Monday, February 23, 2026
18.1 C
Odisha

    ମହାନଦୀ ଜଳ ବିବାଦ; ଛତିଶଗଡ଼ ସହ ଆଲୋଚନା ହେବ: ପୂଜାରୀ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଉପୁଜିଥିବା ଜଳ ବିବାଦ ସଂକ୍ରାନ୍ତରେ ଜଳସଂପଦ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି। ପୂର୍ବରୁ ଛତିଶଗଡ଼ର ଅଧିକାରୀମାନେ ଓଡ଼ିଶାର ଅଧିକାରୀଙ୍କ ସହ କଥାବାର୍ତ୍ତା ହେଉନଥିଲେ। ଏବେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନ ଆରମ୍ଭ ହୋଇଛି। ଆଗକୁ ଛତିଶଗଡ଼ ସରକାରଙ୍କ ସହ ଜଳ ବିବାଦ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହାନଦୀ ଜଳ ବିବାଦ ସଂପର୍କିତ ମାମଲାର ସବିଶେଷ ତଥ୍ୟ ଜଳସଂପଦ ବିଭାଗର ଅଧିକାରୀମାନଙ୍କୁ ସେ ମାଗିଛନ୍ତି ବୋଲି ବୁର୍ଲା ଅଶୋକ ନିବାସରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
    ଶ୍ରୀ ପୂଜାରୀ କହିଲେ, ମହାନଦୀରେ ବର୍ଷା ଜଳ ସଂରକ୍ଷଣ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀରୁ ପାଣି ନେଇ ଜଳକର ଦେଉନଥିବା କଂପାନିଗୁଡ଼ିକର ରିପୋର୍ଟ ପ୍ରସ୍ତୁତ କରି ଟିକସ ଆଦାୟ କରିବାକୁ ଜିଲ୍ଲାପାଳଙ୍କୁ କହିଛନ୍ତି। କଂପାନିମାନେ ମହାନଦୀରୁ ଭଲ ପାଣି ନେଇ ବର୍ଜ୍ୟବସ୍ତୁ ସବୁ ଭେଡ଼େନ ନଦୀ, ଇବ୍‌ ନଦୀ, ମହାନଦୀକୁ ଛାଡ଼ୁଛନ୍ତି। ଏହାର ତଦନ୍ତ କରିବାକୁ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଛି। ମନ୍ତ୍ରୀ କହିଛନ୍ତି, କଂପାନିମାନେ ପାଣିର ରିସାଇକ୍ଲିଂ କରି ନିଜେ ବ୍ୟବହାର କରିବା ସହ ଲୋକଙ୍କୁ ମଧ୍ୟ ବ୍ୟବହାର କରିବାକୁ ଦିଅନ୍ତୁ। ନଦୀ, କଟା, ବନ୍ଧକୁ ପାଣି ଛାଡ଼ି ବାୟୁ ଓ ଜଳ ପ୍ରଦୂଷଣ କରୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ହୀରାକୁଦରେ ୬୩୪ ଫୁଟ ପାଣି ରହିବା ପାଇଁ ଖସଡ଼ା ପ୍ରସ୍ତୁତ ହେଇଥିଲା। କିନ୍ତୁ ସେତିକି ପାଣି ରଖାଯାଉନାହିଁ। ଏବର ଶୀ‌ର୍ଷସ୍ତର ୬୩୦ ଫୁଟ୍‌ରୁ ଆଗକୁ ୬୩୨ ଫୁଟ୍ ପର୍ଯ୍ୟନ୍ତ ପାଣି ବଢ଼ିବାର ସମ୍ଭାବନା ଅଛି କି ନାହିଁ, ସେ ସଂପର୍କରେ ଅଧ୍ୟୟନ କରି ରିପୋର୍ଟ ଦେବାକୁ କୁହାଯାଇଛି। ୬୩୨ରୁ ୬୩୪ ଫୁଟ୍ ଜଳସ୍ତର ମଧ୍ୟରେ ଖାଲି ରହୁଥିବା ଅଂଚଳରେ ଚାଷ କରୁଥିବା ପ୍ରଜାଙ୍କୁ ଜମିର ପଟ୍ଟା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୬୩୦ରୁ ୬୩୨ ଫୁଟ୍‌ ଜଳସ୍ତରରେ ରହୁଥିବା ଜମିର ଯାଂଚ ରିପୋର୍ଟ ଦେଖିବା ପରେ ସଂପୃକ୍ତ ଚାଷୀମାନଙ୍କୁ ପଟ୍ଟା ଦେବା ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

    ଉଲ୍ଲେଖଥାଉକି, ବନ୍ୟାଜଳର ଗତିରୋଧ ପାଇଁ ଯେଉଁ ସ୍ଥାନରେ ଛୋଟ, ବଡ଼ ମରାମତିର ଆବଶ୍ୟକତା ରହିଛି ସେଗୁଡ଼ିକୁ ଚିହ୍ନଟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହୀରାକୁଦ ବନ୍ଧ ନିର୍ମାଣ ସମୟରେ ବୁର୍ଲା, ସମ୍ବଲପୁର, ହୀରାକୁଦ ଓ ଚିପିଲିମା ଆଦି ସ୍ଥାନରେ ରାଜସ୍ବ ବିଭାଗର ଜମି ଜଳସମ୍ପଦ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୭୫ ବର୍ଷ ପରେ ଜଳସମ୍ପଦ ବିଭାଗ ନାଁରେ ଥିବା ଅନେକ ଜମି ଅନାବଶ୍ୟକ ଭାବରେ ପଡ଼ି ରହିଛି। ସେପଟେ ସରକାରୀ ଜମି ଅଭାବରୁ ଭୂମିହୀନ ଗରିବ ଲୋକଙ୍କୁ ୪ ଡେସିମିଲ ଜମି ଯୋଗାଇବା ସମ୍ଭବ ହେଉନାହିଁ। ତେଣୁ ଜଳସମ୍ପଦ ବିଭାଗରୁ ଅନାବଶ୍ୟକ ଜମି ରାଜସ୍ବ ବିଭାଗକୁ ଫେରାଇ ଆଣିବା ବିଷୟରେ ଆଲୋଚନା ହୋଇଛି। ଏହାଦ୍ବାରା ୭୦/୮୦ ବର୍ଷ ଧରି ବୁର୍ଲା ଓ ହୀରାକୁଦରେ ଘର କରି ରହିଥିବା ଲୋକଙ୍କୁ ପଟ୍ଟା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ। ଅନ୍ତଃବିଭାଗ ସମସ୍ୟାର ସମାଧାନ କରିବା ପାଇଁ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ କମିଟି ଗଠନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ସୁଶିଲ ବେହେରା, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେମନ୍ତ ପାଣ୍ଡବ, ମୁଖ୍ୟବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ସୁଧୀର ସାହୁ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଏସଏମ୍‌ସି କମିସନର ବେଦଭୂଷଣଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଡ.ପୁଷ୍ପାଞ୍ଜଳି ପଣ୍ଡା, ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସହ ଜଳସଂପଦ ଓ ରାଜସ୍ବ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.1 ° C
    18.1 °
    18.1 °
    76 %
    0.9kmh
    0 %
    Mon
    34 °
    Tue
    33 °
    Wed
    34 °
    Thu
    35 °
    Fri
    35 °

    ସମ୍ବନ୍ଧିତ