Sunday, September 13, 2026
24.4 C
Odisha

    ପିସିସି ସଭାପତି ପାଇଁ ୪ଜଣଙ୍କ ନାମ ସୁପାରିସ!

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆମୂଳଚୂଳ ପରିବର୍ତ୍ତନ ହେବ। ଏଥି ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଦିନ ତଳେ ଏଆଇସିସି ମୁଖ୍ୟାଳୟ‌ରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରୁ ଏଭଳି କିଛି ଆଭାସ ମିଳିଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ମଲିକାର୍ଜୁନ ଖଡ୍‌ଗେ ଦେଶରେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଏ‌ହାକୁ ଭିତ୍ତି କରି ରାଜ୍ୟମାନଙ୍କରେ ଦୀର୍ଘକାଳୀନ ‌ଯୋଜନା ପ୍ରସ୍ତୁତ କରି ଜୋର୍‌ଦାର ଲଢ଼େଇ ପାଇଁ କଂଗ୍ରେସ ପ୍ରସ୍ତୁତ ହେବ।
    ଏହି ମର୍ମରେ ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ଏଆଇସିସି ନକ୍ସା ପ୍ରସ୍ତୁତ କରିଥିବା ଚର୍ଚ୍ଚ‌ା ହେଉଛି। ରାଜ୍ୟରେ କଂଗ୍ରେସର ମୁଖିଆ ଚୟନ ପାଇଁ ଗତ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ବରିଷ୍ଠ  କଂଗ୍ରେସ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ। ଏମାନେ ଇତିମଧ୍ୟରେ କଂଗ୍ରେସ ହାଇକମାଣ୍ଡଙ୍କୁ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି।
    ମିଳିଥିବା ସୂଚନା ଅନୁସାରେ ଉକ୍ତ ଦୁଇ ଜଣିଆ କମିଟି ରିପୋର୍ଟରେ ନୂତନ ପିସିସି ସଭାପତି ନିଯୁକ୍ତି ପାଇଁ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟ, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିଙ୍କ ସହିତ ଆଲୋଚନା କରିବା ପରେ ନୂତନ ପିସିସି ସଭାପତି ପାଇଁ ଏସ୍‌ସି,ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ବର୍ଗରୁ ଚାରିଜଣଙ୍କ ନାମକୁ ସୁପାରିସ କରିଥିବା ଜଣାପଡିଛି। ଚର୍ଚ୍ଚା ଅନୁସାରେ ଓଡ଼ିଶା ପାଇଁ ଏଥର ନୂତନ ପିସିସି ସଭାପତି ଘୋଷଣା ପୂର୍ବରୁ ପ୍ରଥମେ ପ୍ରଭାରୀଙ୍କ ନିଯୁକ୍ତି ହେବ। ବର୍ତ୍ତମାନ ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସି ପ୍ରଭାରୀ ଡ. ଅଜୟ କୁମାରଙ୍କୁ ଦାୟିତ୍ବରୁ  ହଟାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୨୦୨୪ ସାଧାରଣ ନିର୍ବାଚନ ତଥା ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଜୟ କୁମାରଙ୍କ ଦୁର୍ବଳ ନେତୃତ୍ବକୁ ଦୋଷଦେଇ ଓଡ଼ିଶାର ଅନେକ ଅସନ୍ତୁଷ୍ଟ କଂଗ୍ରେସ ନେତା  ପ୍ରଭାରୀ ପଦରୁ ଅଜୟ କୁମାରଙ୍କୁ ହଟାଇବା ପାଇଁ ଫେରାଦ ହୋଇଥିଲେ। ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅଜୟ କୁମାର ବୃହତ୍‌ ଭୋଟ ବ୍ୟବଧାନରେ ନିର୍ବାଚନ ହାରିବା ପରେ ଶ୍ରୀ କୁମାରଙ୍କୁ ପ୍ରଭାରୀ ପଦରୁ ହଟାଇବା ଅସନ୍ତୁଷ୍ଟ ନେତାଙ୍କ ଅଭିଯାନକୁ ବଳ ମିଳିଛି।
    କେବଳ ସେତିକି ନୁହେଁ ଗତ ଛଅ ମାସ ହେଲା ଶ୍ରୀ କୁମାର ପ୍ରଭାରୀ ଭାବେ ରାଜ୍ୟରେ ଦଳକୁ କ୍ରିୟାଶୀଳ କରିବା ପାଇଁ ସେ ଭଳି କିଛି ବଡ଼ଧରଣର ଗତିବିଧିରେ ସାମିଲ ହୋଇନାହାନ୍ତି। ଏହିସବୁ କାରଣରୁ ଅଜୟ କୁମାର ପ୍ରଭାରୀ ପଦରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    93 %
    1.3kmh
    54 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ