Friday, October 18, 2024
30.6 C
Odisha

    ଅଦ୍ଭୁତ ଦେଶପ୍ରେମୀ

    ଆଗକୁ ପଢନ୍ତୁ

     

    ପ୍ରତିବର୍ଷ ପରି ବୈଶାଳୀ ମହାନଗରରେ ବାର୍ଷିକ ମହୋତ୍ସବ ମହା ଆଡମ୍ବରରେ ପାଳିତ ହେଉଥାଏ । ଆକର୍ଷଣୀୟ ସାଜସଜ୍ଜା ହୋଇ ନୃତ୍ୟ,ଗୀତ, ଭୋଜିଭାତରେ ସମସ୍ତେ ଆନନ୍ଦରେ ବିହ୍ଵଳିତ ହୋଇ ଉଠୁଥାନ୍ତି । ଖବର ମିଳିଲା, ଉତ୍ସବ ମୁଖରିତ ଦୁର୍ବଳ ମୂହୁର୍ତ୍ତର ସୁଯୋଗ ନେଇ ଶତ୍ରୁ ରାଜ୍ୟର ରାଜା ବୈଶାଳୀ ରାଜ୍ୟ ଆକ୍ରମଣ କରିବାକୁ ଯୁଦ୍ଧର ଆହ୍ୱାନ ଦେଇଛନ୍ତି । ଦୁର୍ଭାଗ୍ୟକୁ ସୈନିକମାନଙ୍କୁ ସମୂହ ଛୁଟି ଦିଆଯାଇଛି । ବୈଶାଳୀ ମହାନଗରକୁ ଧସେଇ ପଶିଲେ ଶତ୍ରୁସେନା । ଅଚାନକ ଯୁଦ୍ଧର ମୁକାବିଲା କରିବା ବୈଶାଳୀ ପାଇଁ କାଠିକର ପାଠ ଥିଲା । ମାରଧର,ହଣାକଟା, ଲୁଟପାଟରେ ମହାନଗରୀର ବାତାବରଣ ଦୁଃଖପୁର୍ଣ୍ଣ ହୋଇଉଠିଲା । ବୈଶାଳୀ ପରାଜିତ ହେଲା । ରାଜା ମନ୍ତ୍ରୀ ବନ୍ଦୀ ହେଲେ । ବଢି ଚାଲିଲା ମହାନଗରବାସୀଙ୍କ ଉପରେ ଶତ୍ରୁପକ୍ଷର ଅକଥନୀୟ ଅତ୍ୟାଚାର ।

    ହଠାତ ଉଗ୍ରବାଦୀ ସେନାଙ୍କ ସାମ୍ନାରେ ଆସି ପଥ ରୋକିଲେ ଜନୈକ ପରିଣତ ବୟସର ବୃଦ୍ଧ । ଅନେକ ଯୁଦ୍ଧରେ ନିଜର ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରି ହାରିଯାଇ ନଥିବା ଅବସରପ୍ରାପ୍ତ ସେନାନାୟକ ସେ । ସେନାମାନଙ୍କ ଆଗରେ ଖୁଣ୍ଟ ପରି ଦଣ୍ଡାୟମାନ ହୋଇ ବୀରତ୍ଵର ସହ କହିଲେ- ମୁଁ ଥାଉ ଥାଉ ମୋ ମହାନଗରୀବାସୀଙ୍କୁ ଦୟନୀୟ ଅତ୍ୟାଚାର ଦେଖିପାରିବି ନାହିଁ । ପାରୁଛ ଯଦି ତେବେ ମୋ ଶବ ଉପର ଦେଇ ଆଗକୁ ବଢ । ଶତ୍ରୁପକ୍ଷ ସେନାପତି ତାଙ୍କୁ ଫେରିଯିବାକୁ ଆଦେଶ ଦେଲେ । ଅନୁରୋଧ କଲେ । କଥା ଦେଲେ,ତୁମର କି ତୁମ ପରିବାରର କିଛି କ୍ଷତି କରାଯିବ ନାହିଁ । ତାତ୍ସଲ୍ୟର ହସ ହସିଲେ ବୃଦ୍ଧ ଜଣକ । କହିଲେ, ମୁଁ ଆପଣଙ୍କ ଦୟାରେ ବଞ୍ଚିବାକୁ ଚାହେଁନି । ଏପରି ଏକ ପ୍ରସ୍ତାବ ମୋ ସ୍ଵାଭିମାନ ଉପରେ କୁଠାରାଘାତ କରୁଛି । ମୁଁ ମୋ ମହାନଗରୀବାସୀଙ୍କ ପାଇଁ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ । କିନ୍ତୁ ଆପଣ ଏ ଦମନଲୀଳା ବନ୍ଦ କରନ୍ତୁ ।

    ଶତ୍ରୁପକ୍ଷର ସେନାପତି ପ୍ରସ୍ତାବ ଦେଲେ, ତୁମେ ଏଇ ନିକଟବର୍ତ୍ତୀ ନଦୀରେ ଯେତେ ସମୟ ଯାଏଁ ବୁଡ଼ି ରହିପାରିବ, ସେତେ ସମୟ ଯାଏଁ ନିର୍ଯାତନା ଦେବା ଓ ଲୁଣ୍ଠନ କରିବା ବନ୍ଦ ରଖାଯିବ । ବଡ଼ ଅଦ୍ଭୂତ ଥିଲା ଏ ସର୍ତ୍ତ । ହସ ହସ ମୁଖରେ ଏ ସର୍ତ୍ତରେ ରାଜି ହୋଇ ମହାନାୟକ ନଦୀଜଳକୁ ଲମ୍ଫ ପ୍ରଦାନ କଲେ । ସେନାପତିଙ୍କ ଆଦେଶରେ ଆତଙ୍କରାଜ ଅତ୍ୟାଚାର ବନ୍ଦ ରଖାଗଲା । ସେନାଧ୍ୟକ୍ଷ ଓ ତାଙ୍କ ବିଶାଳ ସେନାବାହିନୀ ବୃଦ୍ଧଙ୍କ ନଦୀରୁ ଉଠିବା ମୁହୂର୍ତ୍ତକୁ ଅପଲକ ନେତ୍ରରେ ଚାହିଁ ରହିଥାନ୍ତି । କିନ୍ତୁ ଏ କଣ ! ସେ ବୁଡିଛନ୍ତି ଯେ ବୁଡିଛନ୍ତି । ଦୀର୍ଘ ସମୟ ହେଲା ଉଠୁନାହାନ୍ତି । ସୈନ୍ୟବାହିନୀର ବୁଡାଳିମାନେ ବୁଡ଼ି ବୃଦ୍ଧଙ୍କୁ ନଦୀରେ ଖୋଜି ଚାଲିଲେ । ବୃଦ୍ଧ ମିଳିଲେ । ହେଲେ ଜୀବନ୍ତ ଭାବେ ନୁହେଁ । ଶବ ହୋଇ । ସେ ଏକ ପଥର ସନ୍ଧିରେ ପଥରକୁ ଖୁବ ଜୋରରେ ଜାବୁଡି ଧରି ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଏପରି ଅଦ୍ଭୂତପୂର୍ବ ତ୍ୟାଗ ଓ ବଳିଦାନ ଦେଖି ଶତ୍ରୁପକ୍ଷର ସେନାପତିଙ୍କ ହୃଦୟ ତରଳିଗଲା । ଆଖିରୁ ତାଙ୍କର ଝରିଆସିଲା ଅଶ୍ରୁଧାର । ବୃଦ୍ଧଙ୍କ ଆତ୍ମ ଉତ୍ସର୍ଗକୁ ସମ୍ମାନ ଜଣାଇ ଶତ୍ରୁପକ୍ଷ ସମସ୍ତ ଲୁଣ୍ଠିତ ଧନ ଫେରାଇ, ରାଜା ମନ୍ତ୍ରୀଙ୍କୁ ବନ୍ଦୀମୁକ୍ତ କରାଇ ନିଜ ରାଜ୍ୟକୁ ବାହୁଡି ଗଲେ । ଧନ୍ୟ ଏପରି ତ୍ୟାଗପୂତ, ଦେଶଭକ୍ତ ମହାନାୟକ । ତାଙ୍କର ମହାନ ଜୀବନୀରୁ ଦେଶପ୍ରେମର ଯେଉଁ ଜ୍ଵଳନ୍ତ ଉଦାହରଣ ମିଳେ, ତାହା ବାସ୍ତବିକ ଅନୁକରଣୀୟ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ