Thursday, April 2, 2026
25.4 C
Odisha

    ଶ୍ରୀନଅରରେ ସୁନିଆଁ ପର୍ବ ପାଳିତ: ଗଜପତି ମହାରାଜାଙ୍କ ନୂଆ ଅଙ୍କ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀନଅରରେ ଆଜି ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ସୁନିଆଁ ପର୍ବ ପାଳିତ ହୋଇଯାଇଛି। ଏହାସହ ଆଜିଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ବର ନୂଆ ଅଙ୍କ ଓ ନୂଆ ସାଲ(ବର୍ଷ) ଆରମ୍ଭ ହୋଇଛି। ଆଜିଠାରୁ ଗଜପତି ମହାରାଜଙ୍କ ରାଜତ୍ବର ୧୪୩୨ ସାଲ ଓ ୬୮ ଅଙ୍କ ପ୍ରବେଶ କରିଛି। ପ୍ରତୀକାତ୍ମକ ଭାବେ ୬୮ ଅଙ୍କ ଓ ୧୪୩୨ ସାଲ ଖୋଦିତ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଛି। ଏହି ଅବସରରେ ପାରମ୍ପରିକ ରାଜଗୁରୁମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ସିଂହାସନରେ ବିଜେ ପରେ ରାଜ ପରିବାର ଓ ପାରିଷଦ ବର୍ଗ ଗଜପତି ମହାରାଜାଙ୍କ ମଙ୍ଗଳ କାମନା କରିବା ସହ ସୁନିଆଁ ଭେଟି ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀନଅର ଉତ୍ସବମୁଖର ହୋଇଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।
    ମା’ କନକ ଦୁର୍ଗାଙ୍କ ସହ ଶ୍ୟାମାକାଳୀ, ରାଧାକୃଷ୍ଣ, ଶ୍ରୀନୃସିଂହ ଆଦି ଦେବଦେବୀଙ୍କଠାରେ ଗଜପତି ମହାରାଜାଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦେବଦେବୀଙ୍କୁ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ ପୂର୍ବକ ବିଶ୍ବର ମଙ୍ଗଳ କାମନା କରିଥିଲେ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପନ୍ନ ହୋଇଥିଲା। ସୁବର୍ଣ୍ଣ ମୁଦ୍ରାରୁ ପୁରୁଣା ଅଙ୍କକୁ ଲିଭାଯାଇ ନୂଆ ଅଙ୍କ ୬୮ ଉଲ୍ଲେଖ ପୂର୍ବକ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା। ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ ପ୍ରମୁଖ ଏହି ପୂଜାବିଧି ସଂପନ୍ନ କରିଥିଲେ। ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିରରେ ବି ସୁନିଆଁ ପର୍ବ ପାଳିତ ହୋଇଯାଇଛି। ପ୍ରତି ମଠରେ ଗାଦିପୂଜା କରାଯାଇଛି। ମଠାଧୀଶମାନେ ଗାଦିରେ ଉପବେଶନ ପରେ ଶିଷ୍ୟମାନେ ପୂଜାର୍ଚ୍ଚନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ