Saturday, May 2, 2026
25.6 C
Odisha

    ଡବଲ୍‌ ଇଞ୍ଜିନ୍‌ରେ ଆସିଲା ୧୦,୫୯୯ କୋଟି: କୋଲକାତା-ଚେନ୍ନାଇ ରେଳ ମାର୍ଗ ୪ ଲେନ୍‌ ବିଶିଷ୍ଟ ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ନୂଆଦିଲ୍ଲୀ: ଲଗାତାର ତୃତୀୟ ଆର୍ଥିକ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି। ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଗଠନ ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୧୦ ହଜାର ୫୯୯ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ରେଳ ଇତିହାସରେ ଏକ ରେକର୍ଡ। ଏହା ପୂର୍ବରୁ କୌଣସି ବି କେନ୍ଦ୍ର ସରକାରଙ୍କ ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳି ନ ଥିଲା। ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହଜାର କୋଟି ଟଙ୍କାର ଅନୁଦାନ ମିଳିବା କଷ୍ଟକର ହୋଇପଡ଼ୁଥିଲା। ଗତ କିଛି ବର୍ଷର ପରିସଂଖ୍ୟାନ ଓଲଟାଇଲେ ଜଣାପଡ଼ୁଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦ ହଜାର ୫୮୬ କୋଟି, ୨୦୨୩-୨୪ରେ ୧୦ ହଜାର ୧୨ କୋଟି, ୨୦୨୨-୨୩ରେ ୯ ହଜାର ୭୩୪ କୋଟି, ୨୦୨୧-୨୨ ଆର୍ଥିକ ବର୍ଷରେ ୫,୫୨୮ କୋଟି ଟଙ୍କା ପାଇଥିଲା ଓଡ଼ିଶା। ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୨୩କୁ ବିଚାରକୁ ନେଲେ ରେଳ ବଜେଟ୍‌ ଅନୁଦାନ ବହୁ ପରିମାଣ ବୃଦ୍ଧି ଘଟିଛି। କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ସମୟରେ ରେଳବାଇରେ ବାର୍ଷିକ ହାରାହାରି ୮୩୮କୋଟି ଟଙ୍କା ମିଳୁଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ରର ବିଜେପି ସରକାର ସମୟରେ ବଜେଟ୍‌ ବଢ଼ିଚାଲିଛି। ୨୦୦୯-୧୪ ତୁଳନାରେ ଏଥରର ବଜେଟ୍‌ ୧୨.୫ ଗୁଣ ଅଧିକ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

    ମନ୍ତ୍ରୀ କହିଥିଲେ, ୨୦୧୪-୨୫ ମଧ୍ୟରେ ବାର୍ଷିକ ହାରାହାରି ୧୮୬ କିମି ନୂତନ ଟ୍ରାକ୍‌ ବିଛାଯାଇଛି, ଯାହାକି ୨୦୦୯-୧୪ ତୁଳନାରେ ୩.୫ ଗୁଣ ଅଧିକ। ଓଡ଼ିଶାର ବିଦ୍ୟୁତୀକରଣ ୪.୫ ଗୁଣ ବୃଦ୍ଧି ଘଟିଛି। ୨୦୧୪-୨୦୨୫ ମଧ୍ୟରେ ହାରାହାରି ୧୩୮ କିମି ବିଦ୍ୟୁତୀକରଣ ଟ୍ରାକ୍‌ ହୋଇଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ୨,୦୪୬ କିମିରୁ ଅଧିକ ନୂତନ ଟ୍ରାକ ନିର୍ମାଣ କରାଯାଇଛି, ଯାହାକି ମାଲେସିଆର ରେଳ ନେଟ୍‌ୱାର୍କକୁ ଅତିକ୍ରମ କରିଛି। ଏଥିସହିତ ରାଜ୍ୟରେ ୭୮ ହଜାର କୋଟି ଟଙ୍କା ନିବେଶରେ ନୂତନ ରେଳ ପ୍ରକଳ୍ପ ନିର୍ମାଣ ଚାଲିଛି ଏବଂ କେତେକ ପ୍ରକଳ୍ପକୁ ମଞ୍ଜୁରି ମଧ୍ୟ ମିଳିଛି। ଜୁଲାଇ ମାସରୁ ଏପର୍ଯ୍ୟନ୍ତ ଓଡ଼ିଶାକୁ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। କଲିକତାରୁ ଚେନ୍ନାଇ ପର୍ଯ୍ୟନ୍ତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଦ୍ରୁତଗତିରେ ଅଗ୍ରଗତି କରୁଛି। କଲିକତା ଓ ଭଦ୍ରକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିକାଂଶ କାର୍ଯ୍ୟ ଶେଷ ହୋଇଛି। ତୃତୀୟ ଲାଇନ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଛି ଏବଂ ଭବିଷ୍ୟତରେ ଚତୁର୍ଥ ଲାଇନ କାର୍ଯ୍ୟ ପାଇଁ ପ୍ରକ୍ରିୟାକରଣ କରାଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ।

    ମନ୍ତ୍ରୀ କହିଥିଲେ, ଓଡ଼ିଶା ଶତ ପ୍ରତିଶତ ବିଦ୍ୟୁତୀକରଣ ହାସଲ କରିଛି। ୧,୫୧୬ କିମି ଟ୍ରାକ୍‌କୁ ବିଦ୍ୟୁତୀକରଣ କରାଯାଇଛି। ବର୍ତ୍ତମାନ ୪୮ଟି ନୂତନ ଟ୍ରାକ୍ ପ୍ରକଳ୍ପ ଚାଲିଛି। ମୋଟ ୭୩,୭୨୩ କୋଟି ଟଙ୍କା ନିବେଶରେ ୪,୭୮୪ କିମି ଟ୍ରାକ୍ ବିକଶିତ ହେଉଛି। ଅମୃତ ଷ୍ଟେସନ ବାବଦରେ ବଜେଟ୍‌ରେ ୨,୩୭୯ କୋଟି ଅନ୍ତର୍ଭୁକ୍ତ ରହିଛି। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଓ ରାଉରକେଲା ଭଳି ପ୍ରମୁଖ ଷ୍ଟେସନ ସମେତ ଓଡ଼ିଶାର ୫୯ଟି ଷ୍ଟେସନର ବିକାଶ ହେଉଛି। ୧,୮୯୮ କିମି ରେଳ ଲାଇନ ପାଇଁ କବଚ ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁର କରାଯାଇଛି। ୬୪୫ କିମି ପାଇଁ କାର୍ଯ୍ୟ ଓ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ସୁରକ୍ଷା ବୃଦ୍ଧି ପାଇଁ ମୋଟ ଏକ ହଜାର ଲୋକୋମୋଟିଭ୍ ସିଷ୍ଟମ ସହ ସଂଯୁକ୍ତ କରାଯିବ। ୨୦୧୪ରୁ ଏବେ ସୁଦ୍ଧା ୫୨୨ ରେଳ ଫ୍ଲାଏଓଭର ଓ ଅଣ୍ଡର-ବ୍ରିଜ୍ ନିର୍ମାଣ ହୋଇଛି। ଏଥିସହ ୨୩୪ଟି ଷ୍ଟେସନରେ ୱାଇ-ଫାଇ, ୪୩ଟି ଲିଫ୍ଟ ୧୮ଟି ଏସ୍କାଲେଟର ସ୍ଥାପନ ହୋଇଛି। ୬ଟି ବନ୍ଦେ ଭାରତ ଟ୍ରେନ୍ ଏବେ ଓଡ଼ିଶାରେ ଚଳାଚଳ କରୁଛି। ୧୭ଟି ଜିଲ୍ଲା ଓ ୨୫ଟି ଷ୍ଟପେଜ୍‌କୁ ସଂଯୋଗ କରୁଛି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ। ମାଲଦା ଟାଉନ୍ ଓ ବେଙ୍ଗାଲୁରୁ ମଧ୍ୟରେ ଚାଲୁଥିବା ଅମୃତ ଭାରତ ଏକ୍ସପ୍ରେସ୍ ୫ଟି ରାଜ୍ୟକୁ ସଂଯୋଗ କରୁଛି, ଯାହାକି ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରୁଛି।

    ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଥିଲେ ବର୍ତ୍ତମାନ ରାଜ୍ୟରେ ଜମି ଅଧିଗ୍ରହଣ, ପରିବେଶ ଓ ଜଙ୍ଗଲ ମଞ୍ଜୁରି ଭଳି ପ୍ରସଙ୍ଗରେ ବାଧକତା ନାହିଁ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ ସମ୍ମାନ ରହିଛି ଓ ରାଜ୍ୟରେ ରେଳ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ୨୦୨୫ ରେଳ ବଜେଟ୍‌ ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ଏକ ନୂତନ ଯୁଗର ସଙ୍କେତ ଦେଉଛି। ରାଜ୍ୟରେ ଅତୁଳନୀୟ ଅଭିବୃଦ୍ଧି, ଆଧୁନିକୀକରଣ ଏବଂ ସଂଯୋଗୀକରଣ ଆଣିବ। ଚାଲୁଥିବା ପ୍ରକଳ୍ପ ଭବିଷ୍ୟତର ନିବେଶ ଭାରତର ରେଳ ନେଟୱାର୍କରେ ଏକ ପ୍ରମୁଖ ଭାଗିଦାରୀ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ଏବଂ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ। ଚଳିତବର୍ଷ ବଜେଟ୍‌ରେ ୧ ଲକ୍ଷ ୫୪ ହଜାର କୋଟି ଟଙ୍କା କେବଳ ରେଳ ସୁରକ୍ଷା ନିମନ୍ତେ ବ୍ୟୟବରାଦ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.6 ° C
    25.6 °
    25.6 °
    53 %
    1.5kmh
    25 %
    Sat
    39 °
    Sun
    41 °
    Mon
    41 °
    Tue
    36 °
    Wed
    38 °

    ସମ୍ବନ୍ଧିତ