ଭୁବନେଶ୍ୱର : ସର୍ବ ଭାରତୀୟ ଚେସ୍ ଫେଡେରେସନ (ଏଆଇସିଏଫ) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଭାରତୀୟ ଟେନିସ୍ ତାରକା, ଅଲିମ୍ପିଆନ୍ ଏବଂ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ବିଜେତା ଲିଆଣ୍ଡର ପେସ୍ କହିଲେ, ଶିକ୍ଷା ଏବଂ କ୍ରୀଡ଼ା ଶିକ୍ଷା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୋଣ ଅନନ୍ୟ । କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ ଅତି ଉତ୍କୃଷ୍ଟ । ଭାରତରେ କ୍ରୀଡ଼ା କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏହି ପରିପ୍ରେକ୍ଷୀରେ କିଟ୍ ଓ କିସ୍ ର କ୍ରୀଡ଼ାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବା ତାଙ୍କର ଦାୟିତ୍ୱ ବୋଲି ଲିଆଣ୍ଡର ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟତମ ଅତିଥି ମହାରାଷ୍ଟ୍ରର ପୁନେସ୍ଥିତ ଚେସ୍ ଇନ୍ ସ୍କୁଲ (ଫିଡେ)ର କମିଶନର ତଥା ଜିଏମ ଅଭିଜିତ କୁନ୍ତେ, ଶ୍ରୀ ସାମନ୍ତଙ୍କୁ ତାଙ୍କର ଦୃଷ୍ଟିକୋଣ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଭାରତର ପୂର୍ବ ଭାଗରେ ଏକ ଅନ୍ତର୍ଜାତୀୟ ଚେସ୍ ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ରହିବ ବୋଲି ୧୬ ବର୍ଷ ପୂର୍ବେ, ଅଚ୍ୟୁତ ସାମନ୍ତ ଚିନ୍ତା କରିପାରିଥିଲେ । ଏଭଳି ଅନ୍ତର୍ଜାତୀୟ ଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଏକ ସହଜ କାମ ନୁହେଁ । ମାତ୍ର ଦୀର୍ଘ ୧୫ ବର୍ଷ ଧରି ନିରନ୍ତର ଏହି ଟୁର୍ଣ୍ଣାମେଣ୍ଟ କିଟ୍ରେ ଆୟୋଜନ କରାଯାଇଆସୁଥିବାରୁ ଶ୍ରୀ ସମନ୍ତଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।
ଏହି ଅବସରରେ ଏଆଇସିଏଫର ପୂର୍ବତନ ଉପାଧ୍ୟକ୍ଷ ଭବେଶ ଭାଇ ପଟେଲ କହିଲେ, ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକ ପାଣ୍ଠି, ବିପୁଳ ଭିତ୍ତିଭୂମି ସହ ଆୟୋଜକଙ୍କ ଏକ ବିଶାଳ ହୃଦୟ ରହିବା ଆବଶ୍ୟକ । ଅଚ୍ୟୁତ ସାମନ୍ତଙ୍କଠାରେ ସେଭଳି ସାହସ ଓ ଇଚ୍ଛା ଶକ୍ତି ରହିଥିବା ସେ ପ୍ରକାଶ କରିଥିଲେ । ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ଓଡ଼ିଶାର ନୁହେଁ ଭାରତର ମଧ୍ୟ ଗର୍ବ ବୋଲି ସେ କହିଥିଲେ । ଶ୍ରୀ ସାମନ୍ତ କହିଲେ, ଚେସରେ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ କିଟ୍ ଓ କିସ୍ର ଉଲ୍ଲେଖନୀୟ ଅବଦାନ ରହିଛି । କିଟ୍ ଓ କିସ୍ ଭାରତର ଏକମାତ୍ର ଅନୁଷ୍ଠାନ ଯେଉଁଠି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ସର୍ବୋତ୍ତମ ତାଲିମ ସୁବିଧା ରହିଛି । ଆଗାମୀ ବର୍ଷରେ ଏହାର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ ।
୧୬ତମ କିଟ୍ ଆନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ଭାରତ ସମେତ ୪୨ଟି ଦେଶର ଅନ୍ତର୍ଜାତୀୟ ଆର୍ବିଟର, ଅନ୍ତର୍ଜାତୀୟ ମାଷ୍ଟର ଏବଂ ଗ୍ରାଣ୍ଡମାଷ୍ଟର ସମେତ ୧୨ଶହ ଖେଳାଳି ଅଂଶଗ୍ରହଣ କରିଛନ୍ତି । କୌଣସି ଅନ୍ତର୍ଜାତୀୟ ଚେସ୍ ଟୁର୍ଣ୍ଣାମେଣ୍ଟରେ ୪୨ ଦେଶର ଖେଳାଳି ଯୋଗଦେବା ପ୍ରଥମ । ମୋଟ ପୁରସ୍କାର ରାଶି ରହିଛି ୬୦ ଲକ୍ଷ । ଏହା ଭାରତରେ କୌଣସି ଚେସ୍ ଇଭେଣ୍ଟରେ ପ୍ରଦାନ କରାଯାଇଥିବା ଦ୍ୱିତୀୟ ସର୍ବାଧିକ ପୁରସ୍କାର ରାଶି । ମୋଟ ୪୩୬ଟି ପୁରସ୍କାର ତିନୋଟି ବର୍ଗରେ ବଣ୍ଟନ କରାଯିବ । ‘ଏ’ ବର୍ଗରେ ମୋଟ ୩୦ଲକ୍ଷ ଟଙ୍କା,୧୯୦୦ରୁ କମ୍ ରେଟେଡ଼୍ ଥିବା ‘ବି’ ବର୍ଗ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।