Friday, April 3, 2026
39 C
Odisha

    ଇସ୍କନ୍‌ ଗଭର୍ଣ୍ଣିଂ ବଡି କମିସନ୍‌ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି: ‘ରଥଯାତ୍ରା ଶାସ୍ତ୍ରାନୁମୋଦିତ ତିଥିରେ ପାଳନ କର

    ଆଗକୁ ପଢନ୍ତୁ

    ସମଗ୍ର ବିଶ୍ବରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳନ କରିବାକୁ ଇସ୍କନ୍‌ ଗଭର୍ଣ୍ଣିଂ ବଡି କମିସନ୍‌ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ବାରମ୍ବାର ଶାସ୍ତ୍ରାନୁମୋଦିତ ତିଥିକୁ ଇସ୍କନ୍‌ ଅବମାନନା କରୁଥିବାରୁ ପତ୍ର ଲେଖି ଏସମ୍ପର୍କରେ ଅବଗତ କରାଇଛନ୍ତି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରସମୂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ବେଳେ ଶାସ୍ତ୍ରୀୟ ବିଧିବିଧାନକୁ ଅନୁସରଣ କରୁନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ଶାସ୍ତ୍ର ବିରୋଧୀ କାର୍ଯ୍ୟ। ବିଭିନ୍ନ ଇସ୍କନ ମନ୍ଦିର ପକ୍ଷରୁ ଇଣ୍ଟରନେଟ୍‌ରେ ଏସମ୍ପର୍କରେ ଦିଆଯାଇଥିବା ଘୋଷଣାନାମାକୁ ମଧ୍ୟ ଚିଠି ସହିତ ସଂଲଗ୍ନ କରିଛନ୍ତି। ଶ୍ରୀ ଗଜପତି ମହାରାଜ ଲେଖିଛନ୍ତି, ଗତ ମାର୍ଚ୍ଚ ୨୦ ତାରିଖରେ ଭୁବନେଶ୍ବରରେ ହୋଇଥିବା ଆଲୋଚନା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଦୃଢ଼ ଭାବେ ଇସ୍କନର ଯୁକ୍ତିକୁ ଖଣ୍ଡନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ-ପୂର୍ଣ୍ଣିମା ତିଥିରେ ପାଳନ ହୁଏ। ଚଳିତ ବର୍ଷ ଜୁନ ୧୧ ତାରିଖରେ ପାଳନ ହୋଇଛି। ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଜୁନ ୨୭ ତାରିଖରେ ରଥଯାତ୍ରା ଏବଂ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତଥା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ନବଦିନବ୍ୟାପୀ ଯାତ୍ରା ପାଳନ ହେବ। ନଅ ଦିନ ମଧ୍ୟରେ ହିଁ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ାଯାତ୍ରା ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ମହାପ୍ରଭୁଙ୍କ ସବୁଠାରୁ ପବିତ୍ର ଏହି ଯାତ୍ରା ଅନ୍ୟ ତିଥି କିମ୍ବା ତାରିଖରେ ପାଳନ କରାଯିବା ଦ୍ବାରା ଶାସ୍ତ୍ର ତଥା ପବିତ୍ର ଶ୍ରୀଜଗନ୍ନାଥ ପରମ୍ପରା ଉଲ୍ଲଂଘନ ହେବ। ଏନେଇ ଗବେଷକମାନଙ୍କ ବିସ୍ତୃତ ଶାସ୍ତ୍ର ସମ୍ମତ ମତ ଖୁବଶୀଘ୍ର ଇସ୍କନକୁ ପଠାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ତେଣୁ ସମଗ୍ର ବିଶ୍ୱରେ କୌଣସି ଇସ୍କନ କେନ୍ଦ୍ର କିମ୍ବା ମନ୍ଦିରରେ ଶାସ୍ତ୍ର ସମ୍ମତ ତିଥି/ତାରିଖ ବ୍ୟତିରେକ ଅନ୍ୟ ଦିନ ସ୍ନାନଯାତ୍ରା କିମ୍ୱା ରଥଯାତ୍ରା ଯେପରି ପାଳିତ ନ ହୁଏ, ତାହା ନିଶ୍ଚିତ କରିବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ଚିଠି ଲେଖି ଶ୍ରୀ ଜଗପତି ମହାରାଜ ଅବଗତ କରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ