ପୁରୀ : ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ପୁରୀ ସହରବାସୀଙ୍କ ଧାରଣା । ଅଗଷ୍ଟ ୧୨ରେ ପଶ୍ଚିମ ଦ୍ୱାର ଦେଇ ଆଧାର କାର୍ଡ ଦେଖାଇ ପ୍ରବେଶ ସୁବିଧା ମିଳୁଥିବାବେଳେ ଗତକାଲି ପୋଲିସ ନଛାଡିବାରୁ ଧାରଣାରେ ବସିଛନ୍ତି ସହରବାସୀ । ପୁରୀବାସୀଙ୍କ ପାଇଁ ଏକ ସ୍ଥାୟୀ, ସୁବ୍ୟବସ୍ଥିତ ଓ ସମ୍ମାନଜନକ ଦର୍ଶନ ବ୍ୟବସ୍ଥା ପାଇଁ ଦାବି ହୋଇଛି । ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତି ଓ ପୁରୀବାସୀଙ୍କ ସ୍ଥାୟୀ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଉତ୍କଳ ଦିବସଠାରୁ ପୁରୀ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟହ ଅହିଂସାମୂଳକ ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଜାରି ରହିଛି । ଏହି ଅବିରତ ପଦଯାତ୍ରା ଆଜି ୧୪୧ ଦିନରେ ପହଞ୍ଚିଛି । ଗତ ୧୨ ଅଗଷ୍ଟ, ପବିତ୍ର ଚିତାଲାଗି ଅମାବାସ୍ୟାଠାରୁ ଆଧାର କାର୍ଡ ଦେଖାଇ ପୁରୀବାସୀ ଓ ସତ୍ୟାଗ୍ରହୀ ପଦଯାତ୍ରୀମାନଙ୍କୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶର ଅନୁମତି ମିଳିଥିଲା । ଏଥିରୁ ସ୍ଥାୟୀ ସମାଧାନ ନେଇ ଆଶା ସୃଷ୍ଟି ହୋଇଥିଲା । କିନ୍ତୁ ଗତକାଲି ପଦଯାତ୍ରୀମାନେ ପଶ୍ଚିମ ଦ୍ୱାରରେ ପହଞ୍ଚିବା ପରେ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଅଟକାଯାଇଥିଲା । ଏହାପରେ ସତ୍ୟାଗ୍ରହ ପଦଯାତ୍ରୀମାନେ ପଶ୍ଚିମ ଦ୍ୱାର ସମ୍ମୁଖରେ ଧାରଣାରେ ବସିଛନ୍ତି ।
