Wednesday, March 11, 2026
22.7 C
Odisha

    ପଦ୍ମଶ୍ରୀ ବିବାଦ: ଉଭୟ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ପଦ୍ମଶ୍ରୀ ପୁରସ୍କାର ବିବାଦ ହାଇକୋର୍ଟରେ ପହଞ୍ଚିଛି। ୨୦୨୩ରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ଦିଆ ନ ଯାଇ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

    ମାମାଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ପ୍ରତିପକ୍ଷ ନମ୍ବର-୨ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ହାଇକୋର୍ଟ ଆଜି ନୋଟିସ୍ ଜାରି କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ଘୋଷଣା ପୂର୍ବରୁ ଯାଞ୍ଚ ପ୍ରକ୍ରିୟାରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଓ ବିଭିନ୍ନ ଆବଶ୍ୟକ ବିଧି ବିଧାନ ଅନୁସରଣ କରାଯାଉଥିବା ବେଳେ ଏକାଭଳି ନାଁ କାରଣରୁ ଏପରି ଦାବି  ଓ ପ୍ରତିଦାବି ସ୍ଥିତି ଉପଜିବା ଆଶ୍ଚର୍ଯ୍ୟର ବିଷୟ ବୋଲି ହାଇକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ  ଉଲ୍ଲେଖନୀୟ ସେବା ପାଇଁ ଏହି ପୁରସ୍କାର ଏକ ମହାନ ସ୍ବୀକୃତି ବୋଲି ହାଇକୋର୍ଟ କହିଛନ୍ତି। ଏହା ଏକ ଗୁରୁତର ପ୍ରସଂଗ ହୋଇଥିବା ବେଳେ ଉଭୟ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତି ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

    ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଜଣେ ପଶୁ ଚିକିତ୍ସକ ଓ ଲେଖକ। ‌ସେ ଭୁବନେଶ୍ବରରେ ଅବସ୍ଥାନ କରନ୍ତି। ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ଆବେଦନକାରୀ ୨୯ଟି ପୁସ୍ତକ ଲେଖିଛନ୍ତି। ସାହିତ୍ୟ ପ୍ରତି ଅବଦାନ ପାଇଁ ତାଙ୍କ ନାଁ  ୨୦୨୩ର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ସ୍ଥାନ ପାଇଥିଲା ବୋଲି ହାଇକୋର୍ଟରେ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ  ଦର୍ଶାଇଛନ୍ତି ଯେ ପଦ୍ମଶ୍ରୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ଫୋନ୍ କଲ ଆସିଥିଲା। ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପତ୍ର ଲାଗି ଅପେକ୍ଷା କରିବାକୁ ଟେଲିଫୋନରେ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

    ପଦ୍ମଶ୍ରୀ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିବା ବେଳେ ସମାନ ନାଁ ଥିବା ଅନ୍ୟ ଜଣେ ଅନ୍ତର୍ଯ୍ୟମୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଚଞ୍ଚକତା କରି ଏପରି କରାଯାଇଛି। ଏହି ଘଟଣାର ଯାଞ୍ଚ କରାଯିବା ସହିତ ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ସରକାର ଓ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ‌ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ବାଇଁ ଓ ସନସାଇନ୍ ଆନନ୍ଦ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    69 %
    2.1kmh
    0 %
    Tue
    23 °
    Wed
    37 °
    Thu
    37 °
    Fri
    39 °
    Sat
    40 °

    ସମ୍ବନ୍ଧିତ