Thursday, September 24, 2026
24.5 C
Odisha

    ଉତ୍କଳର ଉତ୍କର୍ଷ ଅନ୍ବେଷଣ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଦେଶର ଅନେକ ପ୍ରମୁଖ ଶିଳ୍ପପତିଙ୍କ ଯୋଗଦାନ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ। ରାଜ୍ୟର ଔଦ୍ୟୋଗିକ ବିକାଶ ଯୋଜନା ପାଇଁ ପ୍ରସ୍ତୁତ ନକ୍ସାରେ ପୁଞ୍ଜିନିବେଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ର ଚିହ୍ନଟ କରାଯାଇଛି। ଏଗୁଡ଼ିକ ହେଲା କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଶିଳ୍ପ ଏବଂ ପେଟ୍ରୋ କେମିକାଲସ ଉଦ୍ୟୋଗ, ବୟନଶିଳ୍ପ, ଇଲେକ୍‌ଟ୍ରୋନିକ୍‌ ସିଷ୍ଟମ୍‌ ଡିଜାଇନ ଏବଂ ମ୍ୟାନୁଫାକ୍‌ଚରିଂ, ଆନୁଷଙ୍ଗିକ ଏବଂ ନିମ୍ନଧାରା ଶିଳ୍ପ। ଏହି ପାଞ୍ଚଟି ଉଦ୍ୟୋଗ ଗୋଷ୍ଠୀର ବିକାଶ ମାଧ୍ୟମରେ ରାଜ୍ୟରେ ପାଞ୍ଚଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ତିରିଶଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉତ୍କର୍ଷ ଓଡ଼ିଶା ଉତ୍ସବ ସମାପନ ପରେ ସରକାରଙ୍କ ତରଫରୁ ପ୍ରକାଶିତ ବିଜ୍ଞାପନରୁ ଜଣାଯାଏ ଯେ ସରକାର ୧୬.୭୩ ଲକ୍ଷ କୋଟି ଟଙ୍କାର ନି‌ବେଶ ପ୍ରସ୍ତାବ ପାଇଛନ୍ତି;କୋଡ଼ିଏଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ଆଗ୍ରହ ପରିଦର୍ଶିତ ହୋଇଛି ଏବଂ ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟତଃ ୧୫ଟି ବୃହତ୍‌ ଉଦ୍ୟୋଗ ଗୋଷ୍ଠୀ ବିପୁଳ ପରିମାଣର ପୁଞ୍ଜିନିବେଶ କରିବା ନିମନ୍ତେ ଆଗ୍ରହ ପ୍ରଦର୍ଶନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଅଛନ୍ତି ଆଦାନୀ, ବେଦାନ୍ତ, ଟାଟା, ମହାନଦୀ କୋଲଫିଲ୍ଡସ୍‌, ଜିନ୍ଦଲ, ନୈଭିଲି ଲିଗ୍‌ନାଇଟ୍‌, ନାଲକୋ, ଆଦିତ୍ୟ ବିର୍‌ଲା, ଓଏନଜିସି ତ୍ରିପୁରା, ପାରାଦ୍ବୀପ ବନ୍ଦର ଇତ୍ୟାଦି ଅନ୍ତର୍ଭୁକ୍ତ; କିନ୍ତୁ ଅନେକ କ୍ଷେତ୍ରରେ ପ୍ରକଳ୍ପ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଏଯାଏ ଆସି ପାରିନାହିଁ। ଏହାସତ୍ତ୍ବେ ଏକ ଧାରଣା ବ୍ୟାପକ ହେଉଛି ଯେ ଆଜି ଓଡ଼ିଶା ପୁଞ୍ଜିନିବେଶ ଏବଂ ଶିଳ୍ପାୟନ ନିମନ୍ତେ ଏକ ଆକର୍ଷଣୀୟ କେନ୍ଦ୍ର। ଅବଶ୍ୟ ଅନ୍ୟ କେତେକ ରାଜ୍ୟରେ ଅନୁରୂପ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଓଡ଼ିଶା ତୁଳନାରେ ବହୁଗୁଣ ଅଧିକ ପୁଞ୍ଜିନିବେଶ ଆଶ୍ବାସନା ପ୍ରାପ୍ତ ହୋଇସାରିଛି। ଏହି ବାତାବରଣ ପରିପ୍ରେକ୍ଷୀରେ କେତୋଟି ଆନୁଷଙ୍ଗିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ଆବଶ୍ୟକ ମନେହୁଏ। ପ୍ରଥମେ ନିଯୁକ୍ତି ସମ୍ଭାବନା ସମ୍ପର୍କରେ କେତୋଟି ତଥ୍ୟର ସମୀକ୍ଷା ଆବଶ୍ୟକ। ୨୦୦୦ ମସିହାରେ ଆମ ରାଜ୍ୟର ସଂଗଠିତ କ୍ଷେତ୍ରରେ ମୋଟ୍‌ ୭.୯୮ ଲକ୍ଷ ବ୍ୟକ୍ତି ନିଯୁକ୍ତି ପାଇଥିଲେ। ସେମାନଙ୍କ ମଧ୍ୟରୁ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଅନୁପାତ ଥିଲା ୮୯.୧ ପ୍ରତିଶତ। ଘରୋଇ କ୍ଷେତ୍ରରେ ମାତ୍ର ୧୦.୯ ପ୍ରତିଶତ ବ୍ୟକ୍ତି ନିଯୁକ୍ତ ଥିଲେ। ସେମାନଙ୍କ ସଂଖ୍ୟା ଥିଲା ମାତ୍ର ୮୬୯୮୨। ୨୦୧୦ ମସିହାରେ ସଂଗଠିତ କ୍ଷେତ୍ରର ନିଯୁକ୍ତି ହ୍ରାସ ପାଇ ୭.୩୧ ଲକ୍ଷ ହେଲା, କିନ୍ତୁ ଘରୋଇ କ୍ଷେତ୍ରରେ ନିଯୁକ୍ତ ବ୍ୟକ୍ତିଙ୍କ ଅନୁପାତ ୧୬.୮ ପ୍ରତିଶତକୁ ବୃଦ୍ଧି ପାଇଲା ଏବଂ ୧,୨୨,୮୦୮ ଜଣ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ହେଲେ। ୨୦୨୦-୨୧ ମସିହାରେ ସମଗ୍ର ରାଜ୍ୟରେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସଂଖ୍ୟା ହେଲା – ୬,୬୮,୪୩୨ ଏବଂ ଏମାନଙ୍କ ମଧ୍ୟରୁ ୫,୪୨,୮୨୩ ଜଣ ସରକାରୀ କ୍ଷେତ୍ରରେ ଏବଂ ୧୨୫,୬୦୯ ବ୍ୟକ୍ତି ଘରୋଇ କ୍ଷେତ୍ରରେ ନିଯୁକ୍ତ ଥିଲେ। ସରକାରଙ୍କ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହା ସ୍ପଷ୍ଟ ଯେ ରାଜ୍ୟରେ ଦୁଇ ଦଶନ୍ଧିରେ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକସଂଖ୍ୟା ହ୍ରାସ ପାଇଛି। ଘରୋଇ ସଂସ୍ଥାରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସଂଖ୍ୟା ୮୬,୯୮୨ ବୃଦ୍ଧି ପାଇ ୧,୨୫,୬୦୯ରେ ପହଞ୍ଚିପାରିଛି। ଅର୍ଥାତ୍‌ କୋଡ଼ିଏ ବର୍ଷରେ ଘରୋଇ କ୍ଷେତ୍ରରେ ମାତ୍ର ୩୮,୬୫୭ ଜଣ ନିଯୁକ୍ତି ପାଇଛନ୍ତି। ଏହି ବାସ୍ତବିକତା ପରିପ୍ରେକ୍ଷୀରେ ଆଜିର ସଂକଳ୍ପ ୩୦ ଲକ୍ଷ ଲୋକଙ୍କ ନିଯୁକ୍ତିର ବିଶ୍ବସନୀୟତା ଏକ ସମ୍ବେଦନଶୀଳ ବିଚାର୍ଯ୍ୟ ପ୍ରସଙ୍ଗ।
    ଅନ୍ୟ ଏକ ତାତ୍ପର୍ଯ୍ୟ ପ୍ରସଙ୍ଗ ହେଲା ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)। ଆମ ଦେଶକୁ ୨୦୨୩ ମସିହାରେ ୧.୩ ଟ୍ରିଲିୟନ ଡଲାର ଏଫ୍‌ଡିଆଇ ଆସିଥିଲା। ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୯ ଅକ୍ଟୋବରରୁ ୨୦୨୪ ଜୁନ୍‌ ମଧ୍ୟରେ ଓଡ଼ିଶାରେ ଏଫଡିଆଇ ନିବେଶ ହୋଇଥିଲା ନଗଣ୍ୟ- ମାତ୍ର ୧୭୧,୯୬ ମିଲିୟନ ଡଲାର। ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ପ୍ରାୟ ହେଉନଥିବା ନୈରାଶ୍ୟ ଏବଂ ଚିନ୍ତାଜନକ। ଏହି ପରିସ୍ଥିତିରେ ଉନ୍ନତି ଆବଶ୍ୟକ। ୨୦୨୨-୨୩ ମୂଲ୍ୟ ଆଧାରରେ ଆମ ରାଜ୍ୟ ଆଜି ଦେଶର ତ୍ରୟୋଦଶ ବୃହତ୍‌ ଇକନମି (ଅର୍ଥନୈତିକ ବ୍ୟବସ୍ଥା); କିନ୍ତୁ ପଶ୍ଚିମବଙ୍ଗ ଇକନମି ଆମ ଅପେକ୍ଷା ଦୁଇଗୁଣ ଅଧିକ; ଗୁଜରାଟ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକ ଅର୍ଥନୀତି ଆମ ଅପେକ୍ଷା ତିନିଗୁଣ ଅଧିକ। ମହାରାଷ୍ଟ୍ରର ଅର୍ଥନୀତି ଆମ ଅପେକ୍ଷା ୪.୮ଗୁଣ ଅଧିକ। ସତରଟି ବୃହତ୍‌ ରାଜ୍ୟ ମଧ୍ୟରେ ଆଜି ଓଡ଼ିଶାର ଅର୍ଥନୀତି ବିହାର, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ତୁଳନାରେ ବୃହତ୍ତର। ବର୍ତ୍ତମାନ ଆମ ରାଜ୍ୟର ଶ୍ରମିକଶକ୍ତିରୁ ଅଣଚାଷ ପ୍ରତିଶତ କୃଷିକାର୍ଯ୍ୟରେ ସମ୍ପୃକ୍ତ ଥିବା ଦୃଷ୍ଟିରୁ କୃଷି ଉତ୍ପାଦ ପର୍ଯ୍ୟାପ୍ତ ନହେଲେ ରାଜ୍ୟ ଲୋକସଂଖ୍ୟାର ସିଂହଭାଗ ଦାରିଦ୍ର୍ୟ ସ୍ଥିତିରେ ରହିବା ସ୍ବାଭାବିକ। ଆମ ରାଜ୍ୟ ଅର୍ଥନୀତିର ମାତ୍ର ୧୯ ପ୍ରତିଶତ ଉତ୍ପାଦ କୃଷି ଭିତ୍ତିକ। ରାଜ୍ୟର ସମଗ୍ର ଉତ୍ପାଦ (ଜିଏସଡିପି) ୮.୩୬ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ କୃଷି କ୍ଷେତ୍ରର ସମଗ୍ର ଉତ୍ପାଦ ଥିଲା ମାତ୍ର ୧.୫୮ ଲକ୍ଷ କୋଟି ଟଙ୍କା। ଏହି କ୍ଷୁଦ୍ର ଉତ୍ପାଦ ତୁଳନାରେ ତାମିଲନାଡ଼ୁର ସ୍ଥିତି ବିଚାର୍ଯ୍ୟ। ତାମିଲନାଡ଼ୁ ରାଜ୍ୟର ସମଗ୍ର ଉତ୍ପାଦ ମୂଲ୍ୟ ହେଲା ୨୭.୨୨ ଲକ୍ଷ କୋଟି ଟଙ୍କା। ତନ୍ମଧ୍ୟରୁ କୃଷି ଉତ୍ପାଦ ମୂଲ୍ୟ ହେଲା ୧୩ ପ୍ରତିଶତ- ୩.୫୪ ଲକ୍ଷ କୋଟି ଟଙ୍କା। ଏହା ଓଡ଼ିଶା ଉତ୍ପାଦ ମୂଲ୍ୟର ୨.୨୫ଗୁଣ ଅଧିକ। ତାମିଲନାଡ଼ୁର କୃଷି କ୍ଷେତ୍ରରେ ରାଜ୍ୟ ଶ୍ରମିକ ବଳର ମାତ୍ର ୨୮ ପ୍ରତିଶତ (ପଞ୍ଚଷଠି ଲକ୍ଷ ଲୋକ) ନିୟୋଜିତ ଥିବାବେଳେ ଓଡ଼ିଶାର ଶ୍ରମିକବଳର ଅଣଚାଷ (୪୯) ପ୍ରତିଶତ- ୧୧୩ ଲକ୍ଷ ଲୋକ- କୃଷି କ୍ଷେତ୍ରରେ ନିୟୋଜିତ। ଓଡ଼ିଶାରେ ୧୧୩ ଲକ୍ଷ ଲୋକଙ୍କ ଉତ୍ପାଦ ମୂଲ୍ୟ ୧.୫୮ ଲକ୍ଷ କୋଟି ହୋଇଥିବା ସ୍ଥଳେ ତାମିଲନାଡ଼ୁର ମାତ୍ର ୬୫ଲକ୍ଷ ଲୋକଙ୍କ ଉତ୍ପାଦ ମୂଲ୍ୟ ହେଲା ୩.୫୪ ଲକ୍ଷ କୋଟି ଟଙ୍କା। ଆମ ରାଜ୍ୟର ଅଭାବନୀୟ ପରିସ୍ଥିତିରୁ ସ୍ପଷ୍ଟ ହୁଏ ଯେ ଓଡ଼ିଶାର କୃଷିଭିତ୍ତିକ ଶ୍ରମିକ ଉତ୍ପାଦରୁ ୧୦୦ ଟଙ୍କା ପାଉଥିବା ସ୍ଥଳେ ତାମିଲନାଡ଼ୁର କୃଷିଭିତ୍ତିକ ଶ୍ରମିକର ଉତ୍ପାଦ ମୂଲ୍ୟ ହେଉଛି ୪୦୦ ଟଙ୍କା।ଉତ୍ପାଦ ତାରତମ୍ୟ ସମ୍ପର୍କରେ ଗୋଟିଏ ଉଦାହରଣ ପ୍ରାସଙ୍ଗିକ ହେବ। ୨୦୨୪ ମସିହାରେ ଆମ ରାଜ୍ୟରେ ୩୭୨.୨ କୋଟି ଅଣ୍ଡା ଉତ୍ପାଦନ ହେଉଥିବାବେଳେ ତାମିଲନାଡ଼ୁରେ ୨୨୩୩.୨ କୋଟି, ଅର୍ଥାତ ଛ’ଗୁଣ ଅଧିକ ଅଣ୍ଡା ଉତ୍ପାଦନ ହୋଇଥିଲା। ଓଡ଼ିଶାରେ ଦୈନିକ ଏକକୋଟି ଅଣ୍ଡା ଉତ୍ପାଦନ ହେବାବେଳେ ତାମିଲନାଡ଼ୁର କେବଳ ଗୋଟିଏ ଜିଲା- ନମକୁଲରେ ଅଣ୍ଡା ଉତ୍ପାଦନ ଦୈନିକ ଥିଲା ପାଞ୍ଚକୋଟି। ଏହି ବୈଷମ୍ୟ ପ୍ରଣିଧାନଯୋଗ୍ୟ। ରାଜ୍ୟର ନୀତି ନିର୍ଦ୍ଧାରକ ଏବଂ ପ୍ରଶାସନିକ ବ୍ୟବସ୍ଥା ଏହି ଅଭାବନୀୟ ସ୍ଥିତି ପ୍ରତି ସଚେତନ ଥିବା ମନେ ହୁଏ ନାହିଁ। ଅଣ୍ଡା ଉତ୍ପାଦନକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରିବା ଏକ ସ୍ବାଭାବିକ ନୀତି ହେବା ଆବଶ୍ୟକ ଥିବାବେଳେ ଅବ୍ୟାହତ ଉଦାସୀନତା ଚିନ୍ତାଜନକ ବୋଧହୁଏ।
    ତାମିଲନାଡ଼ୁର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରରେ ଆଠହଜାର ପ୍ରକାର ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହି କ୍ଷେତ୍ରର ଆକାର ସମଗ୍ର ଦେଶର ଏମ୍‌ଏସଏମଇ ସେକ୍ଟରର ୧୫.୨୪ ପ୍ରତିଶତ; ଉତ୍ପାଦ ମୁଖ୍ୟତଃ ନଡ଼ିଆକତା, ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ବୟନ,ଜୋତା, ଚମଡ଼ାଶିଳ୍ପ ଭିତ୍ତିକ। ଅଥଚ ଆଜି ଓଡ଼ିଶାରେ ଜୋତା ଏବଂ ଚମଡ଼ା ଶିଳ୍ପ ପ୍ରାୟ ନିଶ୍ଚିହ୍ନ। ନଡ଼ିଆ କତା ଶିଳ୍ପର ସ୍ଥିତି ନଥିବା ଭଳି; ଅଥଚ ଏହି କ୍ଷେତ୍ରର ଓଡ଼ିଶାରେ ସମ୍ଭାବନା ବ୍ୟାପକ। ଓଡ଼ିଶାରେ ମିଡିଅମ୍‌ ଶିଳ୍ପ ସଂଖ୍ୟା ନିତାନ୍ତ ସ୍ବଳ୍ପ- ମାତ୍ର ଏଗାରଶହ। କେ‌ତତେକ ଜିଲ୍ଲାରେ ମିଡିୟମ ଶିଳ୍ପର ଅନୁପସ୍ଥିତି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛି। ଆମ ରାଜ୍ୟରୁ ହଜାର ହଜାର ଶ୍ରମିକ ଗୁଜରାଟର ବ୍ୟାପକ ପାୱାରଲୁମ୍‌ ସେକ୍ଟରରେ କାର୍ଯ୍ୟରତ। ଗୁଜରାଟ ଢ଼ାଞ୍ଚାରେ ପାୱାରଲୁମ କମ୍‌ପ୍ଲେକ୍ସ ସ୍ଥାପନ କରି ଓଡ଼ିଶାର ଶ୍ରମିକବଳଙ୍କୁ ନିୟୋଜିତ କରିବା ଏକ ପ୍ରାଥମିକ କର୍ତ୍ତବ୍ୟ ହେବା ସ୍ଥଳେ ଏ କ୍ଷେତ୍ରରେ ଉଦାସୀନତା ଚିନ୍ତାଜନକ। ଅବଶ୍ୟ ଆମ ରାଜ୍ୟରେ ବୃହତ୍‌ ଶିଳ୍ପର ଆବଶ୍ୟକତା ରହିଛି। ରାଜ୍ୟରେ ପ୍ରତିଷ୍ଠିତ ବୃହତ୍‌ ଶିଳ୍ପ ରାଜ୍ୟ ଅର୍ଥନୀତିକୁ ଦୃଢ଼ୀଭୂତ କରିଛି। ଜିଏସ୍‌ଡିପିକୁ ସମୃଦ୍ଧ କରିଛି; କିନ୍ତୁ ଏହି କ୍ଷେତ୍ର ରୋଜଗାର ସୁଯୋଗ ସୃଷ୍ଟି କରିବାରେ ଅସମର୍ଥ ହୋଇଛି।
    ‘ବ୍ଲମ୍‌ ଭେଞ୍ଚର୍‌ସ’ ନାମକ ଏକ ଭେଞ୍ଚର କ୍ୟାପିଟାଲ ଫାର୍ମ ଭାରତର ଉପଭୋକ୍ତା ଗୋଷ୍ଠୀଙ୍କ ସମ୍ପର୍କରେ ଏକ ଅନୁସନ୍ଧାନାତ୍ମକ ବିଶ୍ଳେଷଣ ପ୍ରକାଶ କରିଥିଲେ। ତାଙ୍କର ଆକଳନ ହେଲା ଭାରତର ଗୁଣାତ୍ମକ ବ୍ୟୟୀଙ୍କ ସଂଖ୍ୟା ଆଜି ମଧ୍ୟ ସୀମିତ- ମାତ୍ର ୧୩/୧୪କୋଟି। ଅବଶ୍ୟ ନୂଆ ୩୦କୋଟି ବ୍ୟୟୀଙ୍କ ଆବିର୍ଭାବର ସଙ୍କେତ ମିଳୁଛି; କିନ୍ତୁ ଆଜି ମଧ୍ୟ ସେମାନେ କୁଣ୍ଠିତ ବ୍ୟୟୀ। ଆମ ଦେଶରେ ଖର୍ଚ୍ଚକାରୀଙ୍କ ସଂଖ୍ୟା ବ୍ୟାପକ ନହୋଇ ଗଭୀର ହେଉଥିବା ଏହି ସଂସ୍ଥା ଉଲ୍ଲେଖ କରିଛନ୍ତି। ଧନୀ ଭାରତୀୟଙ୍କ ସଂଖ୍ୟା ଆଶାଜନକ ଭାବରେ ବଢ଼ୁନାହିଁ ଅଥଚ ଧନୀ ଅଧିକ ଧନୀ ହେଉଛନ୍ତି। ଏହି ଅନୁଶୀଳନ ସମ୍ପର୍କରେ ଗୁଣାତ୍ମକ ତର୍ଜମା ଆବଶ୍ୟକ। ଆମର ବିକାଶ ଶୈଳୀ, ବିକାଶ ରଣନୀତି ପ୍ରମାଦପୂର୍ଣ୍ଣ ମନେହୁଏ। ସମ୍ପଦ ସୃଷ୍ଟି ହେଉଛି କିନ୍ତୁ ଏହାର ସମ୍ୟକ ବିତରଣ ହୋଇପାରୁନାହିଁ।ବିକାଶର ସୁପ୍ରଭାବରୁ ଅସଂଖ୍ୟ ଓଡ଼ିଶାବାସୀ ବଞ୍ଚିତ ହେଉଛନ୍ତି। ରାଜ୍ୟର ବିକାଶ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    97 %
    2.7kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ