Wednesday, September 16, 2026
31.5 C
Odisha

    ପରିବର୍ତ୍ତନ କାଳ ପାଇଁ ଅସ୍ଥିର ପ୍ରଦର୍ଶନ ପାଇଲୁ: ସୁରେନ୍ଦ୍ର

    ଆଗକୁ ପଢନ୍ତୁ

    ଭାରତର ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବରିଷ୍ଠ ପୁରୁଷ ଦଳର ୨୦୨୪-୨୫ ଅଭିଯାନ ଶେଷ ହୋଇଯାଇଛି। ସୟଦ ମୁସ୍ତାକ୍ ଅଲୀ ଟ୍ରଫି (ଟ୍ବେଣ୍ଟି-୨୦), ବିଜୟ ହଜାରେ ଟ୍ରଫି (ଲିଷ୍ଟ୍‌-ଏ ଦିନିକିଆ) ଏବଂ ରଣଜୀ ଟ୍ରଫି (ବହୁଦିବସୀୟ)ରେ ଓଡ଼ିଶା ଦଳର ‌ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଚର୍ଚ୍ଚାରେ ରହିଛି। ସମସ୍ତ ୩ ଫର୍ମାଟ୍‌ରେ ଓଡ଼ିଶା ନକ୍ ଆଉଟ୍ ଯୋଗ୍ୟତା ଅର୍ଜନ କରିବା ଦୂରର କଥା, ଏହାର ପାଖାପାଖି ବି ପହଞ୍ଚିପାରିନାହିଁ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଗ୍ରୁପ୍‌-ଡି’ରେ ସବା ଶେଷ ସ୍ଥାନ (ସପ୍ତମ)ରେ ରହିଥିଲା। ବିଜୟ ହଜାରେ ଟ୍ରଫିରେ ବି ସେହି ଅବସ୍ଥା, ୮ ଦଳୀୟ ଗ୍ରୁପ୍‌-ଏ’ରେ ସପ୍ତମରେ ରହିଥିଲା। ସବୁଠୁ ମର୍ଯ୍ୟାଦାଜନକ ରଣଜୀ ଟ୍ରଫିରେ ବି ଓଡ଼ିଶା ଏଲିଟ୍ ଗ୍ରୁପ୍‌-ଏ’ରେ ତଳୁ ଦ୍ବିତୀୟ (ସପ୍ତମ)ରେ ରହିଛି। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି, ପ୍ରଶିକ୍ଷକ ବଦଳ, ଅଧିନାୟକ ପରିବର୍ତ୍ତନ, ଓପନର୍‌ଙ୍କ ବିଫଳତା ଏବଂ ବୋଲିଂ ଓ ଫିଲ୍ଡିଂରେ ଅସଂଗତିପୂର୍ଣ୍ଣ ପ୍ରଦର୍ଶନ କାରଣରୁ ଓଡ଼ିଶା କ୍ରିକେଟ୍‌ ନିଜ ୭୫ତମ ବର୍ଷରେ ବି ତଳମୁହାଁ ହେବା ପ୍ରଶଂସକ କି ପ୍ରଶାସକଙ୍କ ପାଇଁ ଗ୍ରହଣୀୟ ହୋଇପାରିନାହିଁ। ଓଡ଼ିଶା ଦଳ ଏଥର ନୂଆ ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କ ତତ୍ତ୍ବାବଧାନରେ ଖେଳିଥିଲେ ବି ଯଥା ପୂର୍ବ ତଥା ପରଂ ଭଳି ପ୍ରଦର୍ଶନ ଦେଖିବାକୁ ମିଳିଛି। ନିଜ ଖେଳ ଜୀବନରେ ଜଣେ ଭଲ ବ୍ୟାଟର୍ ଓ ଅଧିନାୟକ ଥିଲେ ମହାରାଷ୍ଟ୍ରର ସୁରେନ୍ଦ୍ର। ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ସର୍ଭିସେସ୍ ବିପକ୍ଷ ଶେଷ ମ୍ୟାଚ୍‌ ଅବସରରେ ସୁରେନ୍ଦ୍ର ଭାବେ ‘ଓଡ଼ିଶା ସହ ପ୍ରଥମ ଋତୁ’ର ଅନୁଭବ ପ୍ରକାଶ କରିଥିଲେ।

    ଧଳାବଲ୍‌ରେ (ସୀମିତ ଓଭର ପ୍ରତିଯୋଗିତା) ଆମେ ଭଲ ପ୍ରଦର୍ଶନ କରିପାରିନାହୁଁ। ଲାଲ୍ ବଲ୍‌ରେ (ରଣଜୀ ଟ୍ରଫି)ରେ ସେତେଟା ଖରାପ ବି କରିନାହୁଁ ବୋଲି ମୁଁ ଅନୁଭବ କରୁଛି। ତ୍ରିପୁରା ବିପକ୍ଷ ମ୍ୟାଚ୍‌ ଧୋଇଯାଇନଥିଲେ ଏବଂ ଡ୍ରିମ୍ସରେ ସର୍ଭିସେସ୍ ବିପକ୍ଷ ମ୍ୟାଚ୍‌ରୁ ୬/୭ ପଏଣ୍ଟ୍‌ ସୁଯୋଗ ହାତଛଡ଼ା ହୋଇନଥିଲେ ଗାଣିତିକ ଭାବେ ଆମେ ବି ନକ୍ ଆଉଟ୍ ସୁଯୋଗ ପାଇପାରିଥାନ୍ତୁ। ମୁମ୍ବାଇ ଓ ବରୋଦା ଭଳି ବଡ଼ ଦଳ ବିପକ୍ଷରେ ହାରିଯିବା ଆମକୁ ବହୁ ପଛରେ ରଖିଥିଲା। ଭଲ ଦଳ ବିପକ୍ଷରେ ଭଲ କରିବା ଏକ ପ୍ରକ୍ରିୟା ହେବା ଉଚିତ। ଏହି ପ୍ରକ୍ରିୟାରେ ଆମେ ରହିଛୁ। ଏହି ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କଲେ ଆଗକୁ ବଢ଼ିହେବ।
    ଓଡ଼ିଶା ବରିଷ୍ଠ ଦଳ ଏକ ପରିବର୍ତ୍ତନ କାଳରେ ଥିବାରୁ ଅସ୍ଥିର ପ୍ରଦର୍ଶନ ଦେଇଛି। ଖରାପ ଖେଳିଲେ ଅନେକ ପ୍ରଶ୍ନ ତ ଉଠେ। ପ୍ରତି ଦଳ କ୍ଷେତ୍ରରେ ଏଭଳି ଘଟିଥାଏ। ଆମେ ଧଳାବଲ୍‌ରେ ଆହୁରି ଉନ୍ନତ ପ୍ରଦର୍ଶନ ପରିପାରିଥାନ୍ତୁ। ତଥାପି ଯୁବ ଖେଳାଳିଙ୍କ ପ୍ରଭାବୀ ଆଗମନ ସକାରାତ୍ମକ ଭାବନା ଆଣି ଦେଇଛି। ଅନିଲ ପରିଡ଼ା ପଦାର୍ପଣରେ ୯୯* ରନ୍ କରିବା, ଆଶୀର୍ବାଦ ସ୍ବାଇଁ ଓପନିଂ ସ‌ୁଯୋଗରେ ଭଲ କରିବା, ସ୍ବସ୍ତିକ ସାମଲ ଋତୁସାରା ଭଲ ଖେଳିବା, ତାପସ ଦାସ ବହୁ ପ୍ରତୀକ୍ଷିତ ପଦାର୍ପଣରେ ଧଳାବଲରେ ୪ ଓ ଲାଲ୍ ବଲ୍‌ରେ ୫ ୱିକେଟ୍‌ ଦଖଲ କରିବା ଆଦି ଉଦାହରଣ ଆମକୁ ପ୍ରଚଣ୍ଡ ବିଶ୍ବାସ ଦେଇଛି। ଜଣେ ‌ବାମହାତୀ ସ୍ପିନର୍ (ସୁମିତ ଶର୍ମା) ୨ ଥର ୫ ୱିକେଟ୍‌ ସଫଳତା ପାଇବା ଓଡ଼ିଶାକୁ ସମ୍ଭବତଃ ୯ ବର୍ଷ ପରେ ମିଳିଛି। ସନ୍ଦୀପ ପଟ୍ଟନାୟକ ବି ଭଲ ବ୍ୟାଟିଂ ସହ ଭଲ ଅଧିନାୟକତ୍ବ କରିଛନ୍ତି।

    ବ୍ୟାଟିଂରେ ୧୦୦ ପ୍ରତିଶତ ଦେବାର କ୍ଷମତା, ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ ଏବଂ ଉନ୍ନତ କ୍ଷେତ୍ରରକ୍ଷଣ ହେଉଛି କ୍ରିକେଟ୍‌ର ତିନିଟି ପ୍ରମୁଖ ଦିଗ। କ୍ୟାଚିଂରେ ଆମେ ଉତ୍‌ଥାନ ଓ ପତନ ଦେଇ ଗତି କରିଛୁ। ଦ୍ରୁତ ବୋଲିଂରେ ନବାଗତଙ୍କୁ ଗଢ଼ି ତୋଳିବାର ବେଳ ଆସିଛି। ଏସବୁରେ ସଫଳତା ପାଇଁ ଅଫ୍ ସିଜନରେ ଫିଟ୍‌ ରହିବା ଅତ୍ୟନ୍ତ ଜରୁରୀ। ଫିଟ୍‌ରହି ପାରିଲେ ଦଳର ପରିବର୍ତ୍ତନ କାଳରେ ମିଳିଥିବା ଅଭିଜ୍ଞତାକୁ ସଫଳତାରେ ରୂପାନ୍ତର କରିହେବ। ୨୩ ବର୍ଷରୁ କମ୍‌ ଦଳରେ ୩/୪ ଜଣ ଭଲ ଖେଳାଳି ଅଛନ୍ତି ଯେଉଁମାନେ ଉପରକୁ ଆସିପାରିବେ। ଗୋଟିଏ ପ୍ରକ୍ରିୟା ଭିତରେ ରହି ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ମୋ ପାଇଁ ଏକ ନୀତି ଭଳି। ସଚ୍ଚୋଟତାର ସହ କହିଲେ ‘ଖେଳାଳି ଓ ପ୍ରଶିକ୍ଷକ ପରସ୍ପରକୁ ଭଲ ଭାବେ ଜାଣିବାକୁ ଅନ୍ୟୂନ ଗୋଟିଏ ବର୍ଷ ଲାଗିଯାଏ। ନିଜ ନିଜ ଭିତରେ ସମନ୍ବୟ ପାଇଁ ସମୟ ଓ ଧୈର୍ଯ୍ୟର ବି ଆବଶ୍ୟକତା ଥାଏ। ରାତାରାତି କିଛି ହୋଇଯାଏ ନାହିଁ। ଖେଳାଳିଙ୍କ ମନୋଭାବରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେମାନଙ୍କୁ ଉନ୍ନତ ପ୍ରଦର୍ଶନ ଦେବାକୁ ମୋତେ ହିଁ ସ୍ବପ୍ନ ଭରିଦେବାର ଅଛି, ଏହା ମୋ କାମ। ଏହା କରାଯାଉଛି। ଆସନ୍ତା ଋତୁରେ ସୁଫଳ ମିଳିବ ବୋଲି ଆଶା କରିପାରିବା।
    ଓଡ଼ିଶା ଖେଳାଳିଙ୍କ ପାଇଁ ଆଇପିଏଲ୍‌ ଅପହଞ୍ଚର କାରଣ ସମ୍ପର୍କରେ ୫୮ ବର୍ଷୀୟ ଭାବେ କହିଥିଲେ ‘ଖେଳାଳିଙ୍କୁ ସୟଦ ମୁସ୍ତାକ ଅଲୀ ଟ୍ରଫି ହେଉ କି ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିବାର ଅଛି। ଆଇପିଏଲ୍‌ ଯିବାକୁ ଓଡ଼ିଶାରୁ ବାଟ ଫିଟିବ। ପ୍ରଭାବୀ ଖେଳିବା ସହିତ ଦଳକୁ କ୍ବାଲିଫାଏ କରାଇବା ଗୁରୁତ୍ବପୂର୍ଣ୍ଣ। ପ୍ରଦର୍ଶନ ଛଡ଼ା ଆଉ କିଛି ମାଧ୍ୟମ ନାହିଁ। ଶୁଭ୍ରାଂଶୁ ସେନାପତି ସିଏସ୍‌କେ ପାଇଁ ଯାଇ ପାରିଥିଲେ। ବର୍ତ୍ତମାନର ଦଳରୁ ସ୍ବସ୍ତିକ ସାମଲ ଆଇପିଏଲ୍‌ ଖେଳିବାକୁ କ୍ଷମତା ରଖିଛନ୍ତି। ମହାରାଷ୍ଟ୍ର ବିପକ୍ଷରେ ସେ ଖେଳିଥିବା ଧଳାବଲ୍‌ ଶତକ ମନେ ଅଛି। ଯୁବ ୱିକେଟରକ୍ଷକ୍ ଆଶୀର୍ବାଦ ସ୍ବାଇଁଙ୍କୁ ଜଣେ ସ୍ବତନ୍ତ୍ର ପ୍ରତିଭା ବୋଲି ଭାବେ ଅଭିହିତ କରିଥିଲେ। ଆଶୀର୍ବାଦ ଭାରତରେ ଅନ୍ୟତମ ଶ୍ରେଷ୍ଠ ୱିକେଟ୍‌ରକ୍ଷକ ବ୍ୟାଟର୍‌ ବୋଲି ସେ ଦର୍ଶାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.5 ° C
    31.5 °
    31.5 °
    61 %
    2.2kmh
    39 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ