Sunday, March 15, 2026
34.6 C
Odisha

    ରଣଜୀ ଟ୍ରଫି: ଓଡ଼ିଶାର ସଂଘର୍ଷପୂର୍ଣ୍ଣ ବିଜୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁମିତ ଶର୍ମାଙ୍କ ଦ୍ବିତୀୟ ୫ ୱିକେଟ୍‌ ବଳରେ ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ୩ ୱିକେଟ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଏଥିସହିତ ଲଗାତାର ପାଳି ପରାଜୟର ସାମ୍ନା କରି ସମାଲୋଚିତ ହୋଇଥିବା ଓଡ଼ିଶା ଖେଳାଳିମାନେ କେତେକାଂଶରେ କଟା ଘା’ରେ ମଲମ ଲଗାଇବାରେ ସଫଳ ହୋଇଛନ୍ତି। ଗୋବିନ୍ଦ ପୋଦ୍ଦାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ବିଜୟରୁ ଓଡ଼ିଶାକୁ ୬ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଛି। ପ୍ରାୟ ଅଢ଼େଇ ମାସ ପରେ ଷଷ୍ଠ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଜାନୁଆରି ୨୩ରେ ସିଲଂରେ ମେଘାଳୟ ଓ ୩୦ ତାରିଖରୁ ଟାଙ୍ଗୀସ୍ଥିତ ଡ୍ରିମ୍ସ ପଡ଼ିଆରେ ସର୍ଭିସେସ୍‌ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଖେଳିବ। ତେଣୁ ଓଡ଼ିଶା ପାଖରେ ପ୍ଲେଟ୍‌ ଗ୍ରୁପ୍‌କୁ ଖସିବାର ଭୟ ଆଉ ନଥିଲା ବେଳେ ନକ୍‌ଆଉଟ୍‌ ଯିବା ସମ୍ଭାବନା ମଧ୍ୟ ନାହିଁ।

    ତିନି ଦିନ ମଧ୍ୟରେ ଶେଷ ହୋଇଥିବା ବାରବାଟୀ ରଣଜୀ ମ୍ୟାଚ୍‌କୁ ଜିତିବା ଘରୋଇ ଦଳ ପାଇଁ ଏତେ ସହଜ ହୋଇ ନଥିଲା। ଯଦିଓ ମହରାଷ୍ଟ୍ର ଦ୍ବିତୀୟ ପାଳିକୁ ୧୬୬ ରନ୍‌ରେ ଶେଷ ହୋଇଥିଲା, ତଥାପି ୧୨୯ ରନ୍‌ର ଲକ୍ଷ୍ୟକୁ ହାସଲ କରିବାକୁ ଓଡ଼ିଶା ୭ ଖେଳାଳିଙ୍କୁ ହରାଇଥିଲା। ତୃତୀୟ ଦିନରେ ୭୮/୩ରୁ ଦ୍ବିତୀୟ ପାଳି ଆରମ୍ଭ କରିଥିବା ମହାରାଷ୍ଟ୍ରର ଅଙ୍କିତ ବାୱନେ (୭) ଓ ସତ୍ୟଜିତ ବଛାଭ (୦)ଙ୍କୁ ଦିନର ପ୍ରଥମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌ରେ ଗୋବିନ୍ଦ ଆଉଟ୍‌ କରି ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଏହା ସଫଳ ହୋଇ ନଥିଲା। ପରବର୍ତ୍ତୀ ୫ ୱିକେଟ୍‌କୁ ସୁମିତ୍‌ ଶର୍ମା (୫/୪୬) ଅକ୍ତିଆର କରିଥିଲେ। ପୂର୍ବରୁ ଜମ୍ମୁ କଶ୍ମୀର ବିପକ୍ଷରେ ଏହି ପଡ଼ିଆରେ ସେ ପଦାର୍ପଣ କରି ୫ ୱିକେଟ୍ ସଫଳତା ପାଇଥିଲେ।

    ମହରାଷ୍ଟ୍ରକୁ ୩ ୱିକେଟ୍‌ରେ ହରାଇଲା, ଗୋବିନ୍ଦ ଶ୍ରେଷ୍ଠ ଖେଳାଳି

    ବିଜୟ ଲକ୍ଷ୍ୟକୁ ପିଛା କରି ପୁଣି ଥରେ ପ୍ରାରମ୍ଭିକ ଯୋଡ଼ି ବିଫଳ ହୋଇଥିଲା ବେଳେ ପ୍ରଥମ ପାଳିର ଶତକ ଅର୍ଜନକାରୀ ସ୍ବସ୍ତିକ ସାମଲ ୯ ରନ୍‌ରେ ଆଉଟ୍‌ ହୋଇଥିଲେ। ଶାନ୍ତନୁ ମିଶ୍ର (୧୦)ଙ୍କ ସହ ସନ୍ଦୀପ ପଟ୍ଟନାୟକ (୩୬) ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ‌ପ୍ରତିପକ୍ଷ ବୋଲରଙ୍କ ସହ ଲଢ଼ିଥିଲେ ମଧ୍ୟ ଦୁଇ ଓଭର ବ୍ୟବଧାନରେ ଉଭୟ ଆଉଟ୍‌ ହୋଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍‌ ଖସୁଥିବା ବେଳେ ଗୋଟିଏ ପଟରୁ ଗୋବିନ୍ଦ ଧୀରେଧୀରେ ରନ୍‌ ବାହାର କରି ଓଡ଼ିଶାକୁ ବିଜୟ ଆଡ଼କୁ ନେଇଥିଲେ। କିନ୍ତୁ ଅର୍ଦ୍ଧଶତକଠୁ ମାତ୍ର ୨ ରନ୍‌ ଓ ବିଜୟଠୁ ୫ ରନ୍‌ ଦୂରରେ ଥିବା ବେଳେ ଗୋଟିଏ ଓଭରରେ ଗୋବିନ୍ଦ (୪୮) ଓ ଆଶୀର୍ବାଦ ସ୍ବାଇଁ (୧୮)ଙ୍କୁ ପ୍ରଶାନ୍ତ ସୋଲାଙ୍କି ଆଉଟ୍‌ କରି  ଯୁଗଳ ଝଟ୍‌କା ଦେଇଥିଲେ। ପରବର୍ତ୍ତୀ ଓଭରରେ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ପ୍ରଥମ ବଲ୍‌ରେ ପାଭିଲିଅନ୍‌ ଫେରିବାରୁ ମାତ୍ର ୫ ବଲ୍‌ ଭିତରେ ଓଡ଼ିଶା ୩ ୱିକେଟ୍‌ ହରାଇ ସାରିଥିଲା। ଶେଷରେ ରାଜେଶ ଧୂପର (୧*) ଓ ସୁମିତ ଶର୍ମା (୫*)ଙ୍କ ଯୋଡ଼ି ଓଡ଼ିଶାକୁ ପ୍ରଥମ ବିଜୟ ଭେଟି ଦେଇଥିଲେ। ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ରେ ମହାରାଷ୍ଟ୍ର ପ୍ରଥମ ପାଳିରେ ୧୬୨ ରନ୍‌ କରିଥିଲା ବେଳେ ସ୍ବସ୍ତିକ ସାମଲଙ୍କ ଶତକ ସହାୟତାରେ ଓଡ଼ିଶା ପାଳି ଅଗ୍ରଣୀ ନେବା ସହ ୨୦୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

    ସଂକ୍ଷିପ୍ତ ସ୍କୋର: ମହାରାଷ୍ଟ୍ର ପ୍ରଥମ ପାଳି ୫୪ ଓଭରରେ ୧୬୨/୧୦ (ରାମକ୍ରିଷ୍ଣା ଘୋଷ-୮୦, ଅଙ୍କିତ ବାୱାନେ-୩୪, ସଚିନ ଧାସ୍‌-୨୦, ସୁମିତ ଶର୍ମା-୪/୩୯, ଗୋବିନ୍ଦ ପୋଦ୍ଦାର-୩/୧୦, ତରଣୀ ସା’-୨/୪୪)। ଓଡ଼ିଶା ପ୍ରଥମ ପାଳି ୮୨.୨ ଓଭରରେ ୨୦୦/୧୦ (ସ୍ବସ୍ତିକ ସାମଲ-୧୧୮, ସନ୍ଦୀପ ପଟ୍ଟନାୟକ-୪୧, ରଜନୀଶ ଗୁର୍ବାନି-୩/୩୮, ରାମକ୍ରିଷ୍ଣା ଘୋଷ-୩/୫୦, ସତ୍ୟଜିତ ବଛାଭ-୨/୫୦)। ମହାରାଷ୍ଟ୍ର ଦ୍ବିତୀୟ ପାଳି ୫୩.୪ ଓଭରରେ ୧୬୬/୧୦ (ରାମକ୍ରିଷ୍ଣା ଘୋଷ-୩୯, ସଚିନ ଧାସ୍‌-୩୮, ହର୍ଷଲ କାଟେ-୩୪, ଅର୍ଶିନ କୁଲକର୍ଣ୍ଣି-୨୫, ସୁମିତ ଶର୍ମା-୫/୪୬, ଗୋବିନ୍ଦ ପୋଦ୍ଦାର-୩/୪୨, ତରଣୀ ସା’-୨/୪୮)। ଓଡ଼ିଶା ଦ୍ବିତୀୟ ପାଳି ୩୬.୨ ଓଭରରେ ୧୩୦/୭ (ଗୋବିନ୍ଦ ପୋଦ୍ଦାର-୪୮, ସନ୍ଦୀପ ପଟ୍ଟନାୟକ-୩୬, ପ୍ରଶାନ୍ତ ସୋଲାଙ୍କି-୩/୧୨, ହିତେଶ ୱାଲୁଞ୍ଜ-୨/୪୪)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.6 ° C
    34.6 °
    34.6 °
    18 %
    1.5kmh
    87 %
    Sun
    34 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ