ବିଜୟୱାଡ଼ା: ପ୍ରାୟତଃ ଶୀତ ଦିନେ ଛୋଟ ପିଲା ଟିକେ ସକାଳୁ ଉଠିବାକୁ ନାରାଜ ଥାନ୍ତି । ଆଉ ବାପା ମା ପିଲାଙ୍କୁ ବୁଝାସୁଝା କରି ତାଙ୍କ ମନ ବହଲାଇ ସ୍କୁଲ ପଠାଇଥାନ୍ତି । ଏମିତିରେ ଟିକେ ବିଳମ୍ବ ହୋଇଯାଇଥାଏ ସ୍କୁଲରେ ପହଞ୍ଚିବାରେ । ଏହା ତ ଏକ ସାଧାରଣ କଥା । କିନ୍ତୁ ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଚୁଟି କାଟିଦେଲେ । ଏ ଖବର ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ । ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ୧୮ ଛାତ୍ରୀଙ୍କର ଚୁଟି କାଟିଦେଲେ ଏକ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ।
ମିଡିଆ ରିପୋର୍ଟ ଅନୁସାରେ ଶିକ୍ଷୟିତ୍ରୀ ଜଣଙ୍କ ରାଗି ଯାଇ ଏପରି ଦଣ୍ଡ ଦେଇଛନ୍ତି ଛାତ୍ରୀଙ୍କୁ । ଶିକ୍ଷୟିତ୍ରୀଙ୍କ ରାଗ ଏତିକିରେ ଶାନ୍ତ ହୋଇ ନଥିଲା, ଚୁଟି କାଟିବା ପରେ ଛାତ୍ରୀ ଜଣଙ୍କୁ ମାଡ଼ ମାରିବା ସହ ଖରାରେ ଠିଆ କରାଇଦେଇଥିଲେ । ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣା ଟି ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ ।
ତେବେ ଏ ଖବରଟି ହେଉଛି ଆନ୍ଧ୍ର ପ୍ରଦେଶର ଅଲ୍ଲୁରି ସୀତାରାମରାଜୁ ଜିଲ୍ଲାର ଏକ ସରକାରୀ ସ୍କୁଲର । ଏହି ଚୁଟି କଟା ଖବରଟି ପହଞ୍ଚିିଲା ଜିଲ୍ଲାପାଳଙ୍କ ନିକଟରେ । ପରେ ଚୁଟି କାଟିଥିବା ଗୁରୁମାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ତେବେ ଘଟଣାର ପୁଖାନୁପୁଙ୍ଖ ତଦନ୍ତ ପରେ ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନର ନିର୍ଦ୍ଦେଶ ଦେଇଥିଲେ । ଏହି ପରି ଆଉ ଏକ ଘଟଣା ବିହାରର ଅରବଲ ଜିଲ୍ଳାରୁ ସାମ୍ନାକୁ ଆସିଛି । ଏଠାରେ ଶିକ୍ଷକ ଜଣଙ୍କ ୧୨ ବର୍ଷିୟ ଛାତ୍ରଙ୍କୁ ନିର୍ଧୁମ ମାଡ ମାରିଛନ୍ତି । କାରଣ ଥିଲା ଛାତ୍ର ଜଣଙ୍କ ହୋମୱାର୍କ କରିନଥିଲେ । ଶିକ୍ଷକଙ୍କ ଏହି ମାଡରେ ଛାତ୍ରଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲା । ଯାହାଦ୍ୱାରା ଛାତ୍ରଙ୍କୁ ହସ୍ପିଟାଲରେ ଆଡମିଟ୍ କରିବାକୁ ପଡିଥିଲା ।