Saturday, October 10, 2026
24.5 C
Odisha

    ଆସ ଦେଖିଯିବା ବରକନ୍ୟା, ନୟାଗଡ଼ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତ

    ଆଗକୁ ପଢନ୍ତୁ

    ନୟାଗଡ : ସବୁଜ ବନାନୀ ଆଉ ତାରି ଭିତରେ ଝରଣାର କୁଳୁ କୁଳୁ ନାଦ ଆକର୍ଷିତ କରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ। ଶାନ୍ତ ସ୍ନିଗଧ ପରିବେଶ ମନକୁ ଦିଏ ଅସରନ୍ତି ଶାନ୍ତି ଓ ସନ୍ତୋଷ । ତେବେ କଣ ଆପଣ କେବେ ବୁଲି ଯାଇଛନ୍ତି କି ବରକନ୍ୟା ଝରଣା ? ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ଆପଣଙ୍କ ଲାଖି ଯିବ । ତେବେ ପ୍ରଚାର ପ୍ରସାରର ଅଭାବରୁ ଏତେ ସୁନ୍ଦର ଜଳପ୍ରପାତ ଅବହେଳିତ ଅବସ୍ଥାରେ ଓ ଲୋକଲୋଚନରୁ ଦୂରରେ ରହି ଯାଇଛି । କେନ୍ୟୁଜ ଜରିଅରେ ଆପଣ ବି ଦେଖନ୍ତୁ ବରକନ୍ୟା ଝରଣାର ସୁନ୍ଦରତା। ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠି ଛୋଟ ବଡ଼ ୪ଟି ଜଳ ପ୍ରପାତ ରହିଛି।

    ତେବେ ଏହି ଜଳପ୍ରପାତର ନାଁ କାହିଁକି ବରକନ୍ୟା ରହିଛି, ଏହା ପଛରେ ଅଛି ଏକ ରୋଚକ କିମ୍ବଦନ୍ତୀ । ଶୁଣିବାକୁ ମିଳେ କି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଦୁଇ ଜଣ ଆଦିବାସୀ ଯୁବକ ଯୁବତୀ ବାହା ହୋଇ ଆସୁଥିଲେ । ତେବେ ପରମ୍ପରା ଅନୁଯାୟୀ ସ୍ଥାନୀୟ କାନଖାଇ ଠାକୁରାଣୀ ଠାରେ ପୂଜାର୍ଚ୍ଚନା କଲେ ନାହିଁ । ତେଣୁ ମାଆଙ୍କ କୋପରୁ ସେହି ସ୍ଥାନରେ ସମସ୍ତେ ପଥର ପାଲଟି ଯାଇ ଲୀନ ହୋଇଗଲେ । ସେଥିଲାଗି ଏହି ସ୍ଥାନର ନାଁ ହୋଇଛି ବରକନ୍ୟା । ପାହାଡ଼ ଜଙ୍ଗଲଘେରା ନୟାଗଡ ଜ଼ିଲ୍ଲା। ପ୍ରକୃତି ରାଣୀ ସତେ ଯେମିତି ଅପରୂପ ନୟନରେ ଅନାଇ ରହିଛି। ଝରଣା ପାଣିରେ ଗାଧେଇବା ଶହ ଜଳ ପ୍ରପାତର ମଜା ନେଉଛନ୍ତି ପର୍ଯ୍ୟଟକ। ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ବାଣ୍ଠପୁର ପଂଚାୟତରେ ରହିଛି ନିହଲପ୍ରସାଦ ଗାଁ। ଗାଁ ନିକଟରେ ରହିଛି ବରକନ୍ୟା ଝରଣା। ପାହାଡ଼ ଶିଖରରୁ ବାହାରିଥିବା ଜଳପ୍ରପାତ ୪ଟି ସ୍ଥାନ ଦେଇ ଜଳ ପ୍ରବାହିତ ହେଉଛି । ଘଞ୍ଚ ଜଙ୍ଗଲ ଓ ସବୁଜ ବନାନୀ ମଧ୍ୟରେ ଝରଣାର କୁଳୁକୁଳୁ ନାଦ ବେଶ ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ। ନୟାଗଡ ଜ଼ିଲ୍ଲାବାସୀ ଜଳପ୍ରପାତର ମଜା ନେବାପାଇଁ ଅନ୍ୟ ଜ଼ିଲ୍ଲାକୁ ଯାଉଛନ୍ତି। ହେଲେ ଅବଗତ ନଥିବାରୁ ପର୍ଯ୍ୟଟକଙ୍କ ଦୃଷ୍ଟି ପଡୁନାହିଁ ବରକନ୍ୟା ଉପରେ ।

    ତେବେ ଏହି ବରକନ୍ୟା ଝରଣାକୁ ଆସିବାକୁ ହେଲେ ନୟାଗଡ ଓଡଗାଁ ରାସ୍ତାରେ ପଡିବ କେନାଲ ଛକ। ସେଠାରୁ ବୁଢ଼ା ବୁଢିଆଣୀ ଡ୍ୟାମ ଦେଇ ଆସିଲେ ପଡେ ନିହାଲପ୍ରସାଦ ଗାଁ । ନୟାଗଡ ସହରରୁ ବରକନ୍ୟା ଝରଣାର ଦୂରତା ୩୩ କିଲୋମିଟର । ବରକନ୍ୟା ଝରଣାର ଉନ୍ନତି ପାଇଁ ବନବିଭାଗ ପକ୍ଷରୁ ୪ କୋଟି ୪0 ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ନିହାଲପ୍ରସାଦ ଗାଁ ମୁଣ୍ଡରୁ ଏକ ମାଟି ରାସ୍ତା ନିର୍ମାଣ ହୋଇଛି। ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି କଟେଜ । ପାହାଡ଼ର ମଧ୍ୟ ଭାଗ ପର୍ଯ୍ୟନ୍ତ ପାହାଚ ଅଛି। ପର୍ଯ୍ୟଟକମାନେ ମାଟି ରାସ୍ତାରେ ପାହାଡ଼ ଚଢ଼ନ୍ତି। ଏଠି କିନ୍ତୁ ଆଲୋକୀକରଣର ବ୍ୟବସ୍ଥା ହୋଇନାହିଁ। ବୁଢ଼ା ବୁଢିଆଣୀ ଡ୍ୟାମ ନିକଟରୁ ରାସ୍ତା କାମ ଚାଲୁ ରହିଛି। ତେଣୁ ଯୋଗାଯୋଗର ବ୍ୟବସ୍ଥାକୁ ଆହୁରି ଭଲ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାର ଉଦ୍ୟମ କରିବା ଜରୁରୀ । ବରକନ୍ୟା ଝରଣା ଲୋକ ଲୋଚନକୁ ଆସିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ତା ସହିତ ବଢିବ ସ୍ଥାନୀୟ ଅଞ୍ଚଳବାସୀଙ୍କ ରୋଜଗାରର ପନ୍ଥା। ଆଉ ସରକାର ମଧ୍ୟ ରାଜସ୍ବ ଆୟ କରି ପାରିବେ । ଆମ ରାଜ୍ୟରେ ବରକନ୍ୟା ଭଳି ଅନେକ ସୌନ୍ଦର୍ଯ୍ୟମୟ ସ୍ଥାନ ସବୁ ରହିଛି । ସେଗୁଡ଼ିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ସରକାର ବିକାଶ କରିବା ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ