Friday, October 2, 2026
29.9 C
Odisha

    ବୃଦ୍ଧ ମା’-ବାପାଙ୍କୁ ନପଚାରିଲେ ମିଳିବନି ସମ୍ପତ୍ତି

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : ବୃଦ୍ଧ ବାପା-ମା’ଙ୍କୁ ଯଦି ପୁଅ ଝିଅମାନେ ନ ପଚାରନ୍ତି, ତେବେ ସେମାନଙ୍କ ସମ୍ପର୍କିତ ଜମି ଖର୍ଦି-ବିକ୍ରି କାଗଜପତ୍ର ସହିତ ଯଦି ମା’-ବାପାଙ୍କର କୌଣସି ଇଚ୍ଛାପତ୍ର ଆଦି ରହିଥାଏ ତାହାକୁ ବାତିଲ କରିଦିଅ। କର୍ଣ୍ଣାଟକ ରାଜସ୍ବ ବିଭାଗକୁ ଏଭଳି ନିର୍ଦେଶ ଦେଇଛନ୍ତି ରାଜ୍ୟର ଡାକ୍ତରୀ ଶିକ୍ଷା ବିଭାଗ ମନ୍ତ୍ରୀ ଶରଣ ପ୍ରକାଶ ପାଟିଲ। ବେଲଗାଭି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରେ ପ୍ରାୟ ୧୫୦ ଓ ଅନ୍ୟ ମେଡିକାଲ କଲେଜରେ ପରିବାର ଦ୍ବାରା ପରିତ୍ୟକ୍ତ ଶତାଧିକ ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କୁ ଠାବ କରାଯିବା ପରିପ୍ରେକ୍ଷୀରେ ମନ୍ତ୍ରୀ ପାଟିଲ ଏହି ନିର୍ଦେଶ ଦେଇଛନ୍ତି। ସମ୍ପତ୍ତି ଛଡ଼ାଇନେଲେ ଏହି ପରିତ୍ୟକ୍ତ ବୃଦ୍ଧ ବୃଦ୍ଧାଙ୍କ ପୁଅ ଝିଅମାନେ ସାବାଡ଼ ହୋଇଯିବେ ବୋଲି ପାଟିଲ ମତ ଦେଇଛନ୍ତି। ଆଜିକାଲି ପିଲାମାନେ ସମ୍ପତ୍ତି ହାତେଇବା ପରେ ବୃଦ୍ଧ ମା’-ବାପାଙ୍କୁ ଘରୁ ବାହାର କରିଦେଉଛନ୍ତି ବା ଅପଚରା କରୁଛନ୍ତି। ସେମାନଙ୍କ ନିର୍ଯାତନା ସହିନପାରି ମା’-ବାପାମାନେ ଡାକ୍ତରଖାନା, ମନ୍ଦିର ଓ ବଜାରଘାଟରେ ବୁଲୁଛନ୍ତି।ଏମିତି କାହାଣୀର ଦୃଷ୍ଟାନ୍ତ ଅନେକ। ଏହାର ପ୍ରତିକାର ପାଇଁ ମନ୍ତ୍ରୀ ରାଜ୍ୟର ‘ମା’-ବାପା ଏବଂ ବରିଷ୍ଠ ନାଗରିକ କଲ୍ୟାଣ ଆଇନ-୨୦୦୭’ ଆଧାରରେ ଏଭଳି ପିଲାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିନବ ଉପାୟ ବାହାର କରିଛନ୍ତି।

    ବେଲ୍‌ଗାଭି ଡାକ୍ତରଖାନା ନିର୍ଦେଶକଙ୍କ ସୂଚନାନୁଯାୟୀ, ବହୁ ଲୋକ ଚିକିତ୍ସା ଆଳରେ ବୃଦ୍ଧ ବାପା-ମା’ଙ୍କୁ ଆଣି ଡାକ୍ତରଖାନାରେ ଛାଡ଼ି ଚାଲିଯାଉଛନ୍ତି। ସମ୍ପୃକ୍ତ ପରିତ୍ୟକ୍ତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ସେ ଜନିତ ସମସ୍ୟା ଉତ୍କଟ ହେବାରୁ ସେମାନଙ୍କୁ ଆଶ୍ରୟ ପ୍ରଦାନ ପାଇଁ ବେଲ୍‌ଗାଭି ଡାକ୍ତରଖାନା କର୍ତ୍ତୃପକ୍ଷ ୭୦ ବରିଷ୍ଠ ନାଗରିକଙ୍କ ଥଇଥାନ ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରିଛନ୍ତି। ଅନେକଙ୍କୁ ଡାକ୍ତରଖାନାରେ ଆଶ୍ରୟ ଦେବା ସହ ବିଭିନ୍ନ ବୃଦ୍ଧାଶ୍ରମରେ ଥଇଥାନ କରିବା ଉଦ୍ୟମ ଚଳାଇଛନ୍ତି। ଏକ ବୈଠକରେ ନିର୍ଦେଶକ ଏହି କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କର୍ଣ୍ଣାଟକ ବିଧାନ ପରିଷଦରେ ବିସ୍ତୃତ ଆଲୋଚନା ହୋଇଛି।ଡାକ୍ତରଖାନାରେ ମାଗଣା ଖାଦ୍ୟ ଓ ଚିକିତ୍ସା ସହ ଆଶ୍ରୟ ମିଳୁଥିବାରୁ ସେବା ଯତ୍ନ ପାଇଁ ଓ ବୁଢ଼ା ବୟସର ବୋଝ ମୁଣ୍ଡାଇବାକୁ କୁଣ୍ଠିତ ପିଲାମାନେ ବୃଦ୍ଧ ବାପା-ମା’ଙ୍କୁ ଛାଡ଼ି ଚାଲିଯାଉଛନ୍ତି। କେହି କେହି ଆର୍ଥିକ ସମସ୍ୟାର ଆଳ ମଧ୍ୟ ଦେଖାଉଛନ୍ତି; ତେବେ ସବୁରି ମୂଳରେ ସମ୍ପତ୍ତି ରହିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଡାକ୍ତରୀ ଶିକ୍ଷା ବିଭାଗ ନିର୍ଦେଶକ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଚିଠି ଲେଖି ଏଭଳି ସମସ୍ୟା ସମ୍ପର୍କରେ ସତର୍କ କରାଇ ଦେବା ସହ ତୁରନ୍ତ ଏତଲା ଦାୟର କରିବାକୁ ନିର୍ଦେଶ ଦେଇଛନ୍ତି। ବୟସ୍କ ନାଗରିକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଉପରୋକ୍ତ ଆଇନ ସମ୍ପର୍କରେ ଅନେକ ସଚେତନ ନଥିବାରୁ ସମସ୍ୟା ଉତ୍କଟ ହେଉଛି। ବୟସ୍କ ନାଗରିକଙ୍କୁ ସାମାଜିକ, ସ୍ବାସ୍ଥ୍ୟଗତ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପ୍ରତ୍ୟେକ ପୁଅ-ଝିଅଙ୍କ କର୍ତ୍ତବ୍ୟ। ଏହାର ବ୍ୟତିକ୍ରମ ହେଲେ ପିଲାମାନଙ୍କୁ ବଂଶାନୁକ୍ରମିକ ଭାବେ ପ୍ରଦତ୍ତ ସମ୍ପତ୍ତି ବାତିଲ କରି ନିଜ ନାମକୁ ଫେରାଇ ଆଣିବାର ଆଇନଗତ ଅଧିକାର ସମ୍ପୃକ୍ତ ବୟସ୍କ ନାଗରିକଙ୍କର ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ