Thursday, March 26, 2026
26.8 C
Odisha

    ହଟିଲା ‘ମୋ ସ୍କୁଲ’, ଲାଗୁ ହେବ ‘ପଞ୍ଚସଖା ଶିକ୍ଷା ସେତୁ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ସରକାର ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପୁରାତନ ଛାତ୍ରଛାତ୍ରୀ, ଗୋଷ୍ଠୀ ସହଭାଗିତା ମା‌ଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯିବ। ତେଣୁ ପୂର୍ବରୁ ଥିବା ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରାଯାଇ ଏବେ ‘ପଞ୍ଚସଖା ଶିକ୍ଷା ସେତୁ’ ରଖାଯାଇଛି। ଯେଉଁଥିରେ ପୁରାତନ ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଙ୍ଗଠନ, ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ବ୍ୟକ୍ତିବିଶେଷ, ଅନୁଷ୍ଠାନ, ସାମାଜିକ ସଙ୍ଗଠନ, କମ୍ପାନି, ଫାଉଣ୍ଡେସନ ପ୍ରମୁଖ ବିଦ୍ୟାଳୟର ଭିତ୍ତିଭୂମି ବିକ‌ାଶ ଦିଗରେ ହାତ ବଢ଼ାଇବେ। ଅର୍ଥ, ସାମଗ୍ରୀ କିମ୍ବା ବିଦ୍ୟାଳୟର ବିକାଶ ନେଇ ଯେକୌଣସି ସେବା ଯୋଗାଇପାରିବେ। ପୂର୍ବ ସୋସାଇଟ୍‌ ନାଁରେ ଯେଉଁ ସବୁ ସାମଗ୍ରୀ ରହିଛି ତାହା ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନକୁ ହସ୍ତାନ୍ତର ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
    ମୁଖ୍ୟ ଶାସନ ସଚିବ ସଙ୍ଗଠନର ଅଧ୍ୟକ୍ଷ ରହିବେ। ତାଙ୍କ ନେତୃତ୍ବ ଓ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆଗକୁ ବଢ଼ିବ। ସୋସାଇଟିର ଗର୍ଭର୍ଣ୍ଣିଂ ବଡି, ବୋର୍ଡ ଅଫ୍‌ ଆଡଭାଇଜରର୍ସ ସହଯୋଗରେ କାର୍ଯ୍ୟନିର୍ବାହୀ କମିଟି ରହିବ, ଯାହାକି ଦୈନଦିନ କାର୍ଯ୍ୟର ତଦାରଖ କରିବ। ଶିକ୍ଷାବିତ୍‌, ନେତା, ସାମାଜିକ କର୍ମୀ ଏବଂ କଳା, ଆର୍କିଟେକଚର, ଡିଜାଇନ୍‌, ଆଡଭର୍ଟାଇଜିଂ, ଫିଲ୍ମ-ମେକିଂ, ସାହିତ୍ୟ, ବିଜ୍ଞାନ ଓ କ୍ରୀଡ଼ା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଉଭୟ ଗର୍ଭର୍ଣ୍ଣିଂ ବଡି, ବୋର୍ଡ ଅଫ୍‌ ଆଡଭାଇଜର୍ସରେ ସାମିଲ ହେବେ। ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ କମିଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। ସଙ୍ଗଠନକୁ ମୁଖ୍ୟତଃ ଦୁଇଟି ଆଧାରରେ ଅର୍ଥ ଆସିବ। ରାଜ୍ୟ ସରକାର, ପିଏସ୍‌ୟୁ ଓ ସିଏସ୍‌ଆରରୁ ସଙ୍ଗଠନ ଅର୍ଥ ଗ୍ରହଣ କରିବ। ଏହାବ୍ୟତୀତ ସରକାର, ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅନୁଷ୍ଠାନ, କର୍ପୋରେଟ୍‌ ସଂସ୍ଥା, ପିଏସ୍‌ୟୁକୁ ସାମିଲ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହେବ। ସୁରକ୍ଷା, ସ୍ବଚ୍ଛତା ପରି ବିଭିନ୍ନ କାର୍ଯ୍ୟକ୍ରମ ହାଇସ୍କୁଲ ରୂପାନ୍ତରଣ ମାଧ୍ୟମରେ କରାଯିବ। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଦ୍ୟାଳୟରେ ହାଉସ୍‌କିପିଂ, ରାତି ଜଗୁଆଳ ନିଯୁକ୍ତି ଦିଗରେ ସଙ୍ଗଠନ ପଦକ୍ଷେପ ନେବ। ହଷ୍ଟେଲ, ଲ୍ୟାବ୍‌, ଲାଇବ୍ରେରି, ବୈଦ୍ୟୁତିକ ସାମଗ୍ରୀ, ଇଣ୍ଟରନେଟ୍‌, କ୍ଲାସରୁମ୍‌, ଆସବାବପତ୍ର, ଶୌଚାଳୟ, ପାନୀୟ ଜଳ ସୁବିଧା, ପାଚେରି, ରୢା‌ମ୍ପ ପ୍ରତିଷ୍ଠା, କ୍ରୀଡ଼ା ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ ଶିବିର, ବିଶେଷଜ୍ଞଙ୍କୁ ଡାକି ବିଭିନ୍ନ ପ୍ରକାର ତାଲିମ, କର୍ମଶାଳା, ଇନୋଭେସନ୍‌ ହବ୍‌ ପ୍ରତିଷ୍ଠା ପରି ବିଭିନ୍ନ ପଦକ୍ଷେପ ନିଆଯାଇପାରିବ। ସୋସାଇଟ୍‌ ପରିଚାଳନା ପାଇଁ ବାର୍ଷିକ ବଜେଟ୍‌ ପ୍ରସ୍ତୁତ ହେବ, ଯେଉଁଥିରେ ଦରମା, ପ୍ରକଳ୍ପ ପରିଚାଳନା ୟୁନିଟ୍‌, ଟିଏ/ଡିଏ, ଗାଡ଼ି ଭଡ଼ା ସମେତ ଅନ୍ୟାନ୍ୟ ଖର୍ଚ୍ଚ ହୋଇପାରିବ। କେଉଁ ପଦ୍ଧତିରେ ଅର୍ଥ ଦେଇହେବ ସେନେଇ ଗାଇଡ୍‌ଲାଇନ୍‌ରେ ବର୍ଣ୍ଣନା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ