ଆରପାରିରେ ବର୍ଷୀୟାନ ସଙ୍ଗୀତଜ୍ଞପ୍ରଣବ ପଟ୍ଟନାୟକ | ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି | ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ୧୯୩୮ ମସିହା ଜାନୁୟାରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ | ପିଲାଟିଦିନରୁ ତାଙ୍କର ସଂଗୀତ ପ୍ରତି ରୁଚି ରହିଥିଲା | ପ୍ରଥମେ ସେ କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବାର ସୌଭାଗ୍ୟ ଲାଭ କରିଥିଲେ | ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ମା’ ଚଳଚ୍ଚିତ୍ରରୁ ସେ ପ୍ରଛଦପଟ୍ଟ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ | ତାଙ୍କର ସୁଦୀର୍ଘ କ୍ୟାରିୟର ଭିତରେ ପ୍ରଣବ ପଟ୍ଟନାୟକ ୫୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ | ସେ ବାଳକୃଷ୍ଣ ଦାସ, ଉପେନ୍ଦ୍ର କୁମାର, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ର, ପ୍ରଫୁଲ୍ଲ କର, ଭୁବନେଶ୍ୱର ମିଶ୍ର, ବାସୁଦେବ ରଥ ଏବଂ ସ୍ୱରୂପ ନାୟକଙ୍କ ଭଳି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ | ସେ ଏକାଧିକବାର ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟକ ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ଲାଭ କରିଥିଲେ | ଏତଦ୍ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ | ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି |
