ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜକୁ ୪-୧ରେ ବାଜି ମାରିନେଇଛି ଟିମ୍ ଇଣ୍ଡିଆ। ସୂର୍ଯ୍ୟକୁମାର ଯାଦବଙ୍କ ନେତ୍ତ୍ବରେ ଟିମ୍ ୫ମ ତଥା ଶେଷ ମ୍ୟାଚକୁ ୪୬ ରନରେ ଜିତିଛି । ଭାରତୀୟ ଟିମର ପ୍ରଥା ରହିଛି କି, ସିରିଜ ଜିତିବା ପରେ ସେଲିବ୍ରେସନ ପାଇଁ ଟ୍ରଫି ଟିମର ସବୁଠାରୁ ଛୋଟ କିମ୍ବା ସିରିଜରେ ଡେବ୍ୟୁ କରିଥିବା ଖେଳାଳିଙ୍କ ହାତରେ ଦିଆଯାଏ । ଏମଏସ ଧୋନି ଏହି ପ୍ରଥାକୁ ଆରମ୍ଭ କରିଥିଲେ, ଯାହାକୁ ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ପାଳନ କରୁଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଈଶାନ କିଶନଙ୍କୁ ଟ୍ରଫି ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ।
ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଜିତିବା ପରେ ଟିମ୍ ଇଣ୍ଡିଆର ଏକ ଭିଡିଓ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛି । ଏହି ଭିଡିଓରେ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନରେ ଟ୍ରଫି ନେବା ପରେ ସୂର୍ଯ୍ୟକୁମାର ଯାଦବ ଟିମ ଆଡକୁ ବଢିଛନ୍ତି । ରିଙ୍କୁ ସିଂ ସୂର୍ଯ୍ୟକୁମାରଙ୍କୁ ଟ୍ରଫି ମାଗିଛନ୍ତି, କିନ୍ତୁ ସୂର୍ଯ୍ୟକୁମାର ଦେବାକୁ ମନା କରିଦେଇଥିଲେ । ଆଉ କଡ଼ରେ ଥିବା ଈଶାନ କିଶନଙ୍କୁ ଟ୍ରଫି ଦେଇଥିଲେ । ଈଶାନ କିଶନ ଏବଂ ରିଙ୍କୁ ସିଂ ମିଶି ଟ୍ରଫି ଉଠାଇ ଉତ୍ସବ ପାଳନ କରିଥିଲେ ।
ଈଶାନ କିଶନ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି୨୦ ମ୍ୟାଚରେ ୧୦୩ ରନ କରିଥିଲେ । ଏଥିରେ ସେ ୧୦ଟି ଛକା ମାରିଛନ୍ତି । ଈଶାନଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡକୁ ୨୭୨ ରନର ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ଯାହାକୁ ପିଛା କରି କିୱି ଦଳ ୨୨୫ ରନରେ ଅଲଆଉଟ ହୋଇଯାଇଥିଲା । ଏହି ଇନିଂସ ପାଇଁ ଈଶାନ କିଶନଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଆୱାଡର୍ ମଧ୍ୟ ମିଳିଛି ।

