Thursday, September 19, 2024
25.2 C
Odisha

    ସମସ୍ୟା ଥିଲେ କେମିତି ସମାଧାନ କରିବା ?

    ଆଗକୁ ପଢନ୍ତୁ

    ସମସ୍ୟା ଥିଲେ କେମିତି ସମାଧାନ କରିବା ?

    ଗୋଟିଏ ଗାଁ ରେ ହରି ନାମକ ଖୁବ ଗରିବ ଲୋକଟିଏ ତାର ଦୁଇ ପିଲା ଏବଂ ସ୍ତ୍ରୀ ସହ ରହୁଥାଏ । ଧନ ଅଭାବରୁ ସେ ନିଜ ପରିବାରର ପ୍ରତିପୋଷଣ କରି ପାରୁ ନଥାଏ । ନା ପରିବାରକୁ ମୁଠେ ଖାଇବାକୁ ଦେଇ ପାରେ ନା ନିଜେ ଗଣ୍ଡେ ଖାଇବାକୁ ପାଏ । ଏସବୁ ସମସ୍ୟା କୁ ଦେଖି ସେ ଖୁବ ବିଚଳିତ ହୋଇପଡ଼େ ଓ ଘର ଛାଡି ଚାଲିଯିବାର ନିଷ୍ପତ୍ତି ନିଏ । ଦିନେ ସେ ବଡି ଭୋରରୁ କାହାରିକୁ କିଛି ନକହି ଘରୁ ବାହାରିଗଲା । କିଛି ବାଟ ଗଲା ପରେ ସେ ଦେଖିଲା ଗୋଟେ ଗଛ ମୂଳେ ଜଣେ ବୃଦ୍ଧ ସନ୍ୟାସୀ ଏବଂ ତାଙ୍କ ଶିଷ୍ୟ ବିଶ୍ରାମ ନେଉଛନ୍ତି ।
    ହରି ବୃଦ୍ଧଙ୍କ ପାଖକୁ ଗଲା ଏବଂ ତାଙ୍କ ପାଦ ନିକଟରେ ପ୍ରଣାମ କରି କହିଲା, “ହେ ମହାତ୍ମା ! ମୁଁ ଆପଣଙ୍କ ଶରଣ ଗଲି । ମୋତେ ଆପଣଙ୍କ ଶିଷ୍ୟ ହେବାର ସୌଭାଗ୍ୟ ପ୍ରଦାନ କରନ୍ତୁ । ଏହା ଶୁଣି ସାଧୁ ମହାତ୍ମା ହରିକୁ ତାଙ୍କ ସହିତ ରହିବା ପାଇଁ ଅନୁମତି ଦେଲେ । କିଛି ସମୟ ବିଶ୍ରାମ ନେବା ପରେ ସମସ୍ତେ ପୁଣି ବାହାରିଲେ । କିଛି ବାଟ ଯିବା ପରେ ସାଧୁ ଙ୍କୁ ଶୋଷ ଲାଗିଲା । ସେ ହରି କୁ କହିଲେ “ତୁମେ ଯାଇ ମୋ ପାଇଁ କେଉଁଠୁ ମୁନ୍ଦାଏ ପାଣି ନେଇ ଆସ । ବହୁତ ଶୋଷ ଲାଗୁଛି ।“ ଏହା ଶୁଣି ହରି ପାଣି ସନ୍ଧାନରେ ବାହାରିଗଲା । କିଛି ବାଟ ଯାଇ ଦେଖିଲା ଏକ ନଦୀ ଅଛି ଓ ସେଇ ନଦୀରେ କିଛି ପିଲା ଗାଧୋଉଛନ୍ତି । ନଦୀର ପାଣି ଖୁବ ଗୋଳିଆ ହୋଇଥିବାର ଦେଖି ସେ ସେଠାରୁ ଖାଲି ହାତରେ ଫେରିଆସିଲା । ସାଧୁ ହରିକୁ ଖାଲି ହାତରେ ଫେରି ଆସିବାର ଦେଖି ତା’ର କାରଣ ପଚାରିବାକୁ ହରି କହିଲା, “ଗୁରୁଦେବ ସେ ନଦୀ ରେ କିଛି ପିଲା ଗାଧୋଉ ଥିବାରୁ ନଦୀର ପାଣି ଅପରିଷ୍କାର ହୋଇ ଯାଇଥିଲା । ତାହା ପିଇବା ଯୋଗ୍ୟ ନଥିଲା । ତେଣୁ ମୁଁ ପାଣି ନନେଇ ଚାଲି ଆସିଲି ।“ ସାଧୁ କହିଲେ, “ ହଉ ଠିକ୍ ଅଛି, ତୁମେ ବସିଯାଅ ।“
    କିଛି ସମୟ ପରେ ସାଧୁ ପୁଣି କହିଲେ,” ହରି ! ଏବେ ଯାଅ ସେହି ନଦୀରୁ ପାଣି ନେଇ ଆସ ।“ ହରି ସେ ନଦୀ ପାଖକୁ ଯାଇ ଦେଖେ ତ ନଦୀର ପାଣି କାଚକେନ୍ଦୁ ଭଳି ପରିଷ୍କାର ହୋଇଯାଇଛି । ସେ ପାଣି ନେଇ ମହାତ୍ମାଙ୍କ ପାଖକୁ ଚାଲି ଆସିଲା । ହରି ସାଧୁଙ୍କୁ ପାଣି ଦେଇ ପଚାରିଲା, “ହେ ମହାତ୍ମା ! ଏତେ ଗୋଳିଆ ଓ ଅପରିଷ୍କାର ପାଣି କାଚକେନ୍ଦୁ ଭଳି ପରିଷ୍କାର ହୋଇଯିବା ପଛରେ ରହସ୍ୟ କଣ ?” ସାଧୁ ମହାତ୍ମା କହିଲେ, “ଏହି ରହସ୍ୟର ନାମ ହେଉଛି ଧର୍ଯ୍ୟ ଓ ଅପେକ୍ଷା । ଯେତେବେଳେ ପିଲା ମାନେ ନଦୀରେ ଗାଧୋଉଥିଲେ, ସେତେବେଳେ ତଳୁ ଅଳିଆ ଓ ମାଟି ସବୁ ଉପରକୁ ଉଠି ନଦୀ ଜଳକୁ ଅପରିଷ୍କାର କରୁଥିଲା । ପିଲାମାନେ ଗାଧୁଆ ସାରି ଯିବାର କିଛି ସମୟ ପରେ ଅଳିଆ ଅସନା ସବୁ ତଳକୁ ବସିଯିବାରୁ ଜଳ ପୁଣିଥରେ ସ୍ୱଚ୍ଛ ହୋଇ ଗଲା । ଠିକ ଯେମିତି ଆମ ଜୀବନର ସମସ୍ୟା ଓ ଦୁଃଖ ସବୁ ଆମ ଜୀବନ ନଈରେ ଉପରକୁ ଉଠି ଆସିଲେ ଆମର ମନ ଗୋଳିଆ ହୋଇଯାଏ ଓ ବୁଦ୍ଧି ଲୁଚିଯାଏ । ଏହି ସମୟରେ ଧୈର୍ଜ୍ୟହରା ହୋଇ ଆମେ କିଛି ଭୁଲ ନିଷ୍ପତ୍ତି ନେଇଯାଆନ୍ତି, ଯାହା ଆମ ଜୀବନକୁ ପୁରା ନଷ୍ଟ କରିଦିଏ । ମାତ୍ର ମନ ଗୋଳିଆ ଥିବା ସମୟରେ ଧୈର୍ଯ୍ୟ ରଖି ସ୍ଥିର ରହିଲେ କିଛି ସମୟ ପରେ ମନ ନିର୍ମଳ ହୋଇଯାଏ । ମନ ସଫା ଥିଲେ ଆମ ବୁଦ୍ଧି ଠିକ ଭାବରେ କାମ କରେ ଏବଂ ଆମେ ଜୀବନରେ ଠିକ ନିଷ୍ପତ୍ତି ନେଇଥାନ୍ତି । ସେଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ପଡିବ ମନ ଶାନ୍ତ ହେବା ଯାଏଁ ।
    ସାଧୁ ମହାତ୍ମାଙ୍କ ଏହି ଉପଦେଶ ହରିକୁ ବଦଳାଇ ଦେଲା । ସେ ନିଜର ସମସ୍ତ କଥା ମହାତ୍ମାଙ୍କୁ କହି ଭୁଲ୍ ମାଗିଲା । ସବୁ କଥା ଶୁଣି ସାଧୁ ମହାତ୍ମା ତାକୁ କିଛି ଟଙ୍କା ଦେଲେ ଏବଂ ସେହି ଟଙ୍କାରେ କିଛି ବ୍ୟବସାୟ କରିବା ପାଇଁ କହିଲେ । ହରି ସେହି ପଇସାକୁ ନେଇ ନିଜ ଘରକୁ ଫେରିଗଲା । ଧୈର୍ଯ୍ୟର ସହିତ ବୁଦ୍ଧି ଖଟାଇ ବ୍ୟବସାୟ କଲା ଏବଂ ଖୁବ କମ ଦିନ ମଧ୍ୟରେ ଅନେକ ଉନ୍ନତି କରି ପାରିଲା । ସାଧୁ ମହାତ୍ମାଙ୍କ ଉପଦେଶ ହରି ପାଇଁ ବରଦାନ ସଦୃଶ କାମ କଲା ।

    ଏହି କାହାଣୀରୁ ଆମେ ଏକଥା ଶିଖିଲୁ ଯେ ଜୀବନରେ କୌଣସି ବି ସମସ୍ୟା ଆସିଲେ ଯଦି ଆମେ ଧୈର୍ଯ୍ୟର ସହ ଶାନ୍ତ ମନରେ ତାକୁ ସମାଧାନ କରିବା ,ତାହେଲେ ସବୁ କିଛି ଠିକ୍ ହୋଇଯିବ । କାହାଣୀଟି ଭଲ ଲାଗିଥିଲେ ଲାଇକ କରିବାକୁ ଭୁଲିବେନି । ନିଜ ସାଙ୍ଗସାଥି ଙ୍କ ସହ ଶେୟାର କରିବାକୁ ଅନୁରୋଧ କରି ରହୁଛୁ , ନମସ୍କାର । ଜୟ ଜଗନ୍ନାଥ ।

    Written By- ପ୍ରଜ୍ଞା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ