Sunday, October 11, 2026
29.5 C
Odisha

    ଆସନ୍ତାକାଲିଠୁ ଶାରଦୀୟ ନବରାତ୍ରି, ଜାଣନ୍ତୁ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ରହିଛି ବିଶେଷ ମହତ୍ତ୍ୱ। ମା’ ଦୁର୍ଗାଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିବ ଘରଠାରୁ ଆରମ୍ଭ କରି ପୂଜା ମଣ୍ଡପ । ନଅ ଦିନ ଧରି ଚାଲିବ ଶକ୍ତିସ୍ୱରୂପିଣୀ ମା’ଙ୍କ ପୂଜାର୍ଚ୍ଚନା । ଚଳିତ ବର୍ଷ ଅକ୍ଟୋବର ୧୧ ତାରିଖ ରବିବାରଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ତେବେ କେଉଁ ସମୟରେ କରିବେ ଘଟସ୍ଥାପନା? କେଉଁ ବାହନରେ ଆଗମନ କରିବେ ମା’ ଦୁର୍ଗା? ଆସନ୍ତୁ ଜାଣିବା ନବରାତ୍ରି ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

    ଶାରଦୀୟ ନବରାତ୍ରି ହେଉଛି ଶକ୍ତି ଉପାସନାର ଏକ ପବିତ୍ର ପର୍ବ । ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବରେ ମା’ ଦୁର୍ଗାଙ୍କ ନଅଟି ସ୍ୱରୂପର ପୂଜା କରାଯାଏ । ଘରେ ଘରେ କଳସ ସ୍ଥାପନା ସହ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି କରାଯାଏ । ନବରାତ୍ରିର ପ୍ରଥମ ଦିନରେ ଘଟସ୍ଥାପନା ପାଇଁ ରହିଛି ବିଶେଷ ଶୁଭ ମୁହୂର୍ତ୍ତ । ଦିଆଯାଇଥିବା ମୁହୂର୍ତ୍ତ ଅନୁଯାୟୀ, ସକାଳ ୮ଟା ୫ ମିନିଟରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଘଟସ୍ଥାପନା କରାଯାଇପାରିବ। ସକାଳ ୮ଟା ୫ ମିନିଟରୁ ୯ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ ଚଞ୍ଚଳ ବେଳା ଏବଂ ସକାଳ ୯ଟା ୩୧ ମିନିଟରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଅମୃତ ବେଳା ରହିଛି । ସେହିପରି ସକାଳ ୧୧ଟା ୩୬ ମିନିଟରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଅଭିଜିତ ମୁହୂର୍ତ୍ତ ରହିଛି ।

    ଧାର୍ମିକ ମାନ୍ୟତା ଅନୁଯାୟୀ, ନବରାତ୍ରି ଆରମ୍ଭ ହେଉଥିବା ବାର ଆଧାରରେ ମା’ ଦୁର୍ଗାଙ୍କ ବାହନ ନିର୍ଣ୍ଣୟ କରାଯାଏ । ଚଳିତ ବର୍ଷ ନବରାତ୍ରି ରବିବାର ଆରମ୍ଭ ହେଉଥିବାରୁ ମା’ ଦୁର୍ଗା ହାତୀ ଉପରେ ବିରାଜମାନ ହୋଇ ଆସିବେ ବୋଲି ବିଶ୍ୱାସ ରହିଛି । ମା’ଙ୍କ ହାତୀ ଉପରେ ଆଗମନକୁ ଶୁଭ ସଙ୍କେତ ଭାବେ ଗ୍ରହଣ କରାଯାଏ । ଏହା ଭଲ ବର୍ଷା, ଉତ୍ତମ ଫସଲ, ଧନଧାନ୍ୟ ବୃଦ୍ଧି ଏବଂ ସୁଖସମୃଦ୍ଧିର ପ୍ରତୀକ ବୋଲି ଧାର୍ମିକ ବିଶ୍ୱାସ ରହିଛି । ଅନ୍ୟପକ୍ଷରେ, ମା’ଙ୍କ ବିଦାୟର ବାହନକୁ ନେଇ ମଧ୍ୟ ବିଭିନ୍ନ ଧାର୍ମିକ ମାନ୍ୟତା ରହିଛି। ଅକ୍ଟୋବର ୧୧ ତାରିଖରେ ଘଟସ୍ଥାପନା ହେବାକୁ ଥିବାବେଳେ ଅକ୍ଟୋବର ୧୮ ତାରିଖରେ ମହାଷ୍ଟମୀ ବ୍ରତ ପାଳନ କରାଯିବ । ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ସକାଳ ୯ଟା ୩୫ ମିନିଟ୍‌ ପରେ ବ୍ରତ ପାରଣ କରିବାର ସମୟ ଦିଆଯାଇଛି ।

    କିପରି କରିବେ ଘଟସ୍ଥାପନା?

    ଘଟସ୍ଥାପନା ପାଇଁ ପ୍ରଥମେ ପୂଜାସ୍ଥଳକୁ ସଫା କରି ଗଙ୍ଗାଜଳ ଛିଞ୍ଚିବା ସହ ଏକ କାଠ ପିଢ଼ା ଉପରେ ନାଲି କପଡ଼ା ବିଛାଯାଏ । ଏହାପରେ ମା’ ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରାଯାଏ । ତମ୍ବା କିମ୍ବା ମାଟିର କଳସରେ ଜଳ ଭରି ସେଥିରେ ଗୁଆ, ମୁଦ୍ରା, ଅକ୍ଷତ ଚାଉଳ ଓ ଦୁବ ଘାସ ରଖାଯାଏ । କଳସ ମୁହଁରେ ଆମ୍ବ କିମ୍ବା ଅଶୋକ ପତ୍ର ରଖି ନାଲି କପଡ଼ାରେ ଗୁଡ଼ାଯାଇଥିବା ନଡ଼ିଆ ସ୍ଥାପନ କରାଯାଏ । ଏହା ସହ ଏକ ମାଟି ପାତ୍ରରେ ପବିତ୍ର ମାଟି ଭରି ଯଅ ବୁଣାଯାଏ । ନଅ ଦିନ ଧରି ଏହାର ଯତ୍ନ ନିଆଯାଏ । ଏହିପରି ଭାବେ ଆରମ୍ଭ ହେବ ଶକ୍ତି ଉପାସନାର ମହାପର୍ବ ଶାରଦୀୟ ନବରାତ୍ରି । ତେବେ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ ଓ ତିଥି ସ୍ଥାନ ଅନୁଯାୟୀ ଭିନ୍ନ ହୋଇପାରୁଥିବାରୁ ପୂଜା ପୂର୍ବରୁ ସ୍ଥାନୀୟ ପଞ୍ଜିକା କିମ୍ବା ପୁରୋହିତଙ୍କ ପରାମର୍ଶ ନେବା ଜରୁରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ