Friday, September 20, 2024
24.1 C
Odisha

    ସୁଭଦ୍ରା’ ଗାଇଡଲାଇନକୁ କ୍ୟାବିନେଟ୍ ମଞ୍ଜୁରୀ: ବର୍ଷକୁ ମହିଳାଙ୍କୁ ମିଳିବ ୧୦ହଜାର ଟଙ୍କା, ୫ବର୍ଷ ଚାଲିବ ଯୋଜନା

    ଆଗକୁ ପଢନ୍ତୁ

    ରାଜ୍ୟର ମହିଳାମାନଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ରାଜ୍ୟ ସରକାର ଯୋଗାଇଦେବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ୨ଟି କିସ୍ତିରେ ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସେମାନେ ନିଜ ଇଚ୍ଛାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ । ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନଙ୍କୁ ବାଦ୍ ଦେଇ ରାଜ୍ୟର ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନେ ଏହି ଟଙ୍କା ପାଇପାରିବେ । ପ୍ରାୟ ଏକ କୋଟିରୁ ଅଧିକ ମହିଳା ବର୍ଷକୁ ଏହି ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ଚଳିତ ଆର୍ଥିକ ବର୍ଷରୁ ପାଇବେ । ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି ।

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଯୋଜନାକୁ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ହୋଇଛି।୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନାରେ ରାଜ୍ୟର ୧କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି ।

    ସେ କହିଛନ୍ତି ଯେ, ତାଙ୍କ ସରକାର ଅନ୍ତ୍ୟୋଦୟରେ ବିଶ୍ୱାସ କରନ୍ତି । ତେଣୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ । ସେହିପରି କୌଣସି ଯୋଜନାରେ ଯଦି କେହି ମହିଳା ମାସିକ ୧୫୦୦ଟଙ୍କା ଅବା ତଦୁର୍ଦ୍ଧ୍ୱ ସହାୟତା ଅବା ବାର୍ଷିକ ୧୮ହଜାର ଟଙ୍କାରୁ ଅଧିକ ସହାୟତା ରାଶି ପାଉଥିବେ ତା’ହେଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ ।

    ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ(ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ