Wednesday, April 8, 2026
24.2 C
Odisha

    ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ପୂରଣ କରିଛନ୍ତି: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ/ଫୁଲନଖରା: ଗାନ୍ଧିଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ। ସମଗ୍ର ବିଶ୍ୱର ଆଦର୍ଶ। ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବରେ ଯୋଗଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧୀନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧୀଜୀଙ୍କ ପାଦ ପଡ଼ିଥିବା ଏହି ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର।  ବାପୁଙ୍କ ଆଦର୍ଶରେ ଚାଲିବା ଏବଂ ଦେଶ ପାଇଁ ତାଙ୍କର ଯେଉଁ ସ୍ବପ୍ନ ଥିଲା ତାକୁ ପୂରଣ କରିବା ଦିଗରେ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀ ଓଡ଼ିଶାକୁ କେବଳ ଭଲ ପାଉନଥିଲେ, ଓଡ଼ିଶା ତାଙ୍କର ହୃଦୟ ଓ ମନକୁ ଆଲୋଡ଼ିତ କରିଥିଲା। ତାଙ୍କର ଗୋଟିଏ ସ୍ମରଣୀୟ ବାକ୍ୟ ଥିଲା ‘ଓଡ଼ିଶା ହେଉଛି ମୋର ପ୍ରେମର ଭୂମି’। ସେ ଥିଲେ ଅଲୌକିକ ସାହସର ପରମ୍ପରା। ସତ୍ୟ ଥିଲା ତାଙ୍କର ସନ୍ଦେଶ। ଗାନ୍ଧୀଜୀଙ୍କ ଜୀବନ, ତ୍ୟାଗ ଓ ତପସ୍ୟା ତାଙ୍କୁ ମହାନ୍‌ ଓ ବରେଣ୍ୟ କରି ଗଢ଼ି ତୋଳିଥିଲା। ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୃଦୟ ପରିବର୍ତ୍ତନ। ତାଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସତ୍ୟ, ଅହିଂସା ଓ ଅସହଯୋଗ ବଳରେ ଜୀବନର ସବୁ  ପ୍ରତିକୂଳ ପରିସ୍ଥିତିର ଆହ୍ୱାନକୁ ସାମ୍‌ନା କରି ଗାନ୍ଧୀଜୀ ପ୍ରମାଣ କରିଛନ୍ତି ଯେ ଏସବୁ ବଳରେ ସଫଳତା ସମ୍ଭବ।

    ସେ କହିଥିଲେ ଯେ ସାରା ଦେଶରେ ମୋଦୀଜୀଙ୍କ ନେତୃତ୍ବରେ ଏବଂ ଓଡ଼ିଶାରେ ଆମ ସରକାର ଗାନ୍ଧୀଜୀଙ୍କ ପ୍ରକୃତ ଆଦର୍ଶ ଓ ଲକ୍ଷ୍ୟକୁ ପୂରଣ କରିବା ପାଇଁ କାମ କରୁଛି। ସ୍ବଚ୍ଛତା ଥିଲା ଗାନ୍ଧୀଜୀଙ୍କ ଆଦର୍ଶ। ସେ କହୁଥିଲେ ଯେ ଯେଉଁଠାରେ ସ୍ବଚ୍ଛତା ଥାଏ, ସେଠାରେ ଭଗବାନ ବାସ କରନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ବଫ ଅଭିଯାନ ଥିଲା ସ୍ବଚ୍ଛ ଭାରତ। ସ୍ବଚ୍ଛ ଭାରତ ଅଭିଯାନକୁ ଆଜି ୧୦ ବର୍ଷ ହୋଇଗଲାଣି। ଦେଶ ଆଜି ପୂର୍ବ ଅପେକ୍ଷା ଅଧିକ ସ୍ବଚ୍ଛ ଦିଶୁଛି। ହଜାର ହଜାର ଗାଁରେ ଲକ୍ଷ ଲକ୍ଷ ଲୋକଙ୍କ ଘରେ ଆଜି ଶୌଚାଳୟ ଅଛି। ସ୍ବଚ୍ଛତା ଅଭିଯାନ ଆଜି ଦେଶରେ ଏକ ସଫଳ ଆନ୍ଦୋଳନରେ ପରିଣତ ହୋଇଛି। ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ହିଁ ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ତାଙ୍କ ସରକାର ଜନକଲ୍ୟାଣ ପାଇଁ ନେଇ ଥିବା ବିଭିନ୍ନ ନିଷ୍ପତ୍ତି ଓ ପଦକ୍ଷେପ ସଂପର୍କରେ ତଥ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଗାନ୍ଧୀଜୀଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଗାନ୍ଧୀଜୀ ଓଡ଼ିଶାର ଯେଉଁ ଯେଉଁ ସ୍ଥାନକୁ ଆସିଥିଲେ, ସେ ସବୁ ଆଜି ଆମ ପାଇଁ ଗୋଟିଏ ଗୋଟିଏ ଧର୍ମକ୍ଷେତ୍ର। କାର୍ଯ୍ୟକ୍ରମରେ ଚୌଦ୍ବାର -କଟକ ବିଧାୟକ  ସୌଭିକ ବିଶ୍ବାଳ, କଟକ ସଦର ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ସିଏମ୍‌ସି କମିସନର ଅନାମ ଚରଣ ପାତ୍ର ଏବଂ କର୍ପୋରେଟର ମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ତେଲେଙ୍ଗାପେଣ୍ଠରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ଗାନ୍ଧୀ ସ୍ମୃତିପୀଠକୁ ଯାଇଥିଲେ। ସେଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ଏକ ନାଗେଶ୍ବର ଗଛର ଚାରା ରୋପଣ କରିଥିଲେ। ଏହା ପରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଶ୍ରମଦାନ ମଧ୍ୟ କରିଥିଲେ। ଆନ୍ତର୍ଜାତିକ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ ସେଠାରେ ଗାନ୍ଧୀଜୀଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। କାର୍ଯ୍ୟକ୍ରମ ପରେ ଅଡ଼ଙ୍ଗଡିହଠାରେ ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ