Friday, September 20, 2024
30 C
Odisha

    କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ହୋଇନାହିଁ: ହାଇକୋର୍ଟ

    ଆଗକୁ ପଢନ୍ତୁ

    କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଅନୁଷ୍ଠିତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)ରେ କୌଣସି ଅନିୟମିତତା ହୋଇନାହିଁ ବୋଲି ହାଇକୋର୍ଟ କହିଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ରିଟ୍‌ ଅପିଲ୍‌ ଗୁଡ଼ିକର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ଗଣାତ୍ମକ ଶିକ୍ଷା ପାଇଁ ମେଧାବୀ ପ୍ରାର୍ଥୀଙ୍କ ନିଯୁକ୍ତି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରିଛନ୍ତି, ସିବିଟିରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ବର ଆଧାରରେ ମେଧା ନିର୍ଦ୍ଧାରଣ କରାଯିବ। ସିବିଟିକୁ ଆଧାର କରି ତଥା ପୂରଣ ହେବାକୁ ଥିବା ପଦବିକୁ ଦୃଷ୍ଟିରେ ରଖି ବିଷୟ ଓ ବର୍ଗଭିତ୍ତିକ ସର୍ବନିମ୍ନ କଟ୍-ଅଫ୍ ମାର୍କ ଧାର୍ଯ୍ୟ କରାଯିବ। ଧାର୍ଯ୍ୟ କଟ୍-ଅଫ୍ ମାର୍କ ବା ଏହାଠାରୁ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ନେଇ ଚୟନ ତାଲିକା ପ୍ରସ୍ତୁତ କରାଯିବ। ପଦବି ପାଇଁ ଆବେଦନ ସମୟରେ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଦିଆଯାଇଥିବା ଜିଲ୍ଲା ସଂପର୍କିତ ପ୍ରିଫରେନ୍ସକୁ ବିଚାରକୁ ନିଆଯିବ। ସେହିପରି ପ୍ରଥମ କଟ୍-ଅଫ ମାର୍କ ଧାର୍ଯ୍ୟପରେ ସବୁ ପଦବି ପୂରଣ ହୋଇ ନପାରି ଖାଲିପଡ଼ିଲେ ଓସେପା ପୁନଃ କଟ୍ ଅଫ ମାର୍କ ଧାର୍ଯ୍ୟ କରିପାରିବ। ପ୍ରଥମେ ମେଧା ତାଲିକା, ପରେ ଜିଲ୍ଲାୱାରୀ ଅଗ୍ରାଧିକାରକୁ ଗୁରୁତ୍ବ ଦିଆଯିବା ଦ୍ବାରା ଠିକ୍‌ରେ ପ୍ରତିଭା ଚୟନ ହୋଇ ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

    ସିବିଟି ଆଧାରରେ ଧାର୍ଯ୍ୟ ହେବ କଟ୍-ଅଫ୍ ମାର୍କ
    ପଦବି ଖାଲି ପଡ଼ିଲେ କଟ୍-ଅଫ୍ ମାର୍କ ହ୍ରାସ ହେବ

    ଏଥିସହିତ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀର ଜିଲ୍ଲାୱାରୀ ମେଧା ତାଲିକା ସଂପର୍କିତ ସର୍ତ୍ତ ୮.୩କୁ ହାଇକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ନଭେମ୍ବର ମାସରେ ସିବିଟି ଅନୁଷ୍ଠିତ ହୋଇଥିଲା। ୨୦୨୪, ଜାନୁଆରି ୧୫ରେ (ଓସେପା) ତରଫରୁ କନିଷ୍ଠ ଶିକ୍ଷକ ପଦ ପାଇଁ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ ଲିଷ୍ଟ) ପ୍ରକାଶ ପାଇଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଚିଠା ମେଧା ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏ‌ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୧୨ରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କନିଷ୍ଠ ଶିକ୍ଷକ ନିଯୁକ୍ତି ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥିସହିତ ନିଯୁକ୍ତି ନିୟମାବଳୀ ଅନୁସାରେ ଜିଲ୍ଲାୱାରୀ ସାନି ମେଧା ତାଲିକା ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

    ଓସେପା ପକ୍ଷରୁ ୨୦୨୩, ଜାନୁଆରି ୧୫ରେ ପ୍ରକାଶିତ ଚିଠା ମେଧା ତାଲିକା ଓ ପରବର୍ତ୍ତୀ ସମୟରେ ମୁଦା ଲଫାପାରେ ସରକାର ହାଇକୋର୍ଟରେ ଦାଖଲ କରିଥିବା ମେଧା ତାଲିକା ଗ୍ରହଣୀୟ ହୋଇନଥିଲା। ଏଭଳି ସ୍ଥିତିରେ ପୂର୍ବରୁ ପ୍ରସ୍ତୁତ ମେଧା ତାଲିକାକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରହିଥିବା ନିୟମାବଳୀ ଅନୁସାରେ ଜିଲ୍ଲାୱାରୀ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ‌ପ୍ରାର୍ଥୀଙ୍କ ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ ହୋଇଥିବା ଅଭିଯୋଗକୁ ନେଇ ଚିନ୍ତାମଣି ଭୂୟାଁ ଓ ଅନ୍ୟମାନଙ୍କ ତରଫରୁ ଦାୟର ୯ଟି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ ରାଜ୍ୟ ସରକାର ଓ ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀ ପୃଥକ୍‌ ରିଟ୍ ଅପିଲ୍‌ ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ପାମି ରଥ, ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30 ° C
    30 °
    30 °
    73 %
    2kmh
    56 %
    Fri
    30 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ