Monday, March 23, 2026
22 C
Odisha

    ୮ମ ଅଟଳ ସମ୍ମାନ-୨୦୨୩

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ତା ୨୫/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀଜୀଙ୍କ ୯୯ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୨୩’ କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ସୁଶାସନ ଦିବସ ପାଳିତ ହୋଇଥିଲା ।

    ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ଏବଂ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ ।
    ବରିଷ୍ଠ ରାଜନେତା, ସମାଜସେବୀ ଏବଂ ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁଙ୍କୁ ୮ମ “ଅଟଳ ସମ୍ମାନ -୨୦୨୩”ରେ ସମ୍ମାନିତ କରିଥିଲେ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ଶ୍ରୀ ସ୍ୱାଇଁ ଜୀବନ କେବଳ ସମାଜ ପାଇଁ ଅଭିପ୍ରେତ ନୁହେଁ ସମର୍ପିତ ମଧ୍ୟ । ଶ୍ରୀ ସ୍ୱାଇଁ ଯୁବନେତା ଭାବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ବିଶେଷ ଭାବେ ଆନନ୍ଦପୁର ଅଂଚଳରେ ଭାରତୀୟ ଜନସଂଘ ଦଳର ମୂଳଦୁଆ ସ୍ଥାପନ କରି ଏହାର କଳେବର ବୁଦ୍ଧି ପାଇଁ ବହୁ ପରିଶ୍ରମ କରିଥିଲେ । ଶ୍ରୀ ସ୍ୱାଇଁ ଜରୁରୀକାଳୀନ ସଂଘର୍ଷ କାଳରେ ଯେଉଁ ବଳିଷ୍ଠ ନେତୃତ୍ୱ ପ୍ରଦାନ କରିଥିଲେ ତାହା ଅବିସ୍ମରଣୀୟ । ପରବର୍ତୀ ସମୟରେ ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇ ଜଣେ ଲୋକପ୍ରତିନିଧିଭାବେ ସୁନାମ ଅର୍ଜ୍ଜନ କରିଥିଲେ । ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଭାବେ ଶ୍ରୀ ସ୍ୱାଇଁ ସାଂଗଠନିକ କ୍ଷେତ୍ରରେ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।
    ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ. ବିଶ୍ୱନାଥ ପଟ୍ଟନାୟକଙ୍କୁ “ଅଟଳ ସେବା ସମ୍ମାନ -୨୦୨୩”ରେ ସମ୍ମାନିତ କରାଯାଇଛି । ଜଣେ ଶହୀଦଙ୍କ ସୁପୁତ୍ର ଭାବେ ପିଲାଟି ଦିନରୁ ସଂଘର୍ଷମୟ ଜୀବନ ଅତିକ୍ରମ କରି, ଜୀବନରେ ସଫଳତା ହାସଲ କରିଥିଲେ ଡ. ପଟ୍ଟନାୟକ । ଚାକିରୀ ଜୀବନରେ ତଥା ଅବସର ନେଲାପରେ ଡ.ପଟ୍ଟନାୟକ ରୋଗୀମାନଙ୍କୁ ସେବା ଯୋଗାଇ ଦେବାକୁ ନିଜ ଜୀବନର ଏକ ମହାନ ବ୍ରତଭାବେ ଗ୍ରହଣ କରିଛନ୍ତି । ଭୁବନେଶ୍ୱରସ୍ଥିତ “ପଦ୍ମା ହସ୍ପିଟାଲ” ତଥା “ବିଶ୍ୱନାଥ ନର୍ସିଂସ୍କୁଲ” ଆପଣଙ୍କ ହାତରେ ଗଢ଼ା ଦୁଇ ଅନୁଷ୍ଠାନ “ମାନବସେବା ହିଁ ମାଧବ ସେବା” ବ୍ରତକୁ ଅହରହ ଅନୁପାଳନ କରିଆସୁଛନ୍ତି । ଭୁବନେଶ୍ୱର ବସ୍ତି ଅଂଚଳରେ ଡ. ପଟ୍ଟନାୟକଙ୍କ ନେତୃତ୍ୱରେ ନିୟମିତ ଭାବରେ ମେଡିକାଲ କ୍ୟାମ୍ପମାନ ଅନୁଷ୍ଠିତ ହେଉଅଛି । ଡ. ପଟ୍ଟନାୟକଙ୍କ ସେବା କାର୍ଯ୍ୟଗୁଡିକରେ ଆନ୍ତରିକତାର ଛାପ ବେଶ ସ୍ପଷ୍ଟ ।
    ବରିଷ୍ଠ ଅଧ୍ୟାପିକା, କବୟତ୍ରୀ ଏବଂ ଅନୁବାଦିକା ଡ. ସ୍ମରପ୍ରିୟା ମିଶ୍ରଙ୍କୁ “ଅଟଳ କବିତା ସମ୍ମାନ -୨୦୨୩”ରେ ସମ୍ମାନିତ କରାଯାଇଛି । ବନସ୍ଥଳୀ ବିଶ୍ୱବିଦ୍ୟାଳୟରୁ ହିନ୍ଦୀ ସାହିତ୍ୟରେ ସ୍ନାତକୋତର ଏବଂ ପିଏଚଡି ଡିଗ୍ରୀ ହାସଲ କରି ଡ.ମିଶ୍ର ଜଣେ ଅଧ୍ୟାପିକାଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସଚ୍ୟାନ୍ସଲର ପଦରୁ ଅବସର ଗ୍ରହଣ କରିଛନ୍ତି । ଓଡ଼ିଆ ସାହିତ୍ୟ ରଚନା କ୍ଷେତ୍ରରେ ଡ.ମିଶ୍ର ଜଣେ ସିଦ୍ଧହସ୍ତା ଲେଖିକା ଏବଂ ଓଡ଼ିଆରୁ ହିନ୍ଦୀ ତଥା ହିନ୍ଦୀରୁ ଓଡ଼ିଆ ଭାଷାରେ ଅନୁବାଦ କରି ଆପଣ ସୁନାମ ଅର୍ଜନ କରିଛନ୍ତି । ନରେନ୍ଦ୍ର ମୋଦିଜୀଙ୍କ ପ୍ରସିଦ୍ଧ କବିତା ସଂକଳନ “ଧନ୍ୟ ଏଇ ଆଖି”ର ଓଡ଼ିଆ ଅନୁବାଦ ଆପଣଙ୍କ ହାତରେ ସଂପାଦିତ ହୋଇଛି । ଡ.ମିଶ୍ର ନିଜର ଉଚ୍ଚମାନର ରଚନା ଗୁଡିକ ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଅଟଳ ସମ୍ମାନ-୨୦୨୩’ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନାନନ୍ଦ ତ୍ରିପାଠୀ, ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଜେପି ସାଂସ୍କୃତିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ବିଶିଷ୍ଟ ଗୀତିକାର ପଂଚାନନ ନାୟକଙ୍କ ସଂଚାଳନ କରିଥିଲେ । ଗୌରୀଶଙ୍କର ସିଂ, ଅର୍ଚ୍ଚନା ବେହେରା, କୃତିବାସ ମିଶ୍ର, ଲିନୁ ମିଶ୍ର ଓ ସଞ୍ଜୀବ ମିଶ୍ର ସହଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ