ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ ବିଚାରପତିଙ୍କ ସଂଖ୍ୟା ୩୮ ହେବ । ସରକାର ଖୁବଶୀଘ୍ର ସଂସଦରେ ‘ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬’ ଆଗତ କରିବେ ।
କୋର୍ଟରେ ପଡ଼ି ରହିଥିବା ହଜାର ହଜାର ମାମଲାର ଶୀଘ୍ର ସମାଧାନ କରିବା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଶେଷଥର ପାଇଁ ୨୦୧୯ରେ ବିଚାରପତିଙ୍କ ସଂଖ୍ୟା ୩୧ରୁ ୩୩କୁ ବୃଦ୍ଧି କରାଯାଇଥିଲା । ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ବିଲ ଆଗତ ହେବ । ସଂସଦର ଉଭୟ ଗୃହରେ ବିଲ ପାରିତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ମୋହର ପାଇ ଆଇନରେ ପରିଣତ ହେବ । ୧୯୫୬ ପରଠାରୁ ସୁପ୍ରିମ କୋର୍ଟଙ୍କ କ୍ଷମତା ବୃଦ୍ଧି ପାଇଁ ଏହା ସପ୍ତମ ସଂଶୋଧନ । ଏହି ପଦକ୍ଷେପ ଦ୍ୱାରା ସାଧାରଣ ଜନତାଙ୍କୁ ଶୀଘ୍ର ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି ।
