ଭାରତ ଓ ନେପାଳ ମଧ୍ୟରେ ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଯୋଧ୍ୟାକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଏବଂ ଜନକପୁର ଧାମକୁ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ମାନ୍ୟତା ରହିଛି। ଏହି ଦୁଇ ସ୍ଥାନ ମଧ୍ୟରେ ସିଧାସଳଖ ରେଳ ସେବା ଆରମ୍ଭ ହେବା ଫଳରେ ଶ୍ରଦ୍ଧାଳୁଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହେବେ। ଏହା ରାମାୟଣ ସର୍କିଟ୍‌ର ଧାର୍ମିକ ପର୍ଯ୍ୟଟନକୁ ନୂଆ ଗତି ଦେବାର ଆଶା ରହିଛି। ପ୍ରାୟ ୬୦୪ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଥିବା ଏହି ଟ୍ରେନ୍‌ ଯାତ୍ରା ପାଇଁ ପ୍ରାୟ ୧୯ ଘଣ୍ଟା ସମୟ ଲାଗିବ। ଏହା ଅଯୋଧ୍ୟା କ୍ୟାଣ୍ଟ୍‌ ଓ ଜନକପୁର ଧାମ ମଧ୍ୟରେ ସପ୍ତାହକୁ ଥରେ ଚଳାଚଳ କରିବ।

ନଭେମ୍ବର ୨୮ରୁ ନିୟମିତ ଯାତ୍ରୀ ସେବା ଆରମ୍ଭ ହେବ। ଏହାଦ୍ୱାରା ଯାତ୍ରୀମାନଙ୍କୁ ମଝିରେ ଅନ୍ୟ ଟ୍ରେନ ବଦଳାଇବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ, ଟ୍ରେନ୍‌ଟି ପ୍ରତି ସୋମବାର ଅଯୋଧ୍ୟା କ୍ୟାଣ୍ଟ୍‌ରୁ ସନ୍ଧ୍ୟା ୫ଟା ୫୦ ମିନିଟ୍‌ରେ ଛାଡ଼ି ମଙ୍ଗଳବାର ଦିନ ୧୨ଟା ୪୦ ମିନିଟ୍‌ରେ ଜନକପୁର ଧାମରେ ପହଞ୍ଚିବ। ଫେରିବା ସମୟରେ ପ୍ରତି ଶନିବାର ନେପାଳ ସମୟ ଅନୁସାରେ ଦିନ ୧ଟା ୧୦ ମିନିଟ୍‌ରେ ଜନକପୁରରୁ ଛାଡ଼ି ରବିବାର ସକାଳ ୮ଟା ୧୦ ମିନିଟ୍‌ରେ ଅଯୋଧ୍ୟାରେ ପହଞ୍ଚିବ।

ଏହି ଟ୍ରେନ୍‌ଟି ମନକାପୁର, ବସ୍ତି, ଗୋରଖପୁର, ନରକଟିଆଗଞ୍ଜ, ରକ୍ସୌଲ, ସୀତାମଢ଼ି, ଶିଶୋ, ମଧୁବନୀ ଓ ଜୟନଗର ଦେଇ ଚଳାଚଳ କରିବ। ଏଥିରେ ଏସି, ଶୟନଯାନ ସମେତ ବିଭିନ୍ନ ଶ୍ରେଣୀର କୋଚ୍‌ ରହିବ। ଏହି ସେବାରେ ଭାରତ ଓ ନେପାଳର ନାଗରିକମାନେ ଯାତ୍ରା କରିପାରିବେ। ନୂଆ ରେଳ ସେବା ଦ୍ୱାରା କେବଳ ଧାର୍ମିକ ଯାତ୍ରା ନୁହେଁ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ଓ ସାମାଜିକ ସମ୍ପର୍କ ମଧ୍ୟ ଅଧିକ ମଜବୁତ ହେବାର ଆଶା ରହିଛି। ବିଶେଷକରି ଉତ୍ତରପ୍ରଦେଶ, ବିହାର ଓ ନେପାଳର ସୀମାବର୍ତ୍ତୀ ଅଞ୍ଚଳରେ ହୋଟେଲ୍‌, ପରିବହନ, ସ୍ଥାନୀୟ ବ୍ୟବସାୟ ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇପାରିବ। ଏହା ଭାରତ-ନେପାଳର ଐତିହାସିକ ଓ ସାଂସ୍କୃତିକ ବନ୍ଧନକୁ ଆହୁରି ନିବିଡ଼ କରିବ ବୋଲି ଆଶା କରାଯାଉଛି।