ଭୁବନେଶ୍ୱର : ରାଜଧାନୀରେ ନିଶାସକ୍ତ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ । ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଲା ଦାମୀ କାର୍ । ୩ଟି କାର ସହ ୨ଟି ବାଇକ୍ ଚୁରମାର । ପଳାସୁଣିରେ ସିରିଜ ଦୁର୍ଘଟଣା ଘଟାଇଲେ ନିଶାସକ୍ତ ଡ୍ରାଇଭର । ସିରିଜ ଦୁର୍ଘଟଣାରେ ୪ରୁ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୋର ସମୟରେ ନିଶାସକ୍ତ ଅବସ୍ଥାରେ କାର ଚଳାଉଥିଲେ ଡ୍ରାଇଭର । ଦୁର୍ଘଟଣା ପରେ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।
ଖବର ପାଇ ମଞ୍ଚେଶ୍ୱର ଥାନାର ୨ଟି ପିସିଆର୍, ପାହାଳ ଥାନାର ଗୋଟିଏ, ସହିଦନଗର ଥାନାର ଗୋଟିଏ ପିସିଆର୍ ଏବଂ ଗୋଟିଏ ହାଇ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ୍ ଓ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରିଥିଲେ । ଜଣେ ଆହତଙ୍କୁ ପିସିଆର୍ ଯୋଗେ ଏବଂ ଅନ୍ୟ ଗୁରୁତରଙ୍କୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି । ଘଟଣା ପରେ ମଞ୍ଚେଶ୍ୱର ଥାନା ପୋଲିସ୍ ସମସ୍ତ ଗାଡ଼ିକୁ ଥାନାକୁ ନେଇ ମାମଲା ରୁଜୁ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗାଡ଼ିର ଗତି ସମ୍ପର୍କରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।
