ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ଗାଡ଼ି ମାଲିକଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପୁରୁଣା ଗାଡ଼ି ମାଲିକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ନିର୍ଦ୍ଦେଶ ମୁଖ୍ୟ ବିଚାରପତି ବି.ଆର. ଗଭାଇ, ବିଚାରପତି ବିନୋଦ କେ. ଚନ୍ଦ୍ରନ୍ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି ଯେ, ଆଗାମୀ ଚାରି ସପ୍ତାହ ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି କିମ୍ବା ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ମାଲିକଙ୍କ ବିରୁଦ୍ଧରେ କୌଣସି ଦଣ୍ଡ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । କୋର୍ଟ ଏହି ମାମଲାରେ ଏକ ନୋଟିସ ଜାରି କରିଛନ୍ତି ଏବଂ ଚାରି ସପ୍ତାହ ମଧ୍ୟରେ ସମ୍ପୃକ୍ତ ପକ୍ଷଙ୍କଠାରୁ ଉତ୍ତର ମାଗିଛନ୍ତି । ଏହା ପରେ ମାମଲାର ପୁଣି ଶୁଣାଣି କରାଯିବ ।
ଶୁଣାଣି ସମୟରେ ମୁଖ୍ୟ ବିଚାରପତି ବି.ଆର. ଗଭାଇ କହିଥିଲେ ଯେ, ପୂର୍ବରୁ କାରଗୁଡ଼ିକ ୪୦ ରୁ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଆଜି ମଧ୍ୟ ଅନେକ ପୁରୁଣା କାର୍ ଅଛି । କେବଳ ବୟସ ଆଧାରରେ ଯାନଗୁଡ଼ିକୁ ଅଳିଆ ଭାବରେ ବିବେଚନା କରିବା ଠିକ୍ କି ? କୋର୍ଟ କହିଥିଲେ କି, ଏହି ପ୍ରସଙ୍ଗକୁ ଅଧିକ ଗଭୀର ଭାବରେ ବିଚାର କରାଯିବା ଆବଶ୍ୟକ, ବିଶେଷକରି ଯେତେବେଳେ ଯାନର ଅବସ୍ଥା ଏବଂ ସେମାନଙ୍କର ପ୍ରଦୂଷଣ ସ୍ତର ଭିନ୍ନ ହୋଇପାରେ ।
କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM) ଏପର୍ଯ୍ୟନ୍ତ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନ ଦ୍ୱାରା ହେଉଥିବା ପ୍ରଦୂଷଣ ଉପରେ କୌଣସି ଅଧ୍ୟୟନ କରିନାହିଁ । ଦିଲ୍ଲୀ ସରକାର ପୂର୍ବରୁ ପୁରୁଣା ଯାନବାହନ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ସେମାନେ କୋର୍ଟରେ ଆବେଦନ କରିବେ । କିନ୍ତୁ ସୁପ୍ରିମକୋର୍ଟଙ୍କ ସଦ୍ୟତମ ନିର୍ଦ୍ଦେଶ ପରେ ଏହି ନୀତି ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହେବ ନାହିଁ । ପୁରୁଣା ଯାନବାହାନ ମାଲିକମାନେ ଏବେ ଚାରି ସପ୍ତାହ ପାଇଁ ଆଶ୍ୱସ୍ତିର ନିଶ୍ୱାସ ନେଇପାରିବେ ।