ରଣଜୀ ଟ୍ରଫିରେ ଇତିହାସ ରଚିଛି ଜମ୍ମୁ-କଶ୍ମୀର । ପ୍ରଥମ ଥର ଦଳ ଫାଇନାଲରେ ପ୍ରବେଶ କରିଛି । ୧୯୫୯-୬୦ରେ ପ୍ରଥମ ଥର ରଣଜୀ ଖେଳିଥିବା ଟିମ୍ ୬୭ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ଏଣ୍ଟ୍ରି କରିଛି । ଦଳ ସେମିଫାଇନାଲରେ ଦୁଇ ଥରର ଚାମ୍ପିଅନ୍ ପଶ୍ଚିମବଙ୍ଗକୁ ୬ ଓ୍ୱିକେଟରେ ହରାଇ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଏହି ମ୍ୟାଚରେ ଜମ୍ମୁର ଦ୍ରୁତ ବୋଲର ଆକିବ ନବୀ ବିଜୟର ହିରୋ ସାଜିଛନ୍ତି । ସେ ଉଭୟ ଇନିଂସରେ ୯ଟି ଓ୍ୱିକେଟ୍ ହାସଲ କରିଛନ୍ତି ।
ଜମ୍ମୁ କଶ୍ମୀର ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପଶ୍ଚିମବଙ୍ଗ ପ୍ରଥମ ଇନିଂସରେ ୩୨୮ ରନ୍ କରିଥିଲା । ଯାହାର ଜବାବରେ ଜମ୍ମୁ କଶ୍ମୀର ଟିମ ପ୍ରଥମ ଇନିଂସରେ ୩୦୨ ରନ୍ କରିଥିଲା । ଫଳରେ ପଶ୍ଚିମବଙ୍ଗ ୨୬ ରନରେ ଆଗୁଆ ରହିଥିଲା । କିନ୍ତୁ ଦ୍ବିତୀୟ ଇନିଂସରେ ୨୫.୧ ଓଭରରେ ପଶ୍ଚିମବଙ୍ଗ ୯୯ରେ ଅଲଆଉଟ ହୋଇଯାଇଥିଲା । ଆଉ ଜମ୍ମୁ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ ଜମ୍ମୁ କଶ୍ମୀର ସହଜରେ ହାସଲ କରିନେଇଛି । ଦ୍ୱିତୀୟ ଇନିଂସରେ ଜମ୍ମୁ ପାଇଁ ଅବ୍ଦୁଲ ସମଦ ଏବଂ ବଂଶଜ ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ । ବଂଶଜ ୪୩ ରନ୍ କରି ନଟ୍ ଆଉଟ୍ ରହିଥିବା ବେଳେ ସମଦ ୩୦ ରନରେ ଅପରାଜେୟ ରହି ଦଳକୁ ଜିତାଇଥିଲେ ।
ତେବେ ଫାଇନାଲରେ ଜମ୍ମୁ କଶ୍ମୀର କର୍ଣ୍ଣାଟକ ସହିତ ମୁହାଁମୁହିଁ ହେବ । ଏହି ଟାଇଟଲ ଜିତିବା ଟିମକୁ ୫ କୋଟି ଟଙ୍କାର ପୁରସ୍କାର ଦିଆଯିବ । ଉପବିଜେତାକୁ ୩ କୋଟି ଟଙ୍କା ମିଳିବ ।

