Thursday, April 2, 2026
25.4 C
Odisha

    ପୋଲାଭରମ ପ୍ରକଳ୍ପ ପ୍ରମାଦ ଟଳିନି: ଜଳମଗ୍ନ ହେବ ମାଲକାନଗିରି

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବିସ୍ଥାପିତ ଶହ ଶହ ପରିବାରଙ୍କ କ୍ଷତ ଆଜି ବି ଭରଣ ହୋଇପାରି ନାହିଁ।ଅନ୍ୟପଟେ ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରିବାସୀ ଏବେ ମଧ୍ୟ ଆତଙ୍କିତ ଅଛନ୍ତି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହଜାର ହଜାର ହେକ୍ଟର ଚାଷ ଜମି, ଜଂଗଲ ଜମି ଜଳମଗ୍ନ ହେବା ସହ ହଜାର ହଜାର ପରିବାର ଭିଟାମାଟି ଛାଡିବାର ଆଶଂକା ଦେଖାଦେଇଛି। ଏହି ବିବାଦୀୟ ପ୍ରକଳ୍ପକୁ ନେଇ ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା ରାଜ୍ୟ ବିରୋଧ ଜାରି ରଖିଥିବା ବେଳେ ଆନ୍ଧ୍ର ସରକାର ଏକତରଫା ଭାବେ ପ୍ରକଳ୍ପ କାର୍ଯ୍ୟକୁ ତରାନ୍ବିତ କରିଛନ୍ତି। ଏଭଳି ପରିସ୍ଥିତିରେ ଜଳମଗ୍ନ ହେବା ଆଶଂକାରେ ସୀମାନ୍ତ ଗ୍ରାମବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶର ମଧ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବିସ୍ଥାପିତ ହେବେ।
    ଇନ୍ଦିରା ସାଗର ଡ୍ୟାମ ନାମରେ ପରିଚିତ ଏହି ପ୍ରକଳ୍ପ ଗୋଦାବରୀ ନଦୀରେ ନିର୍ମାଣଧୀନ ହେଉଛି।ପ୍ରତିବର୍ଷ ମୌସୁମୀରେ ଜିଲ୍ଲା ପାଇଁ ବନ୍ୟା ନେଇ ଆସୁଛି।ଗତବର୍ଷ ମଧ୍ୟ ବନ୍ୟା ଦ୍ବାରା ଅନେକ ଗାଁ କ୍ଷତିଗ୍ରସ୍ତ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା।ହଜାର ହଜାର ହେକ୍ଟର ଜମିରେ ପାଣି ମାଡି ଫସଲ କ୍ଷୟକ୍ଷତି ହୋଇଥିଲା।ପ୍ରତିବର୍ଷ ଗୋଦାବରୀ ନଦୀର ପଛୁଆ ପାଣିରେ ସୀମାନ୍ତ ମୋଟୁ ଅଂଚଳ ବୁଡି ରହୁଚି।ସେହିପରି ସିଲେରୁ ଓ ସାବେରୀ ନଦୀରେ ଆସୁଥିବା ବନ୍ୟାଜଳ ନିଷ୍କାସନ ନହୋଇ ସେହିପରି ରହୁଛି।ପ୍ରକାଶ ଥାଉକି ଗତ ୧୯୭୮ ମସିହାରେ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ ପ୍ରକଳ୍ପ ପାଇଁ ପରିକଳ୍ପନା କରିଥିଲେ।ସେତେବେଳେ ଏହି ଡ୍ୟାମର ଉଚ୍ଚତା ୧୫୦ ଫୁଟ କରିବା ପାଇଁ ଡିଜାଇନ କରାଯାଇଥିଲା।୧୯୯୭ରେ ପୁଣି ଏହି ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରାଯାଇ ୧୮୨ ଫୁଟ କରିବାକୁ ନିଷ୍ପତ୍ତି ହୋଇଥିଲା।ଏହାପରେ ହିଁ ପ୍ରକଳ୍ପକୁ ନେଇ ବିରୋଧ ଆରମ୍ଭ ହୋଇଥିଲା।ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା।ଏନେଇ ଓଡିଶା ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ ମଧ୍ୟ କରିଛନ୍ତି।
    କିନ୍ତୁ କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ ପୋଲାଭରମ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ପାଇଁ କୌଣସି କ୍ଷତିପୂରଣର ଆବଶ୍ୟକତା ନାହିଁ।କେନ୍ଦ୍ର ସରକାରଙ୍କର ଯୁକ୍ତି ହେଲା ସିଲେରୁ ଓ ସାବେରୀ ନଦୀ କୂଳରେ ଆଡିବନ୍ଧି ନିର୍ମାଣ କରାଯିବ।ଯାହାଫଳରେ ଓଡିଶା କିମ୍ବା ଛତିଶଗଡକୁ କୌଣସି ବନ୍ୟାଜଳ ପ୍ରବେଶ କରିବ ନାହିଁ। ଏହି ପ୍ରକଳ୍ପ ହେଲେ ମୋଟୁ ତହସିଲ ଅଂଚଳର ମୋଟୁ,ପୁଶୁଗୁଡା,ତାଣ୍ଡବାଇ,ମାରାଭରମ,ଟେଟରାଇ, ଲୋକନଗୁଡା, ମୁରଲୀଗୁଡା, କୋତାଗୁଡା, କମଳାପୁରମ, ବିନାୟକପୁର, ଆଲମା, ଇଛାପୁରମ, ପରସନପାଲୀ, ମାକନପାଲୀ, ଗାରସାପାଲୀ, ରାମଭରମ, ସୁନାବେଡା, ପେଟା।

    ସମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ,ପୁଟମପାୀ,ଏମଭି-୬୦,ଏମଭି-୬୧, ଏମଭି-୬୯, ଏମଭି୧୧୦, ଏମଭି-୧୧୬, ଏମଭି-୬୨, କାଲଦାପାଲୀ। ମାଲାଭରମ,ପଡିଆ ସହ କାଲିମେଳା ବ୍ଲକର ମାଲାଭରମ ପଞ୍ଚାୟତର ଅନେକ ଗାଁ ବୁଡିଯିବ। ଓଡିଶା, ଛତିଶଗଡ ଓ ତେଲେଙ୍ଗାନାର ୨୫୦ରୁ ଉର୍ଦ୍ଧ୍ବ ଗ୍ରାମ ପାଣିରେ ବୁଡିଯିବାର ଆଶଙ୍କା ରହିଥିବାବେଳେ ୭,୬୫୬ ହେକ୍ଟର ଜମି ପାଣିରେ ବୁଡିବା ସହ ୫,୫୩୮ ହେକ୍ଟର ସଂରକ୍ଷିତ ଜଂଗଲ ଜମି ମଧ୍ୟ ପାଣିରେ ବୁଡିବ। ବର୍ଷା ଋତୁ ଆସୁଥିବାରୁ ଲୋକେ ଏବେ ଠାରୁ ପ୍ରମାଦ ଗଣିଲେଣି। ଗୋଦାବରୀର ପଛୁଆ ପାଣି ସଂପୂର୍ଣ୍ଣ ମୋଟୁ ଏବଂ ଅନ୍ୟ ଗାଁ ଗୁଡିକୁ ବୁଡାଇ ରଖୁଛି। ପୋଲାଭରମ ଯୋଗୁଁ ମାଲକାନଗିରି ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏଥିରେ ସନ୍ଦେହ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ