Monday, July 20, 2026
24.5 C
Odisha

    ମମତାଙ୍କ ‘ପ୍ରତି‌ଶୋଧ’ ଟିପ୍ପଣୀ: ବିରୋଧ ତୀବ୍ର, ଆନ୍ଦୋଳନ ଜାରି

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଚାଲିଥିବା ଆନ୍ଦୋଳନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ପ୍ରତିଶୋଧ’ ଟିପ୍ପଣୀ ବଡ଼ ବିବାଦ ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆଜି ମମତାଙ୍କ ବୟାନକୁ ବିରୋଧ କରି ରାଜ୍ୟପାଳ ସିଭି ଆନନ୍ଦ ବୋସ୍‌ଙ୍କୁ ଚିଠି ଲେଖିଛନ୍ତି। ମାମଲାରେ ସେ ରାଜ୍ୟପାଳଙ୍କ ତତ୍କାଳ ହସ୍ତକ୍ଷେପ ଲୋଡ଼ିଛନ୍ତି। ସୁକାନ୍ତ ମଜୁମଦାର କହିଛନ୍ତି, ମମତା ‘ପ୍ରତିଶୋଧମୂଳକ ରାଜନୀତି’ କରୁଛନ୍ତି। ମମତା ଦେଇଥିବା ‘ଦେଶ ବିରୋଧୀ’ ଟିପ୍ପଣୀ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ମଧ୍ୟ ଉକ୍ତ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ, ମମତା ଗତକାଲି ଟିଏମ୍‌ସି ଛାତ୍ର ଶାଖା ପ୍ରତିଷ୍ଠା ଦିବସ ରାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ଅଶାନ୍ତ ସ୍ଥିତି ସୃଷ୍ଟି କରିବାପାଇଁ ତାଙ୍କ ଦଳକୁ ବ୍ୟବହାର କରୁଛନ୍ତି ବୋଲି ମମତା ଅଭିଯୋଗ କରିଥିଲେ ଏବଂ ଚେତାବନୀ ଦେଇ କହିଥିଲେ ଯେ ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଓଡ଼ିଶା, ଆସାମ, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ଉତ୍ତରପୂର୍ବ ମଧ୍ୟ ଜଳିବ । ମମତାଙ୍କ ଏହି ଟିପ୍ପଣୀକୁ ଜୋରଦାର ବିରୋଧ କରାଯାଇଛି। ମମତାଙ୍କ ଏହି ଟିପ୍ପଣୀ ପାଇଁ ସୁକାନ୍ତ ମଜୁମଦାର ତାଙ୍କ ଇସ୍ତଫା ଦାବି କରିଛନ୍ତି। ମମତା ମୁଖ୍ୟମନ୍ତ୍ରୀ ପଦବୀରେ ରହିବାପାଇଁ ଯୋଗ୍ୟ ନୁହନ୍ତି ବୋଲି ମଜୁମଦାର କହିଛନ୍ତି। ଅନ୍ୟପକ୍ଷେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମମତାଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶା‌ସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହ ତୁଳନା କରିଛନ୍ତି। ଗିରିରାଜ କହିଛନ୍ତି, ମମତା ବାନାର୍ଜୀ ଏବଂ କିମ୍‌ ଜଙ୍ଗ ଉନ୍‌ଙ୍କର ଗୋଟିଏ କଥା ସମାନ ଏବଂ ସେମାନେ ବିରୋଧୀଙ୍କୁ ଆଦୌ ସହ୍ୟ କରନ୍ତିନି। ଗିରିରାଜ କହିଛନ୍ତି, ଏହା ଜଣେ ଗଣତାନ୍ତ୍ରିକ ମୁଖ୍ୟମନ୍ତ୍ରୀଙ୍କର ଭାଷା ନୁହେଁ।
    ଉଲ୍ଲେଖଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଗତକାଲି ମମତାଙ୍କ ଉପରେ ବର୍ଷିଥିଲେ। ମମତାଙ୍କର ଏଭଳି ଟିପ୍ପଣୀ ଦେବାପାଇଁ ସାହସ କେମିତି ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ମଧ୍ୟ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଉତ୍ତରପୂର୍ବ ତଥା ସମସ୍ତ ଦେଶବାସୀଙ୍କୁ ମମତା କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନା‌ୱାଲା ମଧ୍ୟ ମମତାଙ୍କ ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ମମତା ବାନାର୍ଜୀ ନ୍ୟାୟ ନୁହେଁ ବରଂ ପ୍ରତିଶୋଧ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ପୁନାୱାଲା କହିଛନ୍ତି।

    ଅନ୍ୟପକ୍ଷରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କଂଗ୍ରେସ ଆଜି ଏହି ଘଟଣାକୁ ବିରୋଧ କରି ରାଜ୍ୟରେ ଏକ ରୢାଲି କରିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦଳୀୟ ରୢାଲିର ନେତୃତ୍ବ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ ଧମକ ଦେବା ପ୍ରସଙ୍ଗରେ ଟିପ୍ପଣୀ ଦେଇ ଅଧୀର ରଂଜନ କହିଛନ୍ତି, ସେମାନେ ଧମକ ଦେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଲୋକେ ଏଭଳି ଧମକକୁ ଖାତିର କରୁନାହାନ୍ତି। ଅନେକ ସିଭିଲ୍‌ ସୋସାଇଟି ଅନୁଷ୍ଠାନ ମଧ୍ୟ ଉକ୍ତ ଘଟଣାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ସେହିପରି ଆଜି ଶତାଧିକ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି କୋଲକାତାରେ ‘ଅଗ୍ନିକାର ଯାତ୍ରା’ କରିଛନ୍ତି। ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ସେମାନେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୦ ତାରିଖରୁ ‌କୋଲକାତାରେ ଆନ୍ଦୋଳନ ଏବଂ ରୢାଲି ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    92 %
    1.3kmh
    100 %
    Mon
    30 °
    Tue
    26 °
    Wed
    25 °
    Thu
    29 °
    Fri
    29 °

    ସମ୍ବନ୍ଧିତ