Monday, April 6, 2026
24.9 C
Odisha

    ଡିପ୍‌ଥେରିଆ ସଂକ୍ରମିତ ଆଖପାଖ ଜିଲ୍ଲାରେ ବି ହେବ ସର୍ଭେଲାନ୍ସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣ ଚିନ୍ତା ବଢ଼ାଇଛି। ବର୍ତ୍ତମାନସୁଦ୍ଧା ସରକାରୀଭାବେ ୫ଜଣ ଶିଶୁ ଏଥିରେ ପ୍ରାଣ ହରାଇଛନ୍ତି। ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ମାତ୍ର ବର୍ତ୍ତମାନସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକୃତରେ କେତେ ତାହା ରାଜ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି। ସଂକ୍ରମଣକୁ ରୋକିବା ଲାଗି ୩ ଜିଲ୍ଲା ବାଦ୍ ଆଖପାଖ ଜିଲ୍ଲାରେ ମଧ୍ୟ ଥଣ୍ଡା ଓ ଜ୍ବର ପାଇଁ ସର୍ଭେଲାନ୍‌ସ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ାର କାଶୀପୁର ବ୍ଲକ୍‌ ମୁନୁଷପଦରରେ ଶିଶୁମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ପ୍ରାଣ ହରାଇଥିବା ୫ଟି ଶିଶୁ ଭିତରୁ ଜ‌ଣଙ୍କ ନମୁନା ଆରଏମ୍‌ଆରସିରେ ପରୀକ୍ଷା କରାଯିବା ପରେ ତାହା ଡିପ୍‌ଥେରିଆ ବୋଲି ସ୍ପଷ୍ଟ ହୋଇଥିଲା। ତେଣୁ ରାଜ୍ୟ ସରକାର ଅନ୍ୟ ୪ଟି ମୃତ୍ୟୁକୁ ମଧ୍ୟ ଡିପ୍‌ଥେରିଆ କାରଣରୁ ହୋଇଥିବା ମାନି ନେଇଥିଲେ। ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଡିପ୍‌ଥେରିଆରେ ଏଭଳି ମୃତ୍ୟୁ ହୋଇ ନ ଥିଲା। ତେଣୁ କେଉଁ କାରଣ ପାଇଁ ଏତେ ସଂଖ୍ୟକ ଶିଶୁ ଡିପ୍‌ଥେରିଆରେ ପ୍ରାଣ ହରାଇଲେ, ତାହାର କାରଣ ଖୋଜିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି ହୋଇଛି।
    ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବି ଅସ୍ପଷ୍ଟ
    ଦୁଇଟି ଗାଁରେ ୪୮ ଜଣଙ୍କର ଟିକାକରଣ
    ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ଟିକାର ପ୍ରଭାବ ହ୍ରାସ ନା ନୂଆ‌ ଷ୍ଟ୍ରେନ୍ ପାଇଁ ସଂକ୍ରମଣ ବ୍ୟାପିଲା ତାହାର କାରଣ ଖୋଜିବାକୁ ଉଦ୍ୟମ ହେଉଛି। ଏଥିପାଇଁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଉଛି। ଯାଞ୍ଚ ରିପୋର୍ଟ ଏ ଯାଏ ଆସିନାହିଁ। ଆବଶ୍ୟକ ପଡ଼ିଲେ ସଂକ୍ରମିତଙ୍କ ଆଣ୍ଟିବଡି ପରୀକ୍ଷା ସହ ଜୀନ୍‌ ଅନୁଶୀଳନ ପାଇଁ ନିଷ୍ପତ୍ତି ନିଆଯିବ। ଆଇଏଲ୍‌ଏସ୍ କିମ୍ବା ଆରଏମ୍‌ଆରସି ଜରିଆରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେ କହିଛନ୍ତି ଯେ ରାଜ୍ୟରେ ଏବେ ଡିପ୍‌ଥେରିଆ ସ୍ଥିତି ନିୟନ୍ତ୍ରଣରେ ରହିଛି। କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ। ରାୟଗଡ଼ା ହସ୍ପିଟାଲରେ ଥିବା ରୋଗୀଙ୍କୁ ଡିସଚାର୍ଜ କରି ଦିଆଯାଇଛି। ଭବାନୀପାଟଣାରେ ଯେଉଁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋରାପୁଟ ବନ୍ଧୁଗାଁର ରୋଗୀ ଏମ୍‌କେସିଜି ମେଡିକାଲରେ ଭେଣ୍ଟିଲେଟରରେ ରହିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଆହୁରି ୧୬୦ ଭାଏଲ୍‌ ଆଣ୍ଟି ଡିପ୍‌ଥେରିଆ ସିରମ୍ ଆଣିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଡା.ମିଶ୍ର କହିଛନ୍ତି।

    ଅପରପକ୍ଷରେ ରାୟଗଡ଼ା କାଶୀପୁରରେ ଡିପ୍‌ଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଆଜିଠାରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ମୁନୁଷପଦର ସମେତ ଆଉ ଏକ ଗାଁରେ ୪୮ ଜଣଙ୍କ ଟିକାକରଣ ହୋଇଛି। ସଂଧ୍ୟା ପର୍ଯ୍ୟନ୍ତ ଟିକାକରଣ ଟିମ୍ କାର୍ଯ୍ୟ ଜାରି ରଖିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଜିଲ୍ଲାରେ ମଧ୍ୟ ଆବଶ୍ୟକ ସର୍ଭେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ