ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ପ୍ରତ୍ୟେକ କୋଠା ଗୋଟିଏ ପ୍ରକାର ଡିଜାଇନ ଏବଂ ରଙ୍ଗ ବ୍ୟବସ୍ଥା କରାଯିବ । ଐତିହ୍ୟସ୍ଥଳ ଓ ପ୍ରାକୃତିକ ଅଞ୍ଚଳ ସଂରକ୍ଷଣ ପାଇଁ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଉଛି । ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ NOC ପ୍ରକ୍ରିୟାକୁ ସମୟସୀମା ଭିତରେ ଶେଷ କରିବା ଉପରେ ଆଲୋଚନା ହୋଇଛି ।
ଯଦି 30 ଦିନ ମଧ୍ୟରେ NOC ମିଳେନାହିଁ ତେଵେ ଆବେଦକ ଗୃହ ନିର୍ମାଣ ସମ୍ପର୍କୀତ ଆବେଦନକୁ ଓଡିଶା ଉନ୍ନୟନ ପ୍ରାଧୀକରଣ ଆଇନ୍ ଅନୁସାରେ ପ୍ଲାନ୍ ଅନୁମୋଦନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ପିକେଡିଏ ଅଧକ୍ଷ କୃଷ୍ନଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ସ୍ୱତନ୍ତ୍ର ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ପିକେଡିଏର 35 ତମ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସେହିପରି ବୈଠକରେ ପୁରୀ ବାଲୁଖଣ୍ଡରେ ପିପିପି ମଡେଲରେ ମଲ୍ଟି ଷ୍ଟୋରେଜ୍ ହାଉସିଂ ପ୍ରକଳ୍ପ, ତାଳବଣିଆକୁ ଟେଣ୍ଡର ପ୍ରକ୍ରିୟା ମଧ୍ୟରେ ପରିଚାଳନା କରିବା, ପିକେଡିଏ ଅଞ୍ଚଳ ଓ ପ୍ରସ୍ତାବିତ ବିସ୍ତାରିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ଏକ ନୂତନ ଓ ସଂଶୋଧିତ ସମ୍ପୂର୍ଣ୍ଣ ଉନ୍ନୟନ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଅନୁମୋଦନ ଦିଆଯାଇଛି । ବୈଠକରେ ଜିଲ୍ଲାପାଳ, ପୁରୀ ପୌରପାଳିକା ପ୍ରଶାସକ ଓ ଟାଉନ ପ୍ଲାନିଂ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

