Tuesday, April 21, 2026
28.3 C
Odisha

    ଭରତପୁର ଖଣି ସାଇଲୋରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ତାଳଚେର: ତାଳଚେର ଭରତପୁର କୋଇଲା ଖଣିରେ ଥିବା ସାଇଲୋରେ ଆଜି ଭୋର୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ଏଥିରେ କୌଣସି କର୍ମଚାରୀ ଆହତ ହୋଇନାହାନ୍ତି। ବୁଧବାର ଭୋର ପ୍ରାୟ ସାଢ଼େ ୫ଟାବେଳେ ଭରତପୁର କୋଇଲା ଖଣି ସାଇଲୋରୁ ପ୍ରବଳ ଧୂଆଁ ଉଠିଥିଲା। ଏହା ପରେ କେତେକ କର୍ମଚାରୀ ଦେଖିଥିଲେ କୋଇଲା ପରିବହନ କରୁଥିବା ବେଲ୍‌ଟରେ ନିଆଁ ଲାଗିଛି। ଏହି ବେଲ୍‌ଟ ପ୍ରାୟ ୬୦ ମିଟର ପର୍ଯ୍ୟନ୍ତ ପୋଡ଼ି ଯାଇଥିବା‌ବେଳେ କେତେକ ଯନ୍ତ୍ରପାତି ମଧ୍ୟ ପୋଡ଼ିଯାଇଥିବା ଦେଖାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଶ୍ରମିକ, କର୍ମଚାରୀଙ୍କର କିଛି କ୍ଷତିଘଟି ନଥିଲା‌। ନିଆଁ ଲାଗିବାର ପ୍ରାୟ ଦେଢ଼ଘଣ୍ଟା ପରେ ସକାଳ ୭ଟାବେଳେ ୪ଟି ଦମକଳ ଗାଡ଼ି ପାଖାପାଖି ୪ ଘଣ୍ଟା ପରିଶ୍ରମ କରି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଏହି ସାଇଲୋରୁ ଟ୍ରେନ୍‌ରେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା। ଭରତପୁର କୋଇଲା ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଛି।

    ଦୁଇବର୍ଷ ପୂର୍ବରୁ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ବି ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ସାଇଲୋ କାର୍ଯ୍ୟକ୍ଷମ ହେବା ଦିନରୁ ତାହାର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଅନେକ ସମୟରେ ଅଘଟଣ ଘଟୁଛି ବୋଲି ଜଣେ ଶ୍ରମିକ ରଞ୍ଜିତ କୁମାର କହିଛନ୍ତି। ଆଗକୁ ଗ୍ରୀଷ୍ମପ୍ରବାହ ଅଧିକ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମଋତୁରେ କୋଇଲାରେ ନିଆଁ ଲାଗିଥାଏ। ଏଥିପ୍ରତି ଖଣି କର୍ତ୍ତୃପକ୍ଷ ସଜାଗ ରହିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏ ସଂପର୍କରେ ଭରତପୁର ଖଣି ପ୍ରକଳ୍ପ ଅଧିକାରୀ ଏସ୍‌. ଶର୍ମାଙ୍କୁ ପଚାରିବାରୁ ବିଦ୍ୟୁତ୍‌ ସର୍ଟସର୍କିଟ‌୍ ଯୋଗୁଁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ