Saturday, May 2, 2026
41.6 C
Odisha

    ସର୍ବସାଧାରଣଙ୍କ ପାଇଁ ଫେବୃଆରୀ ୨ରେ ଖୋଲିବ ‘ଅମୃତ ଉଦ୍ୟାନ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୨ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ଏହା ମାର୍ଚ୍ଚ ୩୦ ତାରିଖ ଯାଏଁ ଖୋଲା ରହିବ । ଏନେଇ ଆଜି ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ପ୍ରକାଶ ପାଇଛି ।

    ବିବୃତ୍ତି ଅନୁଯାୟୀ, ସପ୍ତାହର ୬ ଦିନ ଅମୃତ ଉଦ୍ୟାନ ଖୋଲା ରହିବାବେଳେ କେବଳ ସୋମବାର ଦିନ ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନ ବନ୍ଦ ରହିବ । ପର୍ଯ୍ୟଟକମାନେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ଯ୍ୟଟକମାନେ ଉଦ୍ୟାନରେ ପ୍ରବେଶ କରିବେ। ଏହା ସହ ସମସ୍ତ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ବସ୍‌ ସେବା ମଧ୍ୟ କରାଯାଇଛି । ଏହି ବସ୍‌ ଗୁଡ଼ିକ ସକାଳ ୯.୩୦ରୁ ଆରମ୍ଭ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟ ସମୟ ବ୍ୟବଧାନରେ ଚଳାଚଳ କରିବ ।ସେପଟେ, ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ମତଦାନ ହେତୁ ଉଦ୍ୟାନ ବନ୍ଦ ରହିବ । ଏଥିସହ ଫେବୃଆରୀ ୨୦ ଏବଂ ୨୧ ରେ ରାଷ୍ଟ୍ରପତି ଭବନରେ ସମ୍ମିଳନୀ ଏବଂ ମାର୍ଚ୍ଚ ୧୪ ରେ ହୋଲି ପାଇଁ ଅମୃତ ଉଦ୍ୟାନ ବନ୍ଦ ରଖାଯିବା ନେଇ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।ସେହିପରି କିଛି ବିଶେଷବ୍ୟକ୍ତିଙ୍କ ପାଇଁ ମଧ୍ୟ କେତେକ ସ୍ୱତନ୍ତ୍ର ଦିନରେ ପରିଦର୍ଶନ କରିବା ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ୨୬ରେ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଉଦ୍ୟାନ ଖୋଲା ରହିବାବେଳେ ମାର୍ଚ୍ଚ ୨୭ରେ ପ୍ରତିରକ୍ଷା, ପାରାମିଲିଟାରୀ ଏବଂ ପୋଲିସ୍‌ ଫୋର୍ସ କର୍ମଚାରୀମାନେ ଉଦ୍ୟାନ ବୁଲିବାର ସୁଯୋଗ ପାଇବେ । ସେହିପରି ମାର୍ଚ୍ଚ ୨୮ରେ ଏସଏଚଜି ମହିଳା ଏବଂ ଆଦିବାସୀ ମହିଳାଙ୍କ ପାଇଁ ଉଦ୍ୟାନ ଖୋଲା ରହିବ । ଏହା ବ୍ୟତୀତ ମାର୍ଚ୍ଚ ୨୯ରେ କେବଳ ବରିଷ୍ଠ ନାଗରିକମାନେ ଉଦ୍ୟାନ ପରିଦର୍ଶନ କରିବାର ସୁବିଧା ପାଇବେ ।ଅମୃତ ଉଦ୍ୟାନକୁ ପ୍ରବେଶ କରିବା ପାଇଁ, ଆପଣ visit.rashtrapatibhavan.gov.in ରେ ଯାଇ ଅନଲାଇନରେ ଟିକେଟ ବୁକ୍ କରିପାରିବେ କିମ୍ବା ରାଷ୍ଟ୍ରିୟ ଭବନରେ ସ୍ଥାପିତ କିଓସ୍କ ମେସିନରୁ କିମ୍ବା ସେଠାରେ ଥିବା କାଉଣ୍ଟରରୁ ଟିକେଟ୍ ମଧ୍ୟ ନେଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ