Tuesday, May 12, 2026
31.4 C
Odisha

    ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ‘ଦୁର୍ନୀତିଠାରୁ ଦୂରେଇ ରୁହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆମ ସରକାର ସବୁବେଳେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଶାସନ ଓ ପ୍ରଶାସନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ। ତେଣୁ ଏବେଠାରୁ ସମସ୍ତେ ସଚେତନ ରହିବାକୁ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ନିଯୁକ୍ତି ମେଳାରେ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସରକାରୀ ଚାକିରି ଜନସେବାର ଏକ ମାଧ୍ୟମ। ସରକାର ଓ ସରକାରୀ ବିଧି ବ୍ୟବସ୍ଥାରୁ ସାଧାରଣ ଜନତା ଅନେକ କିଛି ଆଶା କରିଥା’ନ୍ତି। ସେ ସବୁକୁ ପୂରଣ କରିବାକୁ ଆପଣମାନେ ହେଉଛନ୍ତି ସବୁଠାରୁ ବଡ଼ ମାଧ୍ୟମ। କାରଣ ତୃଣମୂଳ ସ୍ତରରେ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱ ଆପଣଙ୍କ କାନ୍ଧରେ। ଏହାକୁ ପୂରଣ କରିବାରେ ଆପଣମାନେ ସମର୍ଥ ହେବେ। ଗତ ୭ ମାସ ମଧ୍ୟରେ ଆମେ ୬ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୦ ହଜାରରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରିଛୁ। ଆଜି ଏହି ନିଯୁକ୍ତି ମେଳାରେ ୯ଟି ବିଭାଗର ପ୍ରାୟ ୬,୩୦୦ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୭ଟି ନିଯୁକ୍ତି ମେଳାରେ ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି। ପ୍ରଥମ ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

    ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ, ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବହୁତ କମ୍‍ ରହିଛି। ଉଦାହରଣ ସ୍ୱରୂପ, ପ୍ରତିରକ୍ଷାକୁ ମିଶାଇ କେନ୍ଦ୍ର ସରକାରରେ ପ୍ରାୟ ୩୫ ଲକ୍ଷ ଲୋକ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି। ଖାଲିଥିବା ପଦକୁ ସାମିଲ କଲେ ସାଢ଼େ ୪ଲକ୍ଷ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଅର୍ଥାତ ରାଜ୍ୟ ଜନସଂଖ୍ୟାର ଏକ ପ୍ରତିଶତରୁ କମ୍‍ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାଆନ୍ତି। ଏହି ଏକ ପ୍ରତିଶତରେ ଆପଣମାନେ ସୁଯୋଗ ପାଇଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍‍ ଇଞ୍ଜିନ୍‍ କରିବାର ଲକ୍ଷ୍ୟ ସାକାର କରିବାକୁ ଆମ ସରକାର ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦେଉଛି। କେବଳ ସରକାରୀ କ୍ଷେତ୍ରରେ ଏହି ପାଞ୍ଚ ବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି। ଉତ୍କର୍ଷ ଓଡ଼ିଶା-ମେକ ଇନ୍‌ ଓଡ଼ିଶା କନକ୍ଲେଭ୍‍-୨୦୨୫ରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ଆସିଛି। ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ୫ ବର୍ଷ ଆମ ଯୁବଶକ୍ତି ପାଇଁ ବିପୁଳ ସମ୍ଭାବନାର ସମୟ ହେବ ବୋଲି ସେ କହିଥିଲେ।

    ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଗତ ୮ ମାସ ମଧ୍ୟରେ  ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି କହିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଉତ୍କୃଷ୍ଟ କଳାର କ୍ଷେତ୍ର ଓଡ଼ିଶା ଭବିଷ୍ୟତର ଉତ୍କର୍ଷ ଓଡ଼ିଶା ଅଭିମୁଖେ ଅଗ୍ରସର ହେବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅତିଥି ଭାବେ ଯୋଗ ଦେଇଥିଲେ। ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ୱଥୀ ଏସ୍ ଧନ୍ୟବାଦ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮, ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.4 ° C
    31.4 °
    31.4 °
    46 %
    5.1kmh
    27 %
    Tue
    32 °
    Wed
    41 °
    Thu
    42 °
    Fri
    43 °
    Sat
    43 °

    ସମ୍ବନ୍ଧିତ