Wednesday, April 15, 2026
34.3 C
Odisha

    ୨୧ରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ରାଉରକେଲା  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ରାଉରକେଲା ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ଏହା ହେବ ତାଙ୍କ ପ୍ରଥମ ଆଗମନ। ସେ ଏଠାରେ ୫ ଘଣ୍ଟା ରହିବେ। ଏହି ପାଞ୍ଚ ଘଣ୍ଟାର ରହଣିରେ ରାଷ୍ଟ୍ରପତି ୧୫୮ କୋଟିର ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟନ କରିବେ। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସ୍ଥାନୀୟ ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସ୍ଥାନୀୟ ବିଜେପି ଜିଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ ସୂଚନା ଦେଇ କହିଛନ୍ତି ଯେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡ଼ାରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ରାଉରକେଲା ଆସି ଦିନ ପ୍ରାୟ ୧୧.୧୦ରେ ପହଞ୍ଚି ଅପରାହ୍ନ ୪ରେ ବିଦାୟ ନେବେ। ଏହି ୫ ଘଣ୍ଟାର ରହଣି କାଳରେ ସେ ପାନପୋଷ ହକି ଛକ ପାଖରେ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଓ ସେହି ପରିସରରେ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ଉଦ୍‌ଘାଟନ କରିବେ।

    ଛେଣ୍ଡ କଲୋନୀ ବିଏସ୍‌ଏନ୍‌ଏଲ୍‌ ଛକରେ ୨୭ କୋଟି ଟଙ୍କାର ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମକୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ। କୋଏଲନଗରରେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଏଲ ନଦୀ କୂଳ ମନୋରଞ୍ଜନ ପାର୍କକୁ ମଧ୍ୟ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ। ସେକ୍ଟର-୧୩ ମେଲଣ ପଡ଼ିଆରେ ଏକ ସାର୍ବଜନୀନ ସଭାକୁ ସେ ସମ୍ବୋଧନ କରିବେ। ଏହି ସମାବେଶରେ ସୁନ୍ଦରଗଡ଼ ଜିଲାର ୧୦ ହଜାରରୁ ଅଧିକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗଦେବେ। ୩୫ରୁ ଅଧିକ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ବୀରବିତ୍ରପୁରର ପୂର୍ବତନ ବିଧାୟକ ଶଙ୍କର ଓରାମ, ବରିଷ୍ଠ ନେତ୍ରୀ ପ୍ରମିଳା ଦାସ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ବ୍ୟକ୍ତିଗତ ସହାୟିକା ଖୁସ୍‌‌ବୁ ଯାଦବ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ