ଛତ୍ରପୁର : ଅଶ୍ଳୀଳ ଦଣ୍ଡ ନାଚ ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । କାରଣ ଦର୍ଶାଅ ନୋଟିସ ଜାରି କଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ୱାରା ଧୂଳିଦଣ୍ଡରେ ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ ଜଣ ଆୟୋଜକଙ୍କ ଉପରେ ପୋଲିସ କେଶ ଦାୟର କରିଥିଲା ବେଳେ ଛତ୍ରପୁର ତହସିଲଦାର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେଉଥିବା ଦଣ୍ଡ ନାଚ ନେଇ ଏକ ଏସଓପି ଜାରି କରାଯାଇଛି ।
ଏସଓପି ଜାରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଶ୍ଳୀଳତା ବନ୍ଦ କରିବା ଓ ଆମର ସ୍ୱକୀୟ କଳା ଓ ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା । ଏସ ଓ ପି, ଜନ ସଚେତନତା ଓ ଗଣମାଧ୍ୟମ ଜରିଆରେ ଅନୁରୋଧ ସତ୍ୱେ ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରକାଶ ପାଉଛି । ଏକ ସୁସ୍ଥ ଓ ସଚେତନ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ଏହାପରେ ଯେଉଁଠି ବି ଅଶ୍ଳୀଳତା ପ୍ରକାଶ ପାଇବ ଆୟୋଜକଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
