Thursday, September 3, 2026
25.7 C
Odisha

    ୨୩ ସେପ୍ଟେମ୍ବରରେ ରତ୍ନଭଣ୍ଡାର ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ । ଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ, ପୂର୍ବାହ୍ନ ୧୦ ଘଟିକା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ ।

    ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ ।

    ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଶ୍ରଦ୍ଧାଳୁମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି।
    ୧. ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ ଉଦ୍ଦେଶ୍ଯରେ ଗତ ବର୍ଷ (୨୦୨୪) ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲେ । ଏହାକୁ ରାଜ୍ୟ ସରକାର ଅନୁମୋଦନ ଦେବା ସହିତ ପରିଚାଳନା କମିଟିକୁ ସହଯୋଗ ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସମଗ୍ର ପ୍ରକ୍ରିୟା ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଥିଲେ ରାଜ୍ୟ ସରକାର।

    ୨. ଗତ ୨୦୨୪ ମସିହା ଶ୍ରୀଗୁଣ୍ଡିଚାଯାତ୍ରା ସମୟରେ ସନ୍ଧ୍ୟା ଦର୍ଶନ ଦିନ, ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ବାହାର ଭଣ୍ଡାର ଭାବରେ ଚାଙ୍ଗଡ଼ା ଘର କୁ ସ୍ଥାନାନ୍ତରିତ ହୋଇଥିଲା। ଏହାପରେ ଭିତର ରତ୍ନଭଣ୍ଡାର ବହୁବର୍ଷ ପରେ ଖୋଲାଯାଇଥିଲା। ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାରର ତାଲା ନ ଖୋଲିବାରୁ ମାର୍ଗଦର୍ଶିକା ଅନୁସାରେ, ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ କମିଟିର ଅଧିକୃତ ସଦସ୍ୟ ମାନେ। କିନ୍ତୁ ସେଦିନ ଭିତର ଭଣ୍ଡାର ଅଳଙ୍କାର ତଥା ସାମଗ୍ରୀ ଗୁଡିକର ସ୍ଥାନାନ୍ତର ସମୟ ସାପେକ୍ଷ ତଥା ପରଦିନ ବାହୁଡା ଯାତ୍ରା ରହିଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଜୁଲାଇ ୧୮ ତାରିଖ, ୨୦୨୪, ଅଧର ପଣା ଦିନ ପୁଣି ଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭିତର-ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ମାତ୍ର ଦଶ ଫୁଟ ଦୂରତା ମଧ୍ୟରେ ରହିଥିବା ଖଟଶେଜ ଘରକୁ ସ୍ଥାନାନ୍ତର କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସମସ୍ତ କାର୍ଯ୍ୟ ସମାପନ ହେବା ସହ ତାଲା ବନ୍ଦ ସିଲ୍ କରାଯାଇ ଚାବିକୁ ଟ୍ରେଜେରୀରେ ରଖାଯାଇଥିଲା। କମିଟିର ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ, ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ ହୋଇଥିଲା।

    ୩. ଏହା ପରେ ତା ୨୩-୦୮-୨୦୨୪ ରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଉଭୟ ଭଣ୍ଡାରର ଖାଲି ଥିବା ଆଲମିରା ତଥା ସିନ୍ଦୁକ ଗୁଡିକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ପରିସରସ୍ଥ ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟସ୍ଥ କୋଠରୀରେ ରଖାଯାଥିଲା । ପୂର୍ବୋକ୍ତ ସମସ୍ତ ଦିନର ପ୍ରକ୍ରିୟାକୁ ମଧ୍ଯ ଭିଡିଓଗ୍ରାଫି କରାଯାଇଥିଲା ।

    ୪. ପରବର୍ତ୍ତୀ ସୋପାନ ଥିଲା ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ । ସେପ୍ଟେମ୍ବର ମାସ ୧୮ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ) ପକ୍ଷରୁ ରତ୍ନଭଣ୍ଡାରର ପ୍ରାଥମିକ ନିରୀକ୍ଷଣ କରାଯାଇଥିଲା । ଏହାପରେ ସେପ୍ଟେମ୍ବର ୨୧ ଏବଂ ୨୨ ତାରିଖ ଦୁଇଦିନ ଧରି ଏ.ଏସ୍.ଆଇ ପକ୍ଷରୁ ରତ୍ନଭଣ୍ଡାରର ବିସ୍ତୃତ ବୈଜ୍ଞାନିକ ବୈଷୟିକ ସର୍ଭେ କରାଯାଇଥିଲା। ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାରର କୌଣସି ଅଦୃଶ୍ୟ ଚାମ୍ବର, ଜିନିଷ ରଖିବା ସ୍ଥାନ, ଭୂମିତଳେ ସୁଡଙ୍ଗ ଆଦିର ସମ୍ଭାବନାକୁ ନଜରରେ ରଖି ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଏ.ଏସ୍.ଆଇ ପକ୍ଷରୁ ବୈଜ୍ଞାନିକ ଉପାୟରେ କରାଯାଇଥିବା ସର୍ଭେ ପାଇଁ ଯନ୍ତ୍ରପାତି ବ୍ୟବହାର କଲାବେଳେ ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରିବାକୁ କୁହାଯାଇଥିଲା, ଯାହାକୁ ଅନୁପାଳନ କରି ଏ.ଏସ୍.ଆଇ ପକ୍ଷରୁ ସର୍ଭେ କରାଯିବା ସହ ରିପୋର୍ଟ ଦାଖଲ ହୋଇଥିଲା ।

    ୫. ଏ.ଏସ୍.ଆଇର ବୈଜ୍ଞାନିକ ସର୍ଭେ ରିପୋର୍ଟ ଆଧାରରେ, ୨୦୨୪ ମସିହା ଡିସେମ୍ବର ୧୭ ତାରିଖ ଠାରୁ ଶ୍ରୀଜିଉଙ୍କ ନୀତିବହୁଳ ଦିନ ଗୁଡିକୁ ଛାଡି ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ ନିୟମିତ ହୋଇଥିଲା। ଏହି କାର୍ଯ୍ୟ ଜୁଲାଇ ୭, ୨୦୨୫ ତାରିଖ ଦିନ ଶେଷ ହୋଇଥିଲା। ଦୀର୍ଘ ୯୫ ଦିନ ଧରି ପ୍ରାୟ ୩୩୩ ଘଣ୍ଟା ଧରି ଏହି ସଂରକ୍ଷଣ କାର୍ଯ୍ୟ ଏ.ଏସ୍.ଆଇ ପକ୍ଷରୁ ସମ୍ପାଦିତ ହୋଇଥିଲା।

    ୬. ଏହା ପରେ ନବଗଠିତ ପରିଚାଳନା କମିଟିର ରତ୍ନଭଣ୍ଡାର ସବ-କମିଟି ନିଷ୍ପତ୍ତି ଅନୁସାରେ, ମଂଗଳବାର- ସେପ୍ଟେମ୍ବର ୨୩ ତାରିଖରେ ସମସ୍ତ ଅଳଙ୍କାର ତଥା ସାମଗ୍ରୀ, ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ରୁ ସଂରକ୍ଷିତ ହୋଇ, ନୂଆ ରୂପ ପାଇଥିବା ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବାକୁ ଯାଉଅଛି।

    ୭. ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତ ପ୍ରକ୍ରିୟା ସ୍ବଚ୍ଛତା ଓ ସରକାରଙ୍କ ମାର୍ଗଦର୍ଶିକା ଅନୁରୂପ ସମ୍ପାଦିତ ହୋଇ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    77 %
    2.6kmh
    93 %
    Thu
    25 °
    Fri
    29 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ