ରାଞ୍ଚି : ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ପରୀକ୍ଷା ଓ ନିଯୁକ୍ତିକୁ ବାତିଲ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଜାରି କରିଥିବା ଆଦେଶ ବିରୋଧରେ ଦାଖଲ ହୋଇଥିବା ଏକାଧିକ ଯାଚିକା ଉପରେ ଆଜି ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ ଯାଚିକାକାରୀଙ୍କୁ ଆଶ୍ୱସ୍ତି ଦେଇ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ଅଗଷ୍ଟ ୧୮ ତାରିଖରେ ଏକ ଅଧିସୂଚନା ଜାରି କରିଥିଲେ । ଏଥିରେ ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ଏବଂ ଏକ ବାହ୍ୟ ଏଜେନ୍ସି ଦ୍ୱାରା ଆୟୋଜିତ ୨୨ଟି ନିଯୁକ୍ତି ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଏହାସହ ଆଉ ୨୩ଟି ପରୀକ୍ଷାରେ ଅନିୟମିତତା ହୋଇଛି କି ନାହିଁ, ତାହାର ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ହାଇକୋର୍ଟରେ ଯାଚିକା ଦାଖଲ କରିଥିବା ଅଭ୍ୟର୍ଥୀମାନେ ଯୁକ୍ତି ଦେଇଛନ୍ତି ଯେ, ସରକାର ସେମାନଙ୍କ ପକ୍ଷ ଶୁଣିବା ପୂର୍ବରୁ ଏକତରଫା ଭାବେ ପରୀକ୍ଷା ଓ ଏହା ଆଧାରରେ ହୋଇଥିବା ନିଯୁକ୍ତିକୁ ବାତିଲ୍ କରିଛନ୍ତି । ଅନେକ ଅଭ୍ୟର୍ଥୀ ଚୟନ ପରେ ସରକାରୀ ଚାକିରିରେ ଯୋଗ ଦେଇସାରିଛନ୍ତି ।
ଅଭ୍ୟର୍ଥୀମାନଙ୍କ ଯୁକ୍ତି ଅନୁଯାୟୀ, ଯଦି ଯାଞ୍ଚ ସମୟରେ କୌଣସି ଅଭ୍ୟର୍ଥୀଙ୍କ ଭୂମିକା ସନ୍ଦେହଜନକ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । କିନ୍ତୁ ଯାଞ୍ଚ କିମ୍ବା ଶୁଣାଣି ନକରି ସମସ୍ତ ସଫଳ ଅଭ୍ୟର୍ଥୀଙ୍କ ନିଯୁକ୍ତି ବାତିଲ୍ କରିବା ଠିକ୍ ନୁହେଁ । ସମସ୍ତ ଅଭ୍ୟର୍ଥୀ ନିର୍ଦ୍ଧାରିତ ପ୍ରକ୍ରିୟାରେ ପରୀକ୍ଷା ଦେଇଥିଲେ, ମେରିଟ୍ ତାଲିକାରେ ସ୍ଥାନ ପାଇଥିଲେ ଏବଂ ଏହାପରେ ନିୟମ ଅନୁଯାୟୀ ନିଯୁକ୍ତି ପାଇଥିଲେ । ତେଣୁ କିଛି ଅନିୟମିତତା ପାଇଁ ସମସ୍ତଙ୍କୁ ଦାୟୀ କରିବା ଉଚିତ୍ ନୁହେଁ ବୋଲି ଯାଚିକାକାରୀମାନେ ଦାବି କରିଛନ୍ତି ।
