ଭୁବନେଶ୍ୱର : ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ ବିରୋଧୀ ଦଳ ନେତା । ପ୍ରାୟ ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏକାମ୍ରନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ ।
ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ପୁରୀର ସୁଆଣ୍ଡୋରୁ ଆରମ୍ଭ ହୋଇଛି ବିଜେଡିର ରାଜ୍ୟସ୍ତରୀୟ ଜନସମ୍ପର୍କ ପଦଯାତ୍ରା । ଏଥିରେ ଘର ଘର ବୁଲି ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଓ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି। ନଭେମ୍ବର ୯ ଯାଏ ପ୍ରତି ୱାର୍ଡ, ବ୍ଲକ, ପଞ୍ଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳ ଓ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ହେବ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରେ ରାଜନୀତିର ଧାର୍ ଧରୁ ନଥିବା ନବୀନ ଘଟଣାଚକ୍ରରେ ଓଡ଼ିଶା ଆସି ରାଜନୀତିରେ ସାମିଲ ହେଲେ । ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସଭାପତି ହେଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଥିଲେ। ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ । ମେଣ୍ଟ ଭାଙ୍ଗିଗଲା ପରେ ବିଜେଡିକୁ ତିନି ଥର କ୍ଷମତାସୀନ କରାଇଥିଲେ । ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ରେକର୍ଡ ସ୍ଥାପନ କରିଛନ୍ତି ।