ଗୋପ/ଜଗତସିଂହପୁର: ଲଘୁଚାପ ଓ ଅମାବାସ୍ୟା ଯୋଗୁଁ ଅଶାନ୍ତ ସମୁଦ୍ର । ମାଡି ଆସୁଛି ସମୁଦ୍ର । କୂଳ ଲଙ୍ଘୁଛି । ଧୀରେ ଧୀରେ ଧାରଣ କରୁଛି ଅଶାନ୍ତ ରୂପ । ସମୁଦ୍ରର ଢେଉ ମାଡିଯିବା ଯୋଗୁଁ ଜଙ୍ଗଲ ଧ୍ୱସଂ ହେବାରେ ଲାଗିଛି । ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ମଧ୍ୟ ନଷ୍ଟ ହେଉଛି । ସମୁଦ୍ରର ଅଶାନ୍ତ ରୂପ ସମୁଦ୍ର କୂଳିଆ ଲୋକ ତଥା ଦେଶ ବିଦେଶର ପର୍ଯ୍ୟଟକଙ୍କ ମନରେ ଆଣିଛି ଛନକା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ପୁରୀ ବେଳାଭୂମିର ଇକୋରିଟ୍ରିଟ ସ୍ଥାନ ସାଉଖାଣତାଠାରେ ।
ବାଲି ବନ୍ତ ସହ ବଲ୍ହା ବାଡ ଖାଉଛି ସମୂଦ୍ର ଜୁଆର । ଯାହାକୁ ଦେଖି ଦେଶ ବିଦେଶର ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିବା ଦେଖିବାକୁ ମିଳିଛି । ବର୍ତମାନ ସୁଦ୍ଧା ପ୍ରାୟ ୩୦ ମିଟରରୁ ଅଧିକ ଜୁଆର ମାଡ଼ରେ ବାଲି ବନ୍ତ ନଷ୍ଟ ହୋଇ ସାରିଲାଣି । ବିଶେଷ କରି ଏହି ଲଘୁଚାପ ସମୟରେ ସମୁଦ୍ର ମୁହାଣ ଭୟଙ୍କର ରୂପ ଧାରଣ କରୁଛି ।
ଯାହାପରେ ଏବେ ବିପଦରେ ରହିଛି ପୁରୀ କୋଣାର୍କ ବେଳା ମାର୍ଗ ରାସ୍ତା । ଅନ୍ୟପଟେ ନା ଅଛନ୍ତି ସୁରକ୍ଷା କର୍ମଚାରୀ ନା ପୋଲିସ ପ୍ରଶାସନ । ଏବେ ପୁରୀ – କୋଣାର୍କ ମୁଖ୍ୟ ରାସ୍ତା ବିପଦ ମୁଖା ହେବା ଦେଖିବାକୁ ମିଳିଛି । ତେଣୁ ଏନେଇ ତୁରନ୍ତ ଜିଲ୍ଲାପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସିନ୍ଦା ଓ ପର୍ଯ୍ୟଟକ ।
ସେହିଭଳି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ଶିଆଳି ବେଳାଭୂମିରେ ଜନବସତି ଆଡକୁ ମାଡି ଆସୁଛି ସମୁଦ୍ର । ଏନେଇ ସମୁଦ୍ରକୁଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଅମାବାସ୍ୟା ପଡିବାରୁ ସମୁଦ୍ର ଜୁଆରିଆ ରହୁଛି ଓ ଉଚ୍ଚ ଉଚ୍ଚ ଲହଡି ଗାଁ ଆଡକୁ ମାଡି ଆସୁଛି । ଏରସମାର ପଦ୍ମପୁର, ଓଲରା, ରାମତରା, ସାହାଡ଼ାବେଦି, କାଳବେଦୀ ଆଦି ଗାଁର ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି ।
ଦିନକୁ ଦିନ ଜନବସତି ଆଡକୁ ମାଡି ଆସୁଛି ଜୁଆର । ସମୁଦ୍ରର ଏଭଳି କରାଳ ରୂପ ଏବେ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି । ତେଣୁ ଏବେ ଏହାର ପ୍ରତିକାରର ଆବଶ୍ୟକତା ରହିଛି । ନ ହେଲେ ଖୁବ କମ ସମୟ ମଧ୍ୟରେ ଏହି ଗାଁ ସବୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ।