ବଲାଙ୍ଗୀରି : ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ବେପାର । ସମ୍ବଲପୁରୀ ଶାଢି ବିକିବା ଆଳରେ ହେଉଥିଲା ଗଞ୍ଜେଇ ଚାଲାଣ । ୧୧୩ କେଜି ଗଞ୍ଜେଇ ସହିତ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବଲାଙ୍ଗିର ପୋଲିସ ହାତରେ ଧରାପଡିଛନ୍ତି ୭ ଅଭିଯୁକ୍ତ । ବଲାଙ୍ଗିରରୁ ଆମାଜନ ମାଧ୍ୟମରେ ଗଞ୍ଜେଇ ଚାଲାଣ କରୁଥିଲେ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ଦିଲ୍ଲୀ ଗାଜିଆବାଦକୁ ଅନ ଲାଇନରେ ଏହି ଗଞ୍ଜେଇ ଯାଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହି ଘଟଣାକୁ ନେଇ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ ।
ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଶ୍ୱ ବଜାରରେ ନିଜ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦେଉଛି । କୌଣସି ବ୍ୟବସାୟୀ ସେଠାରେ ନିଜ ଆକାଉଣ୍ଟ ଖୋଲି ସାମଗ୍ରୀ ବିକ୍ରି କରିପାରିବ । ଏହାକୁ ନିଶା ଚାଲାଣର ସୁରକ୍ଷିତ ବାଟ କରିଥିଲେ ମାଫିଆ । ଏଭଳି ଅନ୍ଲାଇନ୍ ନିଶା କାରବାର ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ହେଲେ ସବୁ ଅର୍ଡର ଅନ୍ଲାଇନ ଏବଂ ଇ-କମର୍ସରେ ଚାଲୁଥିବାରୁ ଚିହ୍ନଟ ସହଜ ନ ଥିଲା । ଗୁଇନ୍ଦା ସୂଚନା ଆଧାରରେ ପୋଲିସ୍ ସମ୍ପୃକ୍ତ ସମ୍ବଲପୁରୀ ଶାଢ଼ି ନାମକ ଇ-କମର୍ସ ପ୍ଲାଟଫର୍ମ କମ୍ପାନିକୁ ସ୍କାନରକୁ ନେଇଥିଲା । ତାହାର ସମସ୍ତ ପରିଚାଳନା ଟିମ, ଅର୍ଡର, ଡେଲିଭରି ନେଟୱର୍କ, ସାମଗ୍ରୀ ତଥ୍ୟ ଏବଂ ସମସ୍ତ ଦେଣନେଣ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ନିଶା କାରବାରର ଗୁମର ଖୋଲିଥିଲା । ସେମାନେ ସ୍ୱତନ୍ତ୍ର ବାରକୋଡ୍ ପ୍ରସ୍ତୁତ କରି ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା ।
