ଭୁବନେଶ୍ୱର : ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍ପେଣ୍ଡ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଗତ ଶୁକ୍ରବାର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।
ଅଭିଯୋଗକାରୀଙ୍କଠାରୁ ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଅଭିଯୁକ୍ତଦ୍ୱୟଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଏବେ ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ସସପେଣ୍ଡ କରାଯାଇଛି ।
ଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ବାମରାର ଭିକି ନାୟକ ତାଙ୍କର ଏକ ଚାଷଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ମାସେ ତଳେ ଆବେଦନ କରିଥିଲେ । ହେଲେ ଜମିର କିସମ ପରିବର୍ତ୍ତନ କରି ରେକର୍ଡ ଅଫ ରାଇଟ୍ସ (ଆର୍ଓଆର୍) ଦେବା ପାଇଁ ତହସିଲଦାର ଅଶ୍ୱିନୀ ୨୦ ହଜାର ଟଙ୍କା ଦାବି କରିଥିଲେ । ଏତେ ଟଙ୍କା ଦେବାକୁ ଭିକି ଅକ୍ଷମତା ପ୍ରକାଶ କରିବାରୁ ଅଶ୍ୱିନୀ ଲାଞ୍ଚ ଟଙ୍କାକୁ କମାଇ ୧୫ ହଜାର କରିଦେଇଥିଲେ । ଟଙ୍କା ନ ଦେଲେ କାମ ଆଗେଇବ ନାହିଁ ବୋଲି ରୋକଠୋକ କହିଦେଇଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ଭିକି ଭିଜିଲାନ୍ସ ନିକଟରେ ଗୁରୁବାର ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ଅଶ୍ୱିନୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ।