ବାଲେଶ୍ବର: ପୋଖରୀରୁ ଜଳ ନିଷ୍କାସନକୁ ନେଇ ସରପଞ୍ଚଙ୍କ ସ୍ବାମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ବର୍ଷା ଦିନେ ପୋଖରୀରୁ ଜଳ ନିଷ୍କାସନ ହେଉ ନଥିବାରୁ ଲୋକଙ୍କ ଘରେ ପଶିଛି ପାଣି । ଜଳ ନିଷ୍କାସନ ପାଇଁ ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନମିଳିବାରୁ ଆଜି ଏଭଳି କାର୍ଯ୍ୟ କରିଛନ୍ତି ଗାଁ ଲୋକେ । ବାଲିଆପାଳ ପଞ୍ଚାୟତର ସରପଞ୍ଚ ବନଲତା ଦାସଙ୍କ ସ୍ବାମୀ ହେମନ୍ତ ଦାସଙ୍କୁ ଦଉଡିରେ ବାନ୍ଧି ପକାଇଲେ ଗ୍ରାମବାସୀ ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ବାଲେଶ୍ବର ଜିଲ୍ଲା ବାଲିଆପାଳ ପଞ୍ଚାୟତର ସାତ ନମ୍ବର ୱାର୍ଡରେ ଥିବା ପଦ୍ମ ପୋଖରୀରୁ ବର୍ଷା ପାଣି ନିଷ୍କାସନ ପାଇଁ ଦୀର୍ଘ ଦିନ ଧରି ହରିଜନ ସାହିର ଲୋକମାନେ ସରପଞ୍ଚଙ୍କ ସମେତ ତହସିଲଦାର,ବିଡ଼ିଓଙ୍କୁ କହିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିଲେ । ଏଠାରେ ବସବାସ କରୁଥିବା ୫୦ ରୁ ଉର୍ଧ୍ବ ପରିବାର ତିନି ମାସ ହେଲା ଜଳମଗ୍ନ ହୋଇ ବହୁ ହଇରାଣ ହରକତ ହେଉଛନ୍ତି । କାହାକୁ ସାପ କାମୁଡୁଛି ତ କିଏ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ଗାଁ ଲୋକେ ବାରମ୍ବାର ସରପଞ୍ଚ, ବିଡ଼ିଓଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ ।
ଆଜି ସରପଞ୍ଚଙ୍କ ସ୍ୱାମୀ ହେମନ୍ତ ଦାସ ଲିଜ ନେଇଥିବା ପଦ୍ମ ପୋଖରୀରେ ଛାଡ଼ିଥିବା ମାଛ ଦେଖିବା ପାଇଁ ଆସିଥିବା ବେଳେ ଗାଁର ଶତାଧିକ ମହିଳା ତାଙ୍କୁ ଜଳ ନିଷ୍କାସନ ବାବଦରେ ପଚାରିଥିଲେ । ହେଲେ ସରପଞ୍ଚଙ୍କ ସ୍ବାମୀ ଠିକ୍ ରେ ଉତ୍ତର ନଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମହିଳାଙ୍କ ଆକ୍ରୋଶର ଶିକାର ହୋଇଥିଲେ । ମହିଳାମାନେ ସରପଞ୍ଚଙ୍କ ସ୍ବାମୀ ହେମନ୍ତ ଦାସଙ୍କୁ ଦଉଡିରେ ବାନ୍ଧିପକାଇଥିଲେ । ଯେପର୍ଯ୍ୟନ୍ତ ପାଣି ନିଷ୍କାସନ ନହୋଇଛି ଶ୍ରୀ ଦାସଙ୍କୁ ଛଡା ଯିବ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ । ପରେ ଘଟଣା ସ୍ଥଳରେ ବାଲିଆପାଳ ତହସିଲଦାର ଏବଂ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ସରପଞ୍ଚ ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇଥିଲା ।