରରେ ତାଙ୍କର ଦୁଇଟି ମୂଲ୍ୟବାନ ପ୍ଲଟ ମଧ୍ୟ ରହିଛି । ତାଙ୍କର ଗୋଟିଏ କାର ଥିବା ଜଣାଯାଇଛି । ଡେପୁଟି ରେଞ୍ଜର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୪ଟି ବ୍ୟାଙ୍କରେ ମୋଟ ୧୦ଟି ଆକାଉଣ୍ଟ ରହିଛି । ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧ କୋଟି ୩୨ ଲକ୍ଷ ୧୯ ହଜାର ଟଙ୍କା ରହିଛି । ତାଙ୍କର ଅନ୍ୟ ଡିପୋଜିଟ ଓ ବୀମା ରାଶିର ଯାଞ୍ଚ କରାଯାଉଛି ।