Monday, April 6, 2026
23.6 C
Odisha

    କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ସଜାଗ ପୁଲିସ

    ଆଗକୁ ପଢନ୍ତୁ

    କଟକ/ଭୁବନେଶ୍ବର: ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ବାଲିଯାତ୍ରା ସହ ବାଂଲାଦେଶୀ ଯୁବତୀମାନଙ୍କର କୌଣସି ସଂପର୍କ ନାହିଁ। ସୂଚନାଯୋଗ୍ୟ, କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଏହାକୁ ନେଇ କଟକ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା। ପୁଲିସ ବିଏନ୍ଏସ୍ର ଧାରା ୧୪୩ (୪), ୧୪୪(୧), ୩(୫),୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରିଛି।

    ସୂଚନା ଅନୁଯାୟୀ, ଏହି ନାବାଳିକାଙ୍କୁ ଭାରତରେ ଚାକିରି ଦେବାର ଲୋଭ ଦେଖାଇ ଦୁଇ ଜଣ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ। ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର୍ କରାଇଥିଲେ। କଲିକତାରେ ପହଞ୍ଚିବା ପରେ ସେଠାରେ ଆଉ ଦୁଇ ଜଣ ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ନିୟୋଜିତ କରିଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣିଥିଲା। ଭୁବନେଶ୍ବରରେ ମଧ୍ୟ ଦେହ ବ୍ୟବସାୟରେ ତାଙ୍କୁ ନିୟୋଜିତ କରିଥିଲା। ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଗ୍ରାହକମାନେ ଦଲାଲଙ୍କୁ ପ୍ରତି ଥର ଦେଢ଼ରୁ ୨ ହଜାର ଟଙ୍କା ଦେଉଥିଲେ। ଦିନକୁ ପାଖାପାଖି ୧୦ରୁ ୧୫ ଜଣ ଗ୍ରାହକ ଆସୁଥିଲେ। ପୀଡ଼ିତା ଏକ ପ୍ରକାର ଅସହାୟ ହୋଇପଡ଼ିଥିଲେ। ଶେଷରେ ସଦର ଥାନା ଅନ୍ତର୍ଗତ ଗୋପାଳପୁରକୁ ଦଲାଲ ଆଣିଥିବା ବେଳେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପୀଡ଼ିତା ପୁଲିସର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ। ପୁଲିସ ଗଲା ୯ ତାରିଖ ରାତିରେ ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ସିଡବ୍ଲୁସିରେ ହାଜର କରିବା ପରେ ବସୁନ୍ଧରାରେ ଥଇଥାନ କରାଯାଇଥିଲା। କିନ୍ତୁ ୨୨ ତାରିଖ ସୁଦ୍ଧା ଏ ନେଇ ପୁଲିସ କୌଣସି ପ୍ରକାର ଆପରାଧିକ ମାମଲା ରୁଜୁ କରିନଥିଲା। ୨୩ ତାରିଖରେ ଏହି ସମ୍ବେଦନଶୀଳ ପ୍ରସଂଗରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଉଭୟ ପୁଲିସ ଓ ଜିଲ୍ଲା ପ୍ରଶାସନ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଅନ୍ୟପଟେ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଏ ନେଇ ରାଜ୍ୟ ମାନବାଧିକାର କମିସନରେ ମାମଲା ଦାୟର କରିଛନ୍ତି। ଏଭଳି ବେଆଇନ ଅନୁପ୍ରବେଶ ଓ ଯୌନ କାର୍ଯ୍ୟକଳାପରେ ଲିପ୍ତ ପ୍ରସଂଗ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଘଟଣା ତଦନ୍ତ ପାଇଁ ଆବେଦନ କରିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରି ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପଟେ ସିଡବ୍ଲୁସି ପକ୍ଷରୁ ଶନିବାର ଦିନ ଏକ ଲିଖିତ ରିପୋର୍ଟ କଟକ ଡିସିପିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ଏହି ରିପୋର୍ଟକୁ ଭିତ୍ତି କରି ଡିସିପି ମଧୁପାଟଣା ଥାନା ଆଇଆଇସିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ